ଅପ୍ରେଲ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%କୁ ଖସିଲା, ଖାଦ୍ୟପଦାର୍ଥ ମହଙ୍ଗା

ନୂଆଦିଲ୍ଲୀ : ଇନ୍ଧନ ଏବଂ ବିନିର୍ମାଣ ସାମଗ୍ରୀ ଦର ହ୍ରାସ ଯୋଗୁ ଅପ୍ରେଲ ମାସର ପାଇକାରୀ ମୁଦ୍ରାସ୍ଫୀତି ୩.୦୭%କୁ ହ୍ରାସ ପାଇଛି।
ସରକାରଙ୍କ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଅନୁସାରେ ଅପ୍ରେଲରେ ଖାଦ୍ୟପଦାର୍ଥ ଦର ମହଙ୍ଗା ଥିଲା ବେଳେ ଇନ୍ଧନ, ବିଦ୍ୟୁତ ଓ ବିନିର୍ମାଣ କ୍ଷେତ୍ରରେ ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୧୮% ରହିଥିଲା। ଫେବୃଆରୀ ମାସରେ ପାଇକାରୀ ମୁସ୍ରାସ୍ଫୀତି ୨.୯୩% ଓ ଗତ ବର୍ଷ ଅପ୍ରେଲ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୩.୬୨% ଥିଲା।
ପନିପରିବା ଦର ବୃଦ୍ଧି ଯୋଗୁଁ ଅପ୍ରେଲ ମାସରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୭.୩୭%ରେ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୫.୬୮% ଥିଲା। ତେବେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୨୦୧୮ ଡିସେମ୍ବରରୁ ବଢି ଚାଲିଛି। ଏହା ପୂର୍ବରୁ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ୦.୪୨% ତଳେ ଥିଲା। ଅପ୍ରେଲରେ ପନିପରିବା ଦର ୪୦.୬୫% ମହଙ୍ଗା ହୋଇଛି। ଗତ ମାର୍ଚ୍ଚ ମାସରେ ପନିପରିବା ଦର ୨୮.୧୩% ମହଙ୍ଗା ଥିଲା ଓ ୨୦୧୮ ଡିସେମ୍ବରରେ ୧୯.୨୯% ମହଙ୍ଗା ଥିଲା।
ଅପ୍ରେଲରେ ଇନ୍ଧନ ଏବଂ ବିଦ୍ୟୁତ୍‍ ମୁଦ୍ରାସ୍ଫୀତି ୩.୮୪%କୁ ଖସିଛି। ଗତ ମାର୍ଚ୍ଚ ମାସରେ ଇନ୍ଧନ ଏବଂ ବିଦ୍ୟୁତ୍‍ ମୁଦ୍ରାସ୍ଫୀତି ୫.୪୧% ଓ ଫେବୃଆରୀରେ ୨.୨୩% ଥିଲା। ସେହିପରି ବିନିର୍ମାଣ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧.୭୨%କୁ ହ୍ରାସ ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ବିନିର୍ମାଣ ମୁଦ୍ରାସ୍ଫୀତି ୨.୧୬% ଥିଲା।
କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‍ଓ) ପକ୍ଷରୁ ସୋମାବାର ଅପ୍ରେଲ ମାସର ଖୁଚୁରା ମୁଦ୍ରାସ୍ଫୀତି ପ୍ରକାଶ ପାଇଥିଲା। ପନିପରିବା, କ୍ଷୀର, ମାଂସ, ମାଛ, ଅଣ୍ଡା ଭଳି ଖାଦ୍ୟପଦାର୍ଥ ଦର ମହଙ୍ଗା ହେବାରୁ ଅପ୍ରେଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୨.୯୨%ରେ ପହଞ୍ଚିଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଅନୁସାରେ ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୮୬% ଥିଲା।

Comments are closed.