ଅବସରପ୍ରାପ୍ତ ପୁଲିସ ଏସଆଇଙ୍କୁ ପିଟିପିଟି ହତ୍ୟା

0

ଆହ୍ଲାବାଦ: ଉତ୍ତର ପ୍ରଦେଶର ଆହ୍ଲାବାଦରେ ଜଣେ ଅବସରପ୍ରାପ୍ତ ପୁଲିସ ସବ୍‌ଇନ୍ସପେକ୍ଟର (ଏସଆଇ)ଙ୍କୁ କେତେକ ଦୁର୍ବୃତ୍ତ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସୋମବାର ଆହ୍ଲାବାଦର ତେଲିୟାରଗଞ୍ଜରେ ଘଟିଥିବା ଏହି ଦୁଃଖଦ ଘଟଣା ସିସିଟିଭିରେ କଏଦ ହୋଇଛି। ହତ୍ୟାର ଶିକାର ହୋଇଥିବା ଅବସରପ୍ରାପ୍ତ ଏସଆଇ ଜଣଙ୍କ ହେଉଛନ୍ତି ଅବଦୁଲ ସମସାଦ ଖାଁ (୭୦)। ତେବେ ତାଙ୍କୁ କେଉଁଥି ପାଇଁ ହତ୍ୟା କରାଯାଇଛି ତାର କାରଣ ଜଣାପଡି ନାହିଁ। ଦୁର୍ବୃତ୍ତଙ୍କ ମାଡ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଫଳରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସିସିଟିଭି ଫୁଟେଜ ଅନୁଯାୟୀ ୯୦ ସେ​‌େ​‌କଣ୍ଡରେ ୪୯ ପାହାର ମାଡ ହୋଇଥିଲା। ମାଡ ମରାଯିବା ସମୟରେ ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁଥିବା ଦେଖାଯାଇଛି ;ମାତ୍ର କେହି ଏହାକୁ ପ୍ରତିରୋଧ କରି ନଥିଲେ। ଅବଦୁଲ ପ୍ରଥମେ ମାଡ ମରାଯିବାକୁ ପ୍ରତିରୋଧ କରିଥିଲେ ମାତ୍ର ଦୁବୃର୍ତ୍ତଙ୍କ ଶକ୍ତି ନିକଟରେ ସେ ହାର ମାନିଥିଲେ। ଘଟଣା ସମ୍ପର୍କରେ ଅବଦୁଲଙ୍କ ଝିଅ ପୁଲିସରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି। ଆହ୍ଲାବାଦ ସହର ପୁଲିସ ମୁଖ୍ୟଙ୍କ କହିବା ଅନୁଯାୟୀ ଘଟଣା ପଛରେ ୧୦ଜଣଙ୍କୁ ସନ୍ଦିଗ୍ଧ ଦର୍ଶାଯାଇଛି ଓ ୫ଜଣଙ୍କୁ ଗିରଫ କରାଯାଇଛି। ଏତଲାରେ ଜୁନେଦ କମଲଙ୍କୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି; ମାତ୍ର ସେ ଫେରାର ହୋଇଯାଇଛି। ଘଟଣା ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଆଧାରରେ ଆହ୍ଲାବାଦ ହାଇକୋର୍ଟ ଏଥିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଡିବି ଭୋସାଲେ ଓ ଜଷ୍ଟିସ ସିଡି ସିଂହ ଏହାକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ପୁଲିସକୁ ଏହା ଉପରେ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply