ଅସୀମ ଐଶ୍ବର୍ଯ୍ୟ

0

ମେବାରର ରାଣୀଥିଲେ ମୀରାବାଈ। ପ୍ରଖ୍ୟାତ ଗୁରୁ ରବିଦାସଙ୍କର ଶିଷ୍ୟା ଥିଲେ ସେ। ଗୁରୁ ରବିଦାସ ଥିଲେ ନୀଚ ଜାତିର। ​‌େ​‌ସ ସମୟରେ ସମାଜରେ ଉତ୍କଟ ଜାତିବାଦ ପ୍ରଥା ପ୍ରଚଳିତ ଥିଲା। ନିମ୍ନ ବର୍ଗଙ୍କୁ ଅତି ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲେ ଉଚ୍ଚବର୍ଗର ଲୋକମାନେ। ଗୁରୁ ରବିଦାସଙ୍କର ପେସା ଥିଲା ଜୋତା ସିଲେଇ। ଜୋତା ସିଲେଇ ମାଧ୍ୟମରେ ଜୀବନନିର୍ବାହ କରିବାରେ ସେ ଅଶେଷ ଆନନ୍ଦ ପାଉଥିଲେ। ମୀରାବାଈଙ୍କୁ ତାଙ୍କର ପରିଜନଙ୍କ ମଧ୍ୟରୁ ଅନେକେ ପରିହାସ କରି କହୁଥିଲେ ତୁ‌େ‌ମ ରାଜପ୍ରାସାଦରେ ଅତି ଅୟସରେ ରହିଛ। ହେଲେ ତୁମର ଗୁରୁ! ସେ ଜୋତା ସିଲେଇ ଭଳି ନିମ୍ନ ବୃତ୍ତିରେ ପେଟ ପୋଷୁଛନ୍ତି।
ମୀରାବାଈ ଏହାଶୁଣି ଅନେକ ଦୁଃଖ କରୁଥିଲେ। ଗୁରୁଙ୍କ ପ୍ରତି ତାଙ୍କ ଏକନିଷ୍ଠ ଶ୍ରଦ୍ଧା, ସମ୍ମାନ ଓ ଭଲପାଇବା ଥିଲା। ଅନେକ ସମୟରେ ସେ ଭାବୁଥିଲେ ଗୁରୁଙ୍କ ପାଇଁ କ’ଣ ବା କରିପାରିବେ ଯାହାଦ୍ବାରା ତାଙ୍କର ଦୁଃସ୍ଥିିତିକୁ ନେଇ କେହି କେବେ ତାଙ୍କୁ ତାଚ୍ଛଲ୍ୟ କରି କହିବେନି। ଶେଷରେ ଦିନେ ଏକ ମୂଲ୍ୟବାନ ହୀରା ନେଇ ଗୁରୁଙ୍କ ନିକଟକୁ ଗଲେ। ପ୍ରଣାମ କରି କହିଲେ- ‘ଗୁରୁଦେବ! ଆପଣଙ୍କର ଗରିବୀ ଦେଖି ମୋତେ ବହୁତ ଦୁଃଖ ଲାଗୁଛି। ଲୋ‌େ​‌କ ମୋତେ ତାଚ୍ଛଲ୍ୟ କରି କହୁଛନ୍ତି ତୁମର ଗୁରୁ ଏତେ ଦରିଦ୍ର ଯେ ଜୋତା ସିଲେଇ କରି ପେଟ ପୋଷୁଛନ୍ତି। ଆପଣ ଏହି ହୀରାଟି ନିଅନ୍ତୁ। ଏହାକୁ ବିକ୍ରି କରି ଭଲ ଘର ଖଣ୍ଡେ କରି ଖୁସିରେ ରହନ୍ତୁ। ଜୋତା ସିଲେଇ ବୃତ୍ତି ଛାଡ଼ି ଦିଅନ୍ତୁ।’
ଗୁରୁ ରବିଦାସ ସେ ସମୟରେ ଅନ୍ୟଦିନ ଭଳି ଜୋତା ସିଲେଇ କରୁଥାନ୍ତି । ନିକଟରେ ପାଣିଥିବା ଏକ କୁଣ୍ଡରେ ଚମଡ଼ାକୁ ଭିଜାଇ କାଟିବା ସହ ସିଲେଇ କରୁଥାନ୍ତି। ସେହିଭଳି ଜୋତା ସିଲେଇ କରୁଥିବା ଅବସ୍ଥାରେ ହୀରା ଆଡ଼କୁ ଦୃଷ୍ଟି ନଦେଇ କହିଥିଲେ ‘ମା’ରେ! ମୋତେ ଯାହା କିଛି ମିଳିଛି ଏହି ଜୋତା ସିଲେଇରୁ ହିଁ ମିଳିଛି। ତୁମର ଯଦି ଲୋକଲଜ୍ଜାକୁ ଡର, ତେବେ ଘରେ ବସି ଭଜନ କୀର୍ତ୍ତନ କର, ମୋ ନିକଟକୁ ଆସିବାର ଆବଶ୍ୟକତା ନାହିଁ। ଏହି ହୀରା ମୋ ପାଇଁ ଅନାବଶ୍ୟକ। ଲୋକେ ମୋର ଗରିବୀକୁ ନେଇ ଥଟ୍ଟା ପରିହାସ କରୁଛନ୍ତି। ସେମାନେ ସେହିଭଳି କରୁଥାନ୍ତୁ। ହେଲେ ମୋତେ ମୋର ଏହି ଗରିବୀରୁ ପର୍ଯ୍ୟାପ୍ତ ଆନନ୍ଦ ମିଳୁଛି। ମୁଁ ବେଶ୍‌ ଖୁସିରେ ଅଛି। ଦୁନିଆରେ କୌଣସି ନାଶଶୀଳ ଦ୍ରବ୍ୟରେ ମୋର ଆବଶ୍ୟକତା ନାହିଁ।’
ମୀରାବାଈ କିନ୍ତୁ ନାଚାର ଥିଲେ। ଯାହା ହେଉନା କାହିଁକି ଆଣିଥିବା ହୀରା ଗୁରୁଙ୍କୁ ଦେବାକୁ ଚାହୁଁଥିଲେ। ଏକମାତ୍ର ଲକ୍ଷ୍ୟଥିଲା ଗୁରୁଙ୍କ ଦାରିଦ୍ର୍ୟ ଦୂର କରିବା। ଅନେକ ସମୟ ପର୍ଯ୍ୟନ୍ତ ଗୁରୁଙ୍କୁ ବୁଝାଇଲେ, ହେଲେ ଗୁୁରୁ ନିଜ ଜିଦ୍‌ରେ ଅଟଳ ଥିଲେ। ଶେଷରେ ମୀରାବାଈ କହିଲେ, ‘ଗୁରୁଜୀ! ମୁଁ ଏହି ହୀରାଟି ଆପଣଙ୍କ କୁଟୀରରେ ରଖି ଦେଇ ଯାଉଛି। ଆବଶ୍ୟକ ପଡ଼ିଲେ ବ୍ୟବହାର କରିପାରନ୍ତି। ଆପଣଙ୍କ ଜୀବନ ସୁଖମୟ ହୋଇଯିବ।’
ଏହାକହି ଚାଲିଯାଇଥିଲେ ମୀରାବାଈ। ଏହି ଘଟଣାର ଢ଼େର ମାସ ପରେ ସେ ଦିନ ମୀରାବାଈ ଗୁୁରୁଙ୍କ ନିକଟକୁ ଆସି ଦେଖିବାକୁ ପାଇଲେ ହୀରାଟି ସେ ଯେଉଁସ୍ଥାନରେ ରଖିଥିଲେ ସେହିଭଳି, ସେହି ସ୍ଥାନରେ ରହିଛି। କ୍ଷୋଭରେ କହିଲେ- ‘ଗୁରୁଜୀ ! ମୁଁ ବହୁତ ଶ୍ରଦ୍ଧା, ସମ୍ମାନରେ ଆପଣଙ୍କୁ ଏହା ଅର୍ପଣ କରିଥିଲି, ହେଲେ ଆପଣ ଏହାର ଫାଇଦା ନେଲେ ନାହିଁ।
ଗୁୁରୁଙ୍କ ଉତ୍ତର ଥିଲା- ‘ମାଆ! ହୀରାରେ ମୋର କ’ଣ ବା ଆବଶ୍ୟକତା? ମୋତେ ପରମାତ୍ମା ତାଙ୍କୁ ଭକ୍ତିରୂପକ ଯେଉଁ ଅସୀମ ଐଶ୍ବର୍ଯ୍ୟ ଦେଇଛନ୍ତି ତାହା ମୋ ପାଇଁ ପର୍ଯ୍ୟାପ୍ତ। ତୁମେ ତୁମ ହୀରା ନେଇଯାଇପାର। ମୋର ଅନ୍ୟ କୌଣସି ସମ୍ପଦରେ ଆଦୌ ପ୍ରୟୋଜନ ନାହିଁ।’ ମୀରାବାଈ ଗୁରୁଙ୍କ ମହାନତା ନିକଟରେ ନତମସ୍ତକ ହୋଇଯାଇଥିଲେ।

Leave A Reply