ଅବିସ୍ମରଣୀୟ ରାଷ୍ଟ୍ରଭକ୍ତ

0

ପରାଧୀନ ଭାରତବର୍ଷରେ ଏଭଳି କିଛି ମହାମନୀଷୀ ଥିଲେ ଯେଉଁମାନେ ଦେଶଲାଗି ନିଜର ଜୀବନ ଉତ୍ସର୍ଗ କରିଥିଲେ। ସ୍ବାଧୀନତାର ମୋହ ସେମାନଙ୍କୁଏଭଳି ଉଦ୍‌ବୁଦ୍ଧ କରିଥିଲା ଯେ ଇଂରେଜ ସରକାରଙ୍କ ସକଳ ପ୍ରକାର ନିର୍ଯାତନାକୁ ଭ୍ରୂକ୍ଷେପ ନକରି ସେମାନେ ସ୍ବାଧୀନ ଭାରତ ପାଇଁ ଜୀବନକୁ ବାଜି ଲଗାଇ ଦେଇଥିଲେ। ଅନ୍ୟ ପକ୍ଷରେ ଏଭଳି କିଛି ବ୍ୟକ୍ତି ଥିଲେ ଯେଉଁମାନେ ଭିନ୍ନ ମାର୍ଗରେ ଶହଶହ ଦେଶପ୍ରେମୀ ସୃଷ୍ଟି କରିଥିଲେ। ସେମାନଙ୍କୁ ଦେଶପ୍ରେମର ମହାମନ୍ତ୍ରରେ ଦୀକ୍ଷିତ କରାଇଥିଲେ। ଅସୀ ଅପେକ୍ଷା ସେମାନଙ୍କ ପାଖରେ ମସୀ ଥିଲା ଅଧିକ ଶକ୍ତିଶାଳୀ। ସେମାନଙ୍କ ଲେଖନୀର ଅଗ୍ନିବର୍ଷୀ ଆହ୍ବାନରେ ଅନେକ ଦେଶପ୍ରେମୀ ସୃଷ୍ଟି ହେଉଥିଲେ। ସେହିଭଳି ଜଣେ ସାଧକ ଥିଲେ ମୁନସି ପ୍ରେମଚନ୍ଦ। ଦେଶଭକ୍ତ ସୃଷ୍ଟିକୁ ନିଜ ଜୀବନର ବ୍ରତ ଭାବରେ ସେ ବାଛି ନେଇଥିଲେ। ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଯଶସ୍ବୀ ଲେଖକ ଥିଲେ ମୁନସି ପ୍ରେମଚନ୍ଦ।
ତତ୍କାଳୀନ ସମୟର ଆବଶ୍ୟକତା ଥିଲା ଶହଶହ ସଂଖ୍ୟାରେ ଦେଶପ୍ରେମୀ ସୃଷ୍ଟି କରିବା, ସେମାନଙ୍କ ହୃଦୟରେ ସୁପ୍ତ ଦେଶପ୍ରେମକୁ ଜାଗ୍ରତ କରିବା। ଏହାକୁ ସେ ନିଷ୍ଠାର ସହ ଲିଭାଇଥିଲେ। ସମୟର ଆହ୍ବାନ ଅନୁରୂପ ସାହିତ୍ୟସୃଷ୍ଟି କରି ଜନଦେବତାଙ୍କୁ ଆବାହନ କରିଥିଲେ ସ୍ବାଧୀନତା ସଂଗ୍ରାମରେ ଝାସ ଦେବା ନିମନ୍ତେ। ଏ ନିମନ୍ତେ ସେ ନିଜର ସକଳ ଇଚ୍ଛା, ତୁଷ୍ଣାକୁ ବିସର୍ଜନ କରି ଦେଇଥିଲେ। ସମ୍ମାନ ପ୍ରାପ୍ତି ଅପେକ୍ଷା ଲକ୍ଷ୍ୟଥିଲା ସମାଜ ସଂସ୍କାର ସହ ଦେଶପ୍ରେମୀ ସୃଷ୍ଟି କରିବା। ସେତେବେଳେ ସମାଜରେ ଭରି ରହିଥିବା କୁ ପ୍ରଥା, ଅନ୍ଧବିଶ୍ବାସ, ଦୂରକରିବା ଦିଗରେ ସେ ଅଜସ୍ର ଲେଖା ଲେଖିଥିଲେ। ତାଙ୍କର ଅଗ୍ନିବର୍ଷୀ ଲେଖାରେ ଅନୁପ୍ରାଣିତ ହୋଇ ସହସ୍ରସହସ୍ର ଯୁବକ ଜୀବନର ସବୁକିଛି ତ୍ୟାଗ କରି ଦେଶ ମାତୃକାର ମୁକ୍ତି ନିମନ୍ତେ ନିଜକୁ ଉତ୍ସର୍ଗ କରି ଦେଇଥିଲେ- ସେମାନଙ୍କ ସମ୍ମୁଖରେ ଏକମାତ୍ର ଲକ୍ଷ୍ୟ ଥିଲା ଦେଶମାତୃକାର ମୁକ୍ତି।
ଏକଦା ଗୁରୁକୁଳ ଓ କଙ୍ଗଡ଼ି ହରିଦ୍ବାରର ବାର୍ଷିକୋତ୍ସବରେ ଅନୁଷ୍ଠିତ ଅାର୍ଷ ଭାଷା ସମ୍ମିଳନୀରେ ବକ୍ତା ଭାବରେ ଯୋଗଦେବା ନିମିତ୍ତ ପ୍ରେମଚନ୍ଦଙ୍କୁ ନିୟନ୍ତ୍ରଣ କରାଯାଇଥାଏ। ପ୍ରେମଚନ୍ଦ ଅତି ସାଦାସିଧା ଜୀବନ ବିତାଉଥିଲେ। ତାଙ୍କର ଅତ୍ୟନ୍ତ ନିରଳସ ସ୍ବଭାବରୁ ସେ ଯେ ଏତେବଡ଼ ସାହିତ୍ୟିକ, ଏହା କଳନା କରିବା ମୁସ୍କିଲ ଥିଲା। ପ୍ରେମଚନ୍ଦଙ୍କୁ ଦେଖିବା ନିମନ୍ତେ ଷ୍ଟେସନରେ ଅନେକ ଲୋକ ଏକତ୍ରିତ ହୋଇଥାନ୍ତି। ଅଭ୍ୟର୍ଥନାକାରୀ ମଧ୍ୟ ଫୁଲତୋଡ଼ା ସହ ତାଙ୍କୁ ସମ୍ବର୍ଦ୍ଧନା ନିମିତ୍ତ ଅପେକ୍ଷା କରିଥାନ୍ତି। ପ୍ରେମଚନ୍ଦଙ୍କୁ ପୂର୍ବରୁ ସେମାନେ ଦେଖି ନଥିଲେ। ପ୍ରେମଚନ୍ଦ ଷ୍ଟେସନରେ ରେଳରୁ ଓହ୍ଲାଇ ଆପଣାର ସାମଗ୍ରୀ ଧରି ଚାଲିଚାଲି ତିନି କିଲୋମିଟର ବାଟ ଯାଇ ସମ୍ମିଳନୀ ସ୍ଥଳରେ ପହଞ୍ଚି ଯାଇଥିଲେ। ଯେତେବେଳେ କର୍ମକର୍ତ୍ତାମାନେ ଏହା ଜାଣିବାକୁ ପାଇଲେ ସେମାନେ ଆଶ୍ଚର୍ଯ୍ୟ ହେବାସହ ଅତିଥି ପ୍ରେମଚନ୍ଦଙ୍କ ସରଳତା, ନିରାଡ଼ମ୍ବର ଭାବ ଦେଖି ବିସ୍ମିତ ହୋଇଯାଇଥିଲେ।

Leave A Reply