ଗୁରୁବାର ଶପଥ ନେବି : ୟେଦୁରପ୍ପା

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳ ସରକାର ଗଢିବା ନିମନ୍ତେ ସ୍ପଷ୍ଟ ବହୁମତ ପାଇନାହାନ୍ତି। ଫଳରେ ସରକାର ଗଠନକୁ ନେଇ କଂଗ୍ରେସ-ଜେଡିଏସ୍‍ ଏବଂ ବିଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ୧୦୪ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରାପ୍ପା ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛି। ରାଜ୍ୟପାଳଙ୍କୁ ଭେଟି ଆସିବା ପରେ ୟେଦୁରପ୍ପା ଗୁରୁବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବୋଲି ଦୁଢୋକ୍ତି ପ୍ରକାଶ କରିଛନ୍ତି। ଏପଟେ କଂଗ୍ରେସ ସହାୟତାରେ ଏଚ୍‍.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍‍ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। କଂଗ୍ରେସ ଏବଂ ଜେଡିଏସ୍‍ ବହୁମତ ପାଇଁ ଆବଶ୍ୟକ ୧୧୨ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦେଲେ ବିଜେପି ଗଣିତ ବିଗିଡ଼ିଯିବ। ତେଣୁ କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ନିଜ ପଟକୁ ନେବା ପାଇଁ ବଜେପି ପ୍ରୟାସ ଆରମ୍ଭ କରିଛି। କଂଗ୍ରେସ ଓ ଜେଡିଏସ୍‍ ୧୧୬ ଆସନରେ ବିଜୟୀ ହୋଇଛନ୍ତି ଓ ଏହି ସଂଖ୍ୟା ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ। ବୁଧବାର କଂଗ୍ରେସ ବିଧାୟକ ଦଳ ବୈଠକକୁ ୪ ବିଧାୟକ ଆସିନଥିଲେ। ସେପଟେ ଜେଡିଏସ୍‍ର ବିଧାୟକ ଦଳ ବୈଠକରେ ୨ ବିଧାୟକ ଅନୁପସ୍ଥିତ ଥିବା ଜଣାପଡିଛି। ଜଣେ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ସେହିପରି ଏଚ୍‍.ଡି କୁମାରସ୍ୱାମୀ ଦୁଇଟି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ବିଜେପି ରାଜ୍ୟପାଳଙ୍କ ଜରିଆରେ ଗୋଟିଏ ଆସନରୁ ଇସ୍ତଫା ଦେବା ପାଇଁ କୁମାରସ୍ୱାମୀଙ୍କ ଉପରେ ଚାପ ପକାଇବ। ରାଜ୍ୟପାଳ ଏହି ସୁଯୋଗରୁ ବଞ୍ଚିତ କଲେ ଜେଡି(ଏସ୍‍) ଅଦାଲତକୁ ଯିବ ଓ କଂଗ୍ରେସ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି। ବସ୍ତୁତଃ ସରକାର ଗଠନର ବଲ୍‍ ଏବେ ରାଜ୍ୟପାଳଙ୍କ କୋର୍ଟରେ ରହିଛି। ରାଜ୍ୟପାଳ ସରକାର ଗଠନ ପାଇଁ ୟେଦୁରପ୍ପାଙ୍କୁ ଆମନ୍ତ୍ରଣ କଲେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ସମୟରେ କଂଗ୍ରେସ ଓ ଜେଡିଏସ୍‍ ୧୫ ବିଧାୟକଙ୍କୁ ଅନୁପସ୍ଥିତ ଦେଖାଇବାକୁ ବିଜେପି ଯୋଜନା କରିଛି। ଏହାଦ୍ୱାରା ବିଧାନସଭାରେ ସଂଖ୍ୟା ୨୨୨ରୁ ଖସି ୨୦୭ ହୋଇଯିବ। ଫଳରେ ବିଜେପି ନିଜର ୧୦୪ ବିଧାୟକଙ୍କ ବଳରେ ସହଜରେ ସଂଖ୍ୟାଗରିଷ୍ଠତା ଦେଖାଇ ପାରିବ। ବହୁମତର ମ୍ୟାଜିକ ସଂଖ୍ୟା ୧୧୨ରୁ ଖସି ୧୦୪କୁ ଆସିଯିବ।

Leave A Reply