ଯୋଗାଭ୍ୟାସରେ ରାମଦେବଙ୍କ ବିଶ୍ୱ ରେକର୍ଡ

0

କୋଟା/ଡେରାଡୁନ : ସମଗ୍ର ବିଶ୍ୱରେ ଗୁରୁବାର ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‍ଠାରେ ୫୫ ହଜାର ଲୋକଙ୍କ ସହିତ ଯୋଗାଭ୍ୟାସ କରିଥିବାବେଳେ ଯୋଗଗୁରୁ ରାମଦେବ ରାଜସ୍ଥାନର କୋଟାଠାରେ ଅଢେଇ ଲକ୍ଷ ଲୋକଙ୍କ ସହିତ ଏକତ୍ର ଯୋଗାଭ୍ୟାସ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ ରେକର୍ଡ୍ସରେ ସ୍ଥାନ ପାଇଛି। ଗିନିଜ୍‍ ବୁକ୍‍ ପକ୍ଷରୁ ଏ ନେଇ ରାମଦେବଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ୧ ଘଣ୍ଟା ୩ ମିନିଟ ପର୍ଯ୍ୟନ୍ତ ଶୀର୍ଷାସନ କରି ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ୧ ଘଣ୍ଟା ପର୍ଯ୍ୟନ୍ତ ଏହି ଆସନ କରିବାର ରେକର୍ଡ ରହିଥିଲା।

ଏହି ଅବସରରେ ମୋଦୀ କହିଛନ୍ତି, ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ନିମନ୍ତେ ଲୋକେ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ। ଯୋଗ ଶରୀରକୁ ସୁସ୍ଥ ରଖିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନର ଏକ ପ୍ରମୁଖ ମାଧ୍ୟମ। ସୁସ୍ୱାସ୍ଥ୍ୟ ଗଠନ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ବିଶ୍ୱ ଯୋଗ ଦିବସ ସମ୍ପ୍ରତି ସବୁଠାରୁ ବଡ଼ ଜନଆନ୍ଦୋଳନର ରୂପ ନେଇଛି। ଏହା ଜାତୀୟ ଏକତାର ଆଧାର ହୋଇପାରେ ବୋଲି ସେ ଦର୍ଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡକରୀ, ସୁରେଶ ପ୍ରଭୁ, ଉମା ଭାରତୀ, ରାମବିଳାସ ପାଶୱାନ, ରବିଶଙ୍କର ପ୍ରସାଦ ମଧ୍ୟ ବିଭିନ୍ନ ସ୍ଥାନରେ ଯୋଗ ଶିବିରର ଆୟୋଜନ କରିଛନ୍ତି; କିନ୍ତୁ ବିହାରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଜେଡିୟୁ ନେତାମାନେ ଦୂରତ୍ୱ ରକ୍ଷା କରିଥିବା ଜଣାପଡିଛି।

ବିଶ୍ୱ ଯୋଗ ଦିବସ ଉପଲକ୍ଷେ ବିଭିନ୍ନ ରାଷ୍ଟ୍ରରେ ଯୋଗ ଦିବସ ଶିବିରର ଅୟୋଜନ ହୋଇଥିବା ବେଳେ ସମୁଦ୍ର ପତ୍ତନଠାରୁ ୧୮,୦୦୦ ଫୁଟ୍‍ ଉଚ୍ଚତାରେ ମୁତୟନ ଇଣ୍ଡୋ-ତିବ୍ଦତୀୟ ସୀମାନ୍ତ ପୁଲିସ (ଆଇଟିବିପି) ଯବାନମାନେ ବରଫ ଆସ୍ତରଣ ଉପରେ ପ୍ରବଳ ଥଣ୍ଡାରେ ଯୋଗ ଶିବିରର ଆୟୋଜନ କରିଥିଲେ। ସେହିଭଳି ଭାରତୀୟ ନୌସେନାର ଯବାନମାନେ ସମୁଦ୍ରଗର୍ଭରେ ଏକ ବୁଡାଜାହାଜରେ ଯୋଗାଭ୍ୟାସ କରିଛନ୍ତି। ଆଇଏନ୍‍ଏସ୍‍ ବିକ୍ରାନ୍ତ ଜାହାଜରେ ନିଯୁକ୍ତ ନୌସେନା ଅଧିକାରୀମାନେ ଯୋଗାଭ୍ୟାସ କରିଥିବା ଜଣାପଡିଛି।

ସହିଭଳି ଭାରତର ସବୁଠୁ ବୟସ୍କ ଯୋଗଗୁରୁ ଭାବେ ପରିଚିତ ତାମିଲନାଡ଼ୁର ୯୮ବର୍ଷ ବୟସ୍କା ଆମ୍ମା ନାନାମ୍ମଲ ମଧ୍ୟ ଯୋଗ ଦିବସରେ ତାଙ୍କର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ, ଲକ୍ଷାଧିକ ଶିଶ୍ୟ ସୃଷ୍ଟି କରିଥିବା ଆମ୍ମା ପ୍ରତ୍ୟହ ୧୦୦ରୁ ଅଧିକ ଶିଶ୍ୟଙ୍କୁ ତାଲିମ ଦେଇଥାନ୍ତି। ଭାରତର ପୁରାତନ ଶାରୀରିକ ଅଭ୍ୟାସ ‘ଯୋଗ’ ସମ୍ବନ୍ଧରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମ କ୍ରମେ ୨୧ ଜନ୍‍କୁ ବିଶ୍ୱ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା।

Leave A Reply