ଯୋଗ ଦିବସର ପ୍ରକୃତ ଉଦ୍ଦେଶ୍ୟ

ଆଶାଥିଲା ଏକବିଂଶ ଶତାବ୍ଦୀ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆସିବ ପୃଥିବୀ ପାଇଁ। ଉକ୍ତ ଶତାବ୍ଦୀର ଦୁଇ ଦଶନ୍ଧି ସମାପ୍ତ ହେବାକୁ ଆଉ ମାତ୍ର ଦେଢ଼ ବର୍ଷ ବାକି। ଦେଖୁଦେଖୁ ବିତିଯିବ, କିନ୍ତୁ ଏକ ଶାନ୍ତ, ସୁସ୍ଥ, ସମୃଦ୍ଧ ପୃଥିବୀ ଗଠନ ସ୍ୱପ୍ନ ଏଯାଏ ସାକାର ହୋଇପାରି ନାହିଁ। ସୁନ୍ଦର ପୃଥିବୀର ପରିକଳ୍ପନା ଯେଉଁ ପଦ୍ଧତିରେ ଚାଲିଛି ତାହା ଜଗତ ପାଇଁ ବୁମେରାଂ ସାଜିଛି। ଶିକ୍ଷାର ଯେତେ ପ୍ରସାର ହେଲେ ବି, ସୂଚନା ପ୍ରଯୁକ୍ତିର ଯେତେ ବେଶି ପ୍ରୟୋଗ ହେଲେ ବି, ଅର୍ଥନୀତି ଯେତେ ଦୃଢ଼ ହେଲେ ବି ପରିବର୍ତ୍ତନ ଆହୁରି ଆସିବା ବାକି ଅଛି। ଆମେ ବିକାଶ ନାମରେ ବିନାଶ ଆଡ଼କୁ ଗତି କରୁଛୁ। ଏପରି ସ୍ଥିତିରେ ଯଦି କୌଣସି ଉପାୟ ଦ୍ୱାରା ବିଶ୍ୱର ପରିବର୍ତ୍ତନ ସମ୍ଭବ ତାହା କେବଳ ଆଧ୍ୟାତ୍ମିକତା ମାଧ୍ୟମରେ। ଆଧ୍ୟାତ୍ମିକତାର ଚାବିକାଠି ଯୋଗକୁ ପାଥେୟ କରି ପ୍ରକୃତ ପରିବର୍ତ୍ତନ ସମ୍ଭବ କହିଲେ ଆଜି ସ୍ଥିତିରେ ହୁଏତ ଅଧିକାଂଶ ପରତେ ଯିବେ ନାହିଁ। ତେବେ ଏ ବାବଦରେ ଏଠାରେ ସମ୍ୟକ୍‌ ଧାରଣା ଦେଲେ ହୁଏତ କିଛିଟା ଫଳପ୍ରଦ ହୋଇପାରେ।
ସାମ୍ପ୍ରତିକ ପୃଥିବୀ ଯେଉଁ ସବୁ ଜଟିଳ ସମସ୍ୟା ଦେଇ ଗତି କରୁଛି ସେଗୁଡ଼ିକରୁ ପ୍ରମୁଖ ହେଲା ଧର୍ମୀୟ ଅସହିଷ୍ଣୁତା ଓ ଆତଙ୍କବାଦ, ପ୍ରାକୃତିକ ସମ୍ପଦର ଅବକ୍ଷୟ, ଜଟିଳ ଅର୍ଥନୀତିକ ସ୍ଥିତି, ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା, ଖାଦ୍ୟ ସଙ୍କଟ, ଜନସଂଖ୍ୟା ବିସ୍ଫୋରଣ, ସ୍ୱାସ୍ଥ୍ୟ ଓ ବେକାର ସମସ୍ୟା ଆଦି। ମାନବିକତାହୀନ ବ୍ୟବହାର ଏକ ପ୍ରମୁଖ କାରଣ ବୋଲି ଧରି ନେବାକୁ ହେବ। ଆମେ ପ୍ରଥମେ ଧର୍ମୀୟ ଅସହିଷ୍ଣୁତାରୁ ସୃଷ୍ଟ ଆତଙ୍କବାଦ ସମସ୍ୟା ଉପରେ ନଜର ଦେବା। ଧର୍ମ ଏକ ବିଚାରଧାରା। ସୃଷ୍ଟି ଶାଶ୍ୱତ। ଏଇ ଶାଶ୍ୱତ ସୃଷ୍ଟିରେ ମଣିଷ ଏକ ମନନଶୀଳ ପ୍ରାଣୀ। ତା’ ଭିତରେ ଅନେକ ପ୍ରକାରର ବିଚାର ଆସେ। ସେ ବିଚାର ଅନୁସାରେ ସମଗ୍ର ବିଶ୍ୱକୁ ପରିଚାଳିତ କରିବାର ଭାବନା ନିଶ୍ଚିତ ଭାବରେ ସାଂଘାତିକ। ଧର୍ମ ସେହି ମଣିଷ ବା ପ୍ରଜାକୁ ଧାରଣ କରେ, ସୁମାର୍ଗରେ ଯିବାର ରାସ୍ତା ଦେଖାଏ। ସାମାଜିକ ତଥା ଆତ୍ମିକ ସଂପ୍ରୀତି ସୃଷ୍ଟିକରି ସବୁ ମଣିଷକୁ ଏକତା ସୂତ୍ରରେ ବାନ୍ଧି ରଖେ। ବୃକ୍ଷର ବୀଜ ଯଦି ମୂଳ ହୁଏ ଏବଂ ଚେରର ସାହାରାରେ ସମଗ୍ର ବୃକ୍ଷଟି ଅବସ୍ଥାନ କରେ ସେ ବୃକ୍ଷର ଶାଖା, ପ୍ରଶାଖା, ଫୁଲ, ଫଳ ଏହି ସଂସାରର ଜୀବ ନିର୍ଜୀବ। ଯେମିତି ସବୁ ଶାଖା ପ୍ରଶାଖା, ଫୁଲ, ଫଳର ଆକାର ପ୍ରକାର ସମାନ ନୁହେଁ ସେମିତି ବିଭିନ୍ନ ଧର୍ମୀୟ ଚଳଣି ସମାନ ନୁହେଁ। ମୂଳ ବୀଜକୁ ଯଦି ଆମେ ସ୍ରଷ୍ଟା ବୋଲି ଭାବୁ ତେବେ ଆଉ ସାନ ବଡ଼, ଶ୍ରେଷ୍ଠ, ହୀନର ପ୍ରଶ୍ନ ହିଁ ନାହିଁ, କିନ୍ତୁ ଏକ ନିର୍ଦିଷ୍ଟ ବିଚାରକୁ ହିଁ ସମସ୍ତଙ୍କ ବିଚାର ବୋଲି କହିବାକୁ ବାଧ୍ୟ କରିବା ଓ ହିଂସା ସୃଷ୍ଟି କରିବା ଅତ୍ୟନ୍ତ ଗର୍ହିତ। ଏମିତି ପରିସ୍ଥିତିରେ ଆତଙ୍କବାଦୀମାନଙ୍କୁ ଶକ୍ତି ପ୍ରୟୋଗ କରି ଦମନ କଲେ ହୁଏତ କିଛି ଦିନ ପାଇଁ ସେମାନଙ୍କ ଶକ୍ତି ହ୍ରାସ ହୋଇଯାଇପାରେ, କିନ୍ତୁ ଏହାର ବିନାଶ ହେବ ନାହିଁ। ଆମକୁ ଦରକାର ବିଚାରରେ ଶୁଦ୍ଧତା, ଏମିତି ବିଚାର ଯାହା ସଂସାରର ସବୁ ମଣିଷଙ୍କ ହିତ ପାଇଁ ପ୍ରଯୁଜ୍ୟ ହୋଇଥିବ। ଏଥିପାଇଁ ଯୋଗର ଯମ, ନିୟମକୁ ପାଳନ କରିବା ଏବଂ ଅହିଂସା, ସତ୍ୟ, ଅପରିଗ୍ରହ, ଈଶ୍ୱରପ୍ରଣିଧାନ ଉପରେ ବିଶ୍ୱାସ କରିବାର ଅଛି। ଏପରି ହେଲେ ଆତଙ୍କବାଦର ସମାଧାନ ସମ୍ଭବ।
ଦିନଥିଲା ମଣିଷକୁ ଯେତେ ଆବଶ୍ୟକ ଥିଲା ସେ ପ୍ରକୃତିରୁ ସେତିକି ବ୍ୟବହାର କରି ଏକ ସୁନ୍ଦର ପ୍ରକୃତି, ପରିବେଶ ଭିତରେ ବଞ୍ଚୁଥିଲା। ଆଜି ଆଉ ସେ ସମୟ ନାହିଁ। ମାନବ ଆଧ୍ୟାତ୍ମିକ, ନୈତିକ ବିକାଶ ଉପରେ ଗୁରୁତ୍ୱ ଦେବା ଛାଡ଼ି ବଜାର ଅର୍ଥନୀତି ଉପରେ ବିଶେଷ ଧ୍ୟାନ ରଖିଲା। ମଣିଷ କେଉଁ ଭାବରେ ଗଢ଼ି ଉଠିବ ତାହା ତାର ଶିକ୍ଷା ଓ ସଂସ୍କାର ଉପରେ ନିର୍ଭର କରେ। ଏହା ଯୋଗରେ ବିଶ୍ୱାସ କରାଯାଏ। ପୃଥିବୀର କିଛି ଶ୍ରେଷ୍ଠ ବିକଶିତ ରାଷ୍ଟ୍ର ଦ୍ରୁତ ଅର୍ଥନୀତିକ ଅଭିବୃଦ୍ଧି ପାଇଁ ବିବେକହୀନ ଭାବରେ ପ୍ରାକୃତିକ ସମ୍ପଦଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରି ସେଗୁଡ଼ିକୁ ଶେଷ କରି ବସିଲେ। ତେଣୁ ଆଜି ପୃଥିବୀର ଭାରସାମ୍ୟ ନଷ୍ଟ ହୋଇଯାଇଛି, ତାପମାତ୍ରା ବଢ଼ିଛି, ଭୂମିକମ୍ପ, ବନ୍ୟା, ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପାନୀୟ ଜଳର ଅଭାବ ଓ ପ୍ରଦୂଷଣ ସମସ୍ୟା ଦୂର ପୃଥିବୀ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ସେ ବୁଝନ୍ତା କି ଯୋଗ ମାଧ୍ୟମରେ ଏ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି। ‘ସମତ୍ୱଂ ଯୋଗ ଉଚ୍ଚ୍ୟତେ’। ଆମକୁ ସମତା ରକ୍ଷା କରିବାକୁ ପଡ଼ିବ। ଭାରସାମ୍ୟ ରକ୍ଷା ହିଁ ସମତା ରକ୍ଷା ଅଟେ। ଏଥିପାଇଁ ମଣିଷକୁ ବ୍ରହ୍ମଚର୍ଯ୍ୟ ପାଳନ କରିବାର ଆବଶ୍ୟକତା ରହିଛି। ବ୍ରହ୍ମ ଅର୍ଥାତ୍‌ ଶ୍ରେଷ୍ଠ ଶକ୍ତି। ଯୋଗକୁ ଆଶ୍ରା କରି ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଶକ୍ତି କ୍ଷୟକୁ ରୋକିବାକୁ ପଡ଼ିବ।
ଏକବିଂଶ ଶତାବ୍ଦୀ ଧନୀ ଓ ଦରିଦ୍ର ଏପରି ଦୁଇ ଭାଗରେ ପୃଥିବୀ ବିଭକ୍ତ ହୋଇଯାଇଛି। ସଂସାରର ସବୁ ଧନ ଧନୀମାନଙ୍କ ପାଖରେ ରହିଯାଇଛି କହିଲେ ଭୁଲ୍‌ ହେବ ନାହିଁ। ଅତ୍ୟନ୍ତ ସ୍ୱାର୍ଥବାଦୀ ଚିନ୍ତାଧାରା ଓ ଜଗତକୁ ଶାସନ କରିବାର ଭାବନା ହିଁ ଏଥିପାଇଁ ଦାୟୀ। ପୃଥିବୀର ମୋଟ ଧନର ସୁଷମ ବଣ୍ଟନ ହେବା ଉଚିତ୍‌। ଉଦାରତା, ଆପଣାର ଭାବ ବିନା ଏହା କଦାପି ସମ୍ଭବ ନୁହେଁ। “ଉଦାର ଚରିତା ନାଂ ତୁ ବସୁଧୈବ କୁଟୁମ୍ବକମ୍‌”। ଯୋଗରୁ ଏହି ଶିକ୍ଷା ମିଳେ। ଅଷ୍ଟାଙ୍ଗ ଯୋଗର ଯମ ଓ ନିୟମରେ ତିନୋଟି କଥା ଅଛି- ଅସ୍ତେୟ, ଅପରିଗ୍ରହ, ସନ୍ତୋଷ। ଅନ୍ୟର ଦ୍ରବ୍ୟ ପ୍ରତି ଲୋଭ ନକରିବା ହେଉଛି ଅସ୍ତେୟ, ଲୋଭ କରି କଳେ-ବଳେ-କୌଶଳେ ହାସଲ କରି ନେବା ହେଉଛି ​‌େ​‌ଚୗର୍ଯ୍ୟ ବୃତ୍ତି। ସ୍ରଷ୍ଟାର ସୃଷ୍ଟିରେ ସବୁକିଛିର ମାଲିକ ସିଏ। ଯେତେ ଆବଶ୍ୟକ, ତା’ଠୁ ବେଶୀ ସଂଗ୍ରହ କରି ଆବଶ୍ୟକ ଥିବା ମଣିଷ ପାଇଁ ଶୂନ୍ୟ କରି ଦେଉଛୁ ପ୍ରାକୃତିକ ସମ୍ପଦକୁ। ଅପରିଗ୍ରହ ଅଭ୍ୟାସ ଜରିଆରେ ‘ଜିଓ ଔର ଜିନେ ଦୋ’ ଭାବନାର ବିକାଶ ଘଟେ, ଯଦ୍ଦ୍ବାରା ସଂସାରର ମଙ୍ଗଳ ହୁଏ। ବୃତ୍ତି ପାଇଁ ଅନ୍ୟ ଉପରେ ବିଶ୍ୱାସ ରଖିବା ଫଳରେ ଉତ୍କଟ ବେକାର ସମସ୍ୟା ସୃଷ୍ଟି ହେଉଛି। ଯୋଗକୁ ପାଥେୟ କରି ଉପଯୁକ୍ତ ଶିକ୍ଷା ପ୍ରଦାନ କରାଗଲେ ମଣିଷ ନିଜର ଯୋଗ୍ୟତା, ଦକ୍ଷତା, ପ୍ରତିଭାର ଉପଯୁକ୍ତ ବିକାଶ କରିପାରନ୍ତା।
ସାର୍ଥକ ଜୀବନ ପାଇଁ ସାର୍ଥକ କର୍ମ ଆବଶ୍ୟକ। ଯୋଗ ଆଧାରିତ କର୍ମ ହିଁ ପ୍ରକୃତ କର୍ମ। ପ୍ରକୃତ କର୍ମରେ ବ୍ରତୀ ରହିଲେ ମାନବିକତା ବୃଦ୍ଧି ପାଇବା ସଂଗେସଂଗେ ପ୍ରସାର ଲାଭ ବି କରେ। ମାନବିକ ମୂଲ୍ୟବୋଧ ନେଇ ସଂସାରିକ ସମସ୍ୟାଗୁଡ଼ିକର ସମାଧାନ ଚେଷ୍ଟାକଲେ ଅଧିକ ସଫଳତା ମିଳିବ ନିଶ୍ଚୟ।

ସତ୍ୟନାରାୟଣ ଠାକୁର
ସଂଯୋଜକ, ଯୋଗ ମହୋତ୍ସବ ସମିତି,ସମ୍ବଲପୁର

Comments are closed.