କେବଳ ଅନ୍‍ଲାଇନରେ ଟିକଟ ବିକ୍ରି

0
-ଟୁର୍ଣ୍ଣାମେଣ୍ଟରେ ପାସ୍‍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ,-୧୮ରେ ରିଲିଜ ହେବ ବିଶ୍ୱକପ ସଙ୍ଗୀତ

ଭୁବନେଶ୍ୱର  : କଳିଙ୍ଗ ଷ୍ଟାଡ଼ିୟମର ହକି ଗ୍ରାଉଣ୍ଡରେ ଚଳିତ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଯୋଗିତର ସୁପରିଚାଳନା ଲାଗି ଶୁକ୍ରବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ହକି ବିଶ୍ୱକପ ଲାଗି ପ୍ରସ୍ତୁତି ଓ ଶୃଙ୍ଖଳିତ ପରିଚାଳନା ନେଇ ଆଲୋଚନା କରାଯାଇଥିଲା। ଅପରପକ୍ଷରେ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡ଼ିୟମରେ ଓ ୨୮ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଉଦ୍‍ଘାଟନୀ ଉତ୍ସବ ଆୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି। ଉଦ୍‍ଘାଟନୀ ଉତ୍ସବ ଟିକଟ କେବଳ ଅନ୍‍ଲାଇନରେ ବିକ୍ରି କରାଯିବ। ଅନ୍‍ଲାଇନ୍‍ରେ ବିକ୍ରି କରାଯିବାର ୪୮ ଘଣ୍ଟା ପୂର୍ବରୁ ସୂଚନା ଦିଆଯିବ ବୋଲି ଏଫଆଇଏଚ୍‍ ସଭାପତି ନରିନ୍ଦର ବାତ୍ରା ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‍ଘାଟନୀ ଉତ୍ସବ ସମେତ ଟୁର୍ଣ୍ଣାମେଣ୍ଟ ଲାଗି ପାସ୍‍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବାକୁ ଥିବା ଉଦ୍‍ଘାଟନୀ ଉତ୍ସବରେ ସଙ୍ଗୀତଜ୍ଞ ଏ.ଆର ରେହମାନ ଓ ଅଭିନେତା ଶାହାରୁଖ ଖାନ ଯୋଗଦେଉଥିବାବେଳେ ବାରବାଟୀ ଷ୍ଟାଡ଼ିୟମରେ ଏ.ଆର ରେହମାନ ଓ ବାହୁବଳୀ ଚଳଚ୍ଚିତ୍ର ନାୟକ ପ୍ରଭାସ ଯୋଗଦେବେ। କଳିଙ୍ଗ ଷ୍ଟାଡ଼ିୟମ ଉଦ୍‍ଘାଟନୀ ଉତ୍ସବ ଲାଗି ୧୦,୫୦୦ ଓ ବାରବାଟୀ ଷ୍ଟାଡ଼ିୟମ ଉଦଘାଟନୀ ଉତ୍ସବ ଲାଗି ୩୦,୦୦୦ ଟିକଟ ବିକ୍ରି କରାଯିବ ବୋଲି ସୂଚନା ମିଳିଛି।

Leave A Reply