ଇଂଲଣ୍ଡ ପରାସ୍ତ : ଶ୍ରୀଲଙ୍କାର ଦ୍ବିତୀୟ ବିଜୟ

ଲିଡ୍‌ସ  : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଶୁକ୍ରବାର ଇଂଲଣ୍ଡକୁ ୨୦ ରନ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ବିଜୟ ପାଇଁ ଇଂଲଣ୍ଡ ଦଳ ୨୩୩ ରନ୍‌ ଆବଶ୍ୟକ କରୁଥିବା ବେଳେ ୪୭ଓଭରରେ ୨୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହିତ ଶ୍ରୀଲଙ୍କା ଶୁକ୍ରବାର ସୁଦ୍ଧା ୬ଟି ମ୍ୟାଚ ଖେଳି ୨ଟି ବିଜୟ,୨ଟି ପରାଜୟ ଓ ୨ଟି ମ୍ୟାଚ ବାତିଲ ହେବା ପରେ ମୋଟ ୬ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି।
ଦଳ ତରଫରୁ ଭିନ୍‌ସ ଓ ବେୟାରଷ୍ଟୋ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଦଳର ସ୍କୋର ୧ ରନ୍ ହୋଇଥିବା ବେଳେ ବେୟାରଷ୍ଟୋ କୌଣସି ରନ୍ ସଂଗ୍ରହ କରିବା ପୂର୍ବରୁ ମାଲିଙ୍ଗାଙ୍କ ବଲ୍‌ରେ ଏଲ୍‌ବିଡ୍ଲ୍ୟୁ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ରୁଟ୍‌। ଭିନ୍‌ସ ଓ ରୁଟ୍‌ଙ୍କ ଯୋଡ଼ି ବେଶୀ ସମୟ ତିଷ୍ଠି ପାରିନଥିଲା। ଦଳର ସ୍କୋର ୨୬ ରନ୍‌ ହୋଇଥିବା ବେଳେ ଭିନ୍‌ସ ୧୪ ରନ୍‌ କରି ମାଲିଙ୍ଗାଙ୍କ ବଲରେ ମେଣ୍ଡିସ୍‌ଙ୍କ ଦ୍ବାରା କ୍ୟାଚ୍‌ ହୋଇଥିଲେ। ଭିନ୍‌ସଙ୍କ ୱିକେଟ୍‌ ପତନ ପରେ ରୁଟ୍‌ ଓ ମୋର୍ଗାନ୍‌ ଦଳର ସ୍କୋରକୁ ଆଗେଇ ନେଇଥିଲେ। ତେବେ ଦଳର ସ୍କୋର ୭୩ ରନ୍ ହୋଇଥିବା ବେଳେ ମୋର୍ଗାନ୍‌ ୨୧ ରନ୍‌ କରି ଉଦାନାଙ୍କ ବଲରେ ଆଉଟ୍‌ ହୋଇଥିଲେ। ମୋର୍ଗାନ୍ ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଷ୍ଟୋକ୍‌ସ। ଷ୍ଟୋକସ ଓ ରୁଟ୍‌ ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଖେଳିବା ସହ ଦଳର ସ୍କୋରକୁ ୧୨୭ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ରୁଟ୍‌ ବ୍ୟକ୍ତିଗତ ଭାବେ ୩ଟି ଚୌକା ସହାୟତାରେ ୫୭ ରନ୍‌ କରି ମାଲିଙ୍ଗାଙ୍କ ଶିକାର ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବଟଲର ମଧ୍ୟ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୧୪୪ ରନ୍‌ ହୋଇଥିବା ବେଳେ ବଟଲର ୧ଟି ଚୌକା ସହାୟତାରେ ୧୦ ରନ୍‌ କରି ମାଲିଙ୍ଗାଙ୍କ ବଲରେ ଏଲବିଡ୍ଲ୍ୟୁ ହୋଇଥିଲେ। ଷ୍ଟୋକ୍‌ସ ୮୨ ରନ୍‌ କରି ଅପରାଜିତ ରହିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୨ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ଅଧିନାୟକ କରୁଣାରତ୍ନେ ଓ କୁଶଳ ପରେରା ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ମାତ୍ର ୩ ରନ୍‌ରେ ଦଳ ପ୍ରଥମ ୱିକେଟ୍‌ ହରାଇଥିଲା। କରୁଣାରତ୍ନେ ୧ ରନ୍ କରି ଆର୍ଚରଙ୍କ ଶିକାର ହୋଇଥିଲେ। କରୁଣାରତ୍ନେଙ୍କ ୱିକେଟ୍ ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଭିସ୍କା ଫର୍ଣ୍ଣାଡୋ। ତେବେ ଦଳୀୟ ସ୍କୋର ୩ ରନ୍‌ରେ କୁଶଳ ପରେରା ବ୍ୟକ୍ତିଗତ ଭାବେ ୨ ରନ୍‌ କରି ବିଦାୟ ନେଇଥିଲେ। ସହଳ ଦୁଇଟି ୱିକେଟ୍ ପତନ ପରେ କୁଶଳ ମେଣ୍ଡିସ୍‌ ଓ ଅଭିସ୍କା ଦଳର ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଖେଳାଳି ତୃତୀୟ ୱିକେଟ୍‌ ନିମନ୍ତେ ୫୯ ରନ୍‌ ଯୋଗ କରିଥିଲେ। ଦଳର ସ୍କୋର ୬୨ ରନ୍ ହୋଇଥିବା ବେଳେ ଅଭିସ୍କା ୬ଟି ଚୌକା ଓ ୨ଟି ଛକା ସହାୟତାରେ ୪୯ ରନ୍‌ ସଂଗ୍ରହ କରି ଉଡ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ଅଭିସ୍କା ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଆଞ୍ଜେଲୋ ମ୍ୟାଥୁସ୍‌ ଓ କୁଶଳ ମେଣ୍ଡିସ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋରକୁ ୧୩୩ ରନ୍‌ରେ ପହଞ୍ଚାଇଥିଲେ। ଏହି ସ୍କୋରରେ କୁଶଳ ମେଣ୍ଡିସ୍‌ ୨ଟି ଚୌକା ସହାୟତାରେ ୪୬ ରନ୍‌ କରି ଆଦିଲ୍‌ ରସିଦ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ଜୀବନ ମେଣ୍ଡିସ୍‌ କୌଣସି ରନ୍ କରିବା ପୂର୍ବରୁ ରସିଦ୍‌ଙ୍କ ଦ୍ବାରା କଟ୍‌ ଆଣ୍ଡ ବୋଲ୍‌ଡ ହୋଇଥିଲେ। ଏହାପରେ ଧନଞ୍ଜୟ ଡି’ସିଲଭା ଓ ମ୍ୟାଥୁସ୍‌ ଦଳର ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦଳର ସ୍କୋର ୧୯୦ ରନ୍‌ ହୋଇଥିବା ବେଳେ ଧନଞ୍ଜୟ ବ୍ୟକ୍ତିଗତ ଭାବେ ୧ଟି ଚୌକା ସହାୟତାରେ ୨୯ ରନ୍‌ କରି ଆଉଟ୍‌ ​‌େ​‌ହାଇଥିଲେ। ଧନଞ୍ଜୟଙ୍କ ୱିକେଟ ପତନ ପରେ ଶ୍ରୀଲଙ୍କା ନିମ୍ନଭାଗ ବ୍ୟାଟସମ୍ୟାନ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ତିସାରା ପରେରା ୨, ଉଦାନା ୬ ଓ ମାଲିଙ୍ଗା ୧ ରନ୍‌ କରି ଆଉଟ୍ ହୋଇଥିଲେ। ମ୍ୟାଥୁସ୍‌ ୫ଟି ଚୌକା ଓ ୧ଟି ଛକା ସହାୟତାରେ ୮୫ ଓ ପ୍ରଦୀପ ୧ ରନ୍‌ କରି ଅପରାଜିତ ରହିଥିଲେ।
ଇଂଲଣ୍ଡର ବୋଲର ଆର୍ଚର ଓ ଉଡ୍‌ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ଆଦିଲ୍‌ ରସିଦ୍‌ ୨ଟି ୱିକେଟ୍‌ ହାସଲ କରିଥିଲେ।

Comments are closed.