ପୃଥିବୀରେ ମଙ୍ଗଳ ଗ୍ରହ, ଆଉ ଯିବାକୁ ପଡିବନି ମହାକାଶ !

ମଙ୍ଗଳ ଗ୍ରହକୁ ଯିବାକୁ ଇଚ୍ଛା ରଖୁଥିବା ଲୋକଙ୍କ ପାଇଁ ଏକ ଖୁସୀ ଖବର । ଏଣିକି ମଙ୍ଗଳ ଗ୍ରହକୁ ଯିବା ପାଇଁ ଆଉ ମହାକାଶକୁ ଯିବାକୁ ପଡିନାହିଁ । ଧରିତ୍ରୀ ପୃଷ୍ଠରେ ହିଁ ଆପଣ ମଙ୍ଗଳ ଗ୍ରହର ମଜା ନେଇ ପାରିବେ । ହଲିଡେ ୱେବ୍‌ ସାଇଟ୍‌ ଟ୍ରିପ୍ ଏବଂ ଭାଇଜର ନାମକ ଏକ କମ୍ପାନୀ ପକ୍ଷରୁ ଏକ କୃତ୍ରିମ ମଙ୍ଗଳ ଗ୍ରହ ନିର୍ମାଣ କରାଯାଇଛି । ଯାହା ଅବିକଳ ମଙ୍ଗଳ ଗ୍ରହ ସାଦୃଶ୍ୟ । ଏହି କୃତ୍ରିମ ଗ୍ରହ ସ୍ପେନର ଉତ୍ତରରେ ଥିବା ଗୁମ୍ପାରେ ନିର୍ମାଣ କରଯାଇଛି । କମ୍ପାନୀ ପକ୍ଷରୁ ଲୋକଙ୍କୁ ଏଠାରେ ତିନି ଦିନ ଓ ଗୋଟିଏ ରାତି କଟାଇବା ପାଇଁ ସୁଯୋଗ ଦିଆଯାଇଛି । ସେଥିପାଇଁ ପର୍ଯ୍ୟଟକଙ୍କୁ ୪.୮୦ ଲକ୍ଷ ଟଙ୍କା ଦେୟ କରିବାକୁ ପଡିବ ।

କୃତ୍ରିମ ମଙ୍ଗଳ ଗ୍ରହ ବିଷୟରେ କିଛି ତଥ୍ୟ

୧.୪ କିମି ଲମ୍ବା ବିଶିଷ୍ଟ ଗୁମ୍ପାରେ ଏହି କୃତ୍ରିମ ଗ୍ରହ ଧରିତ୍ରୀ ପୃଷ୍ଠରୁ ପ୍ରାୟ ୧୯୬ ଫୁଟ୍ ଉଚ୍ଚରେ ନିର୍ମାଣ କରାଯାଇଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଗୁମ୍ପା ମଧ୍ୟରେ ଅବିକଳ ମଙ୍ଗଳ ଗ୍ରହ ପରି ଅନୁଭବ ହେବ । ସେଠାରେ ପହଞ୍ଚିଲା ପରେ ପର୍ଯ୍ୟଟକ ଏ ଦୁନିଆ ଏବଂ ନିଜ ଲୋକଙ୍କ ଠାରୁ ବହୁ ଦୂରତାରେ ଥିବା ଅନୁଭବ କରିବେ । ପରୀକ୍ଷା ପରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ।

କିନ୍ତୁ ଏଠାରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ୩୦ ଦିନିଆ ପ୍ରୟୋଗଶାଳାରେ ଅଂଶ ​‌ଗ୍ରହଣ କରିବାକୁ ପଡିବ ।  ଅନ୍‌ ଲାଇନ୍ ମାଧ୍ୟମରେ ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବାକୁ ହେବ । ମଙ୍ଗଳ ଗ୍ରହ ସମ୍ବନ୍ଧିତ ପର୍ଯ୍ୟଟକଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଦୃଢ କରିବା ପାଇଁ ମଧ୍ୟ ୩ ଦିନ ପ୍ରଶିକ୍ଷଣ ଦିଆଯିବ । ଏହା ପରେ ପର୍ଯ୍ୟଟକଙ୍କୁ ସେଠାରେ ରହିବା ପାଇଁ ଅନୁମତି ମିଳିବ । ସ୍ବତନ୍ତ୍ର ବସ୍ତ୍ର ପରିଧାନ କରି ସେହି କୃତ୍ରିମ ଗ୍ରହକୁ ଯିବାକୁ ହେବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଯାତ୍ରା ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟକମାନେ ଯାତ୍ରା ସମୟର ଅନୁଭୂତିକୁ କଦାପି ଭୁଲି ପାରିବେ ନାହିଁ । ଏହି ଯାତ୍ରାରେ କମ୍ପାନୀର ଉପଦେଷ୍ଟା ମଧ୍ୟ ପର୍ଯ୍ୟଟକଙ୍କ ସାଙ୍ଗରେ ରହିବେ ।

Comments are closed.