କ୍ରିକେଟ୍‌ ବିଶ୍ବକପ୍‌ : ବୃହତ ବିଜୟ ଲକ୍ଷ୍ୟରେ ଭାରତ

ସାଉଦାମ୍ପଟନ୍ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ।
ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳ ବେଶ୍ ଭଲ ପ୍ରଦର୍ଶନ କରି ଆସୁଛି। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଭାରତ ନିକଟରେ ମୋଟ୍‌ ୭ ପଏଣ୍ଟ ରହିଛି। ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆକୁ ୩୬ ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ ଓ ବୋଲର ବେଶ୍‌ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ବ୍ୟାଟିଂକୁ ଦେଖିଲେ ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶତକ ହାସଲ କରିଥିବାରୁ ଆଫଗାନିସ୍ତାନ ବିପକ୍ଷରେ ବଡ଼ ଇନିଂସ ଖେଳିବା ଆଶା ରହିଛି। ଅନ୍ୟପକ୍ଷରେ ଆଘାତଜନିତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିବା ଶିଖର ଧାୱନ୍‌ଙ୍କ ସ୍ଥାନରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ଓପନ୍‌ କରିଥିବା କେଏଲ୍‌ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ରାହୁଲ ଓ ରୋହିତ ବ୍ୟାଟିଂ ଓପନ୍‌ କରିବେ। ଉଭୟ ବ୍ୟାଟସମ୍ୟାନ୍‌ ଆଫଗାନିସ୍ତାନ ବିପକ୍ଷରେ ଭାରତକୁ ଭଲ ଆରମ୍ଭ ଦେବେ ବୋଲି ଆଶା କରାଯାଉଛି। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ପାକିସ୍ତାନ ବିପକ୍ଷରେ କୋହଲି ୭୭ ରନ୍‌ର ଇନିଂସ ଖେଳିଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ସୁଯୋଗ ମିଳିଲେ ଶତକ ହାସଲ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟା ଓ ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିବା ଆଶା ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିଜୟ ଶଙ୍କରଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ତେବେ ନେଟ୍‌ସରେ ଅଭ୍ୟାସ କରିବା ସମୟରେ ଶଙ୍କରଙ୍କ ଗୋଇଠିରେ ଆଘାତ ଲାଗିଥିବାରୁ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ଯଦି ଶଙ୍କର ​‌େ​‌ଖଳିବାକୁ ବିଫଳ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ଙ୍କୁ ସାମିଲ କରାଯାଇ ପାରେ ବୋଲି ଆଲୋଚନା ହେଉଛି। କେଦାର ଯାଦବ ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ଏକପ୍ରକାର ନିଶ୍ଚିତ।


ବୋଲିଂକୁ ଦୃଷ୍ଟି ଦେଲେ ଆଘାତଜନିତ କାରଣରୁ ଭୁବନେଶ୍ବର କୁମାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ମହମ୍ମଦ ସାମି ଓ ବୁମରା ଦ୍ରୁତ ବୋଲିଂ ଦାୟିତ୍ବରେ ରହିବେ। ସାମି ଓ ବୁମରାଙ୍କ ଘାତକ ବୋଲିଂକୁ ଆଫଗାନିସ୍ତାନ ଦଳର ବ୍ୟାଟସମ୍ୟାନ୍ କିପରି ଭାବେ ମୁକାବିଲା କରୁଛନ୍ତି ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ସେହିପରି ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ଙ୍କୁ ମୁକାବିଲା କରିବାରେ ବିଶ୍ବର ନାମୀ ବ୍ୟାଟସମ୍ୟାନ୍‌ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନେ ଆଫଗାନିସ୍ତାନ ବ୍ୟାଟସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇବେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୫ଟି ମ୍ୟାଚ୍‌ ଖେଳି ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଦଳର ବ୍ୟାଟିଂ ବିଫଳ ହୋଇଥିବା ବେଳେ ସ୍ପିନର ରସିଦ୍‌ ଖାନ୍‌ ଓ ନବି ଆଶାନୁରୂପକ ପ୍ରଦର୍ଶନ କରିବାରେ ସଫଳ ହୋଇପାରି ନାହାନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ରସିଦ୍‌ ଖାନ୍‌ ୯ ଓଭରରୁ ୧୧୦ ରନ୍ ଦେଇଥିବା ବେଳେ ଭାରତ ବିପକ୍ଷରେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା କଥା। ମୋଟାମୋଟି ଉପରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ଫେଭରିଟ୍‌ ଏଥିରେ କୌଣସି ଦ୍ବିମତ ନାହିଁ।

Comments are closed.