ଜିମ୍ବାୱେ କ୍ରିକେଟକୁ ନିଲମ୍ବିତ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଗୁରୁବାର ଜିମ୍ବାୱେ କ୍ରିକେଟ୍ ବୋର୍ଡକୁ ଜରୁରୀକାଳୀନ ଭିତ୍ତିରେ ନିଲମ୍ବିତ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ନିୟମ ପାଳନ କରିନଥିବାରୁ ଆଇସିସି ଜିମ୍ୱାଓ୍ୱେ କ୍ରିକେଟ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। ଆଇସିସି କହିଛି, ଜିମ୍ବାୱେ କ୍ରିକେଟ୍ ଗଣତାନ୍ତ୍ରିକ ପଦ୍ଧତିରେ ନିରପେକ୍ଷ ନିର୍ବାଚନ କରିବାକୁ ପ୍ରସ୍ତୁତ ରହିବା ସହିତ କ୍ରିକେଟ ପ୍ରଶାସନରେ ସରକାରଙ୍କ ହସ୍ତକ୍ଷେପକୁ ଦୂରରେ ରଖିବାରେ ବିଫଳ ହୋଇଛି। ତେଣୁ ଏହି ଭଳି ପଦକ୍ଷପ ନିଆଯାଇଛି। ଏହା ସହିତ ଆଇସିସି ଜିମ୍ବାୱେ କ୍ରିକେଟ ପାଇଁ ଅନୁଦାନ ପାଣ୍ଠି ମଧ୍ୟ ବନ୍ଦ କରି ଦେଇଛି । ଏହା ପୂର୍ବରୁ ମଧ୍ୟ ଆଇସିସିର ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା।
ଏ ନେଇ ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର କହିଛନ୍ତି, ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ଏହା ଆଇସିସି ସମ୍ବିଧାନର ଆଇନକୁ ଉଲଂଘନ କରୁଛି। ଆଇସିସି ସମ୍ବିଧାନର ନିୟମ ଅନୁସାରେ ଯେଉଁ ଦେଶ କାର୍ୟ୍ୟ କରିବ ସେ ହିଁ ତାଙ୍କ ଅଧୀନରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ।

ଆଇସିସିର ଏଭଳି ନିଷ୍ପତ୍ତି ପରେ ୨୦୨୦ରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ ମ୍ୟାଚରେ ଜିମ୍ବାୱେର ଖେଳିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.