ଅନ୍ତିମ ଟେଷ୍ଟରେ ଖେଳିବେ ପୃଥ୍ୱୀ ସ’!

0

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ମ୍ୟାଚ୍‍ରେ ଯୁବ ବ୍ୟାଟସମ୍ୟାନ୍‍ ପୃଥ୍ୱୀ ସ’ଙ୍କ ଖେଳିବା ଆଶା ବେଶ୍‍ ଉଜ୍ଜ୍ୱଳ ବୋଲି କୁହାଯାଉଛି। ଏହି ଟେଷ୍ଟ ସିରିଜ୍‍ର ୪ଟି ମ୍ୟାଚ୍‍ ଶେଷ ହୋଇଥିବା ବେଳେ ଇଂଲଣ୍ଡ ୩-୧ରେ ସିରିଜ୍‍ ଜିତି ନେଇଛି। ଅନ୍ତିମ ଟେଷ୍ଟ ମ୍ୟାଚ୍‍ କେବଳ ଔପଚାରିକ ଭାବେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍‍ରେ ପୃଥ୍ୱୀ ସ’ଙ୍କୁ ସୁଯୋଗ ମିଳିପାରେ। ଭାରତୀୟ ଦଳର ଓପନର୍‍ କେଏଲ୍‍ ରାହୁଲ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ତାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ପୃଥ୍ୱୀ ସ’ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ରାହୁଲ ୪ଟି ଟେଷ୍ଟ ମ୍ୟାଚ୍‍ ଖେଳିଥିବା ବେଳେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୧୮ ବର୍ଷୀୟ ପୃଥ୍ୱୀ ସ’ ନେଟ୍‍ସରେ ଦୀର୍ଘସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ଅନ୍ତିମ ଟେଷ୍ଟ ମ୍ୟାଚ୍‍ରେ ଖେଳାଇବାକୁ ଦଳୀୟ ମ୍ୟାନେଜମେଣ୍ଟ ଏକପ୍ରକାର ନିଷ୍ପତ୍ତି ନେଇ ସାରିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଭାରତୀୟ ଅଫ୍‍ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ୫ମ ଟେଷ୍ଟ ମ୍ୟାଚ୍‍ରେ ଖେଳି ନ ପାରନ୍ତି ବୋଲି ଜଣାପଡ଼ିଛି। ଅଶ୍ୱିନ୍‍ ପୁନର୍ବାର ଆଘାତପ୍ରାପ୍ତ ହୋଇଥିବାରୁ ୫ମ ଟେଷ୍ଟ ମ୍ୟାଚ୍‍ରେ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିପାରେ।

Leave A Reply