୨୦୧୯ ନିର୍ବାଚନ: ୧୦ କୋଟି ନୂଆ ଭୋଟରଙ୍କ ଉପରେ ନଜର

0

କଟକ: ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହେଲାଣି ଅଙ୍କକଷା । ବିଶେଷକରି ନୂଆ ଯୁବ ଭୋଟରଙ୍କ ମତଦାନ ହାସଲ କରିବା ହେଉଛି ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ୧୮ ବର୍ଷ ପାର କରୁଥିବା ପ୍ରାୟ ୧୦ କୋଟି ଯୁବ ଭୋଟରଙ୍କୁ ଟାର୍ଗେଟରେ ରଖିଛନ୍ତି ରାଜନେତା । ଯାହାକି କଂଗ୍ରେସର ଏଆଇସିସି ମହାଧିବେଶନରେ ସ୍ପଷ୍ଟ ହୋଇଛି । ଏଥିରେ ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବକ୍ତାଙ୍କ ଫୋକସରେ ରହିଥିଲା ୧୮ ବର୍ଷରେ ପଦାର୍ପଣ କରୁଥିବା ଯୁବପିଢ଼ି । ଏମାନଙ୍କୁ ଆକର୍ଷିତ କରିବା ପାଇଁ କେବଳ କଂଗ୍ରେସ ନୁହେଁ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ସ୍ୱତନ୍ତ୍ର ଏଜେଣ୍ଡା ପ୍ରସ୍ତୁତିରେ ଲାଗିପଡ଼ିଛି । ୨୦୧୯ ଏପ୍ରିଲରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ୨୦୧୯ ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ପୂରଣ କରୁଥିବା ଯୁବବର୍ଗଙ୍କୁ ନିର୍ବାଚନରେ ମତଦାନ କରିବାର ଅଧିକାର ମିଳିବ ।
୨୦୧୮ ଫେବୃଆରୀ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ, ଏଯାବତ୍‍ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ଥିବା ୧.୩୮ କୋଟି ଯୁବ ମତଦାତା ତାଲିକାରେ ରହିଛନ୍ତି । ୧୮ରୁ ୨୦ ବର୍ଷ ବୟସର ୨.୬୦ କୋଟି ଯୁବ ଭୋଟର ପଞ୍ଜୀକୃତ ହୋଇଛନ୍ତି । ତେବେ ୨୦୧୧ ଜନଗଣନା ମୁତାବକ, ୧୮ ବର୍ଷ ବୟସର ୨ କୋଟି ଭୋଟର ଥିଲେ । ୨୦୧୯ ନିର୍ବାଚନ ବେଳକୁ ଏହି ସଂଖ୍ୟା ୧୦ କୋଟି ଟପିବାର ଅନୁମାନ କରାଯାଉଛି । ନିକଟରେ ବିହାରର ଅରରିୟା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନରେ ୧୮ ବର୍ଷ ବୟସର ପ୍ରାୟ ୭୦ ହଜାର ଭୋଟର ମତଦାନ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ସାମାଜିକ ଗଣମାଧ୍ୟମକୁ ବେଶି ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଏଆଇସିସି ଅଧିବେଶନରେ ନବଜୋତ ସିନ୍ଧୁ ଦେଇଥିବା ବକ୍ତବ୍ୟର ଭିଡିଓ ୟୁଟ୍ୟୁବ୍‍ରେ ଭାଇରାଲ ହେବାରେ ଲାଗିଛି । ଏଥିସହ ନୂଆ ଭୋଟରଙ୍କୁ ଆକର୍ଷିତ ଲାଗି କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛି । ସାମାଜିକ ଗଣମାଧ୍ୟମ ଜରିଆରେ ଉପନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବାରୁ ଏହି ପ୍ରକ୍ରିୟାକୁ ଦଳ ତ୍ୱରାନ୍ୱିତ କରୁଛି । ଦଳ ମିଡିଆ ସେଲ, ଟ୍ୱିଟର, ଫେସବୁକ୍‍, ଇନଷ୍ଟାଗ୍ରାମ୍‍ ଓ ହ୍ୱାଟ୍ସଆପ୍‍କୁ ପ୍ରମୁଖ ଅସ୍ତ୍ର କରିଛି । ଏହି ସମସ୍ତ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଯୁବ ଭୋଟରଙ୍କ ପାଖରେ ଦଳ ସହଜରେ ପହଞ୍ଚି ପାରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେହିପରି ବିଜେପି ମଧ୍ୟ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି । ଯୁବ ଭୋଟରଙ୍କ ଉପରେ ନଜର ରଖିବାକୁ ସମସ୍ତ ବୁଥ୍‍ କମିଟି ଗୁଡ଼ିକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ଦେଶ ଦେଇଛନ୍ତି ।

Leave A Reply