କ୍ରିକେଟ୍‌ ବିଶ୍ବକପ୍‌ : ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମ୍ୟାଚ୍‌ ଆଜି

ଲଣ୍ଡନ୍‌ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌​​ରେ ଶନିବାର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ଦଳ ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇ ୬ ପଏଣ୍ଟ ହାସଲ କରିଛି।
ଅଷ୍ଟ୍ରେଲିଆ ଦଳ ଆଫଗାନିସ୍ତାନକୁ ୭ ୱିକେଟ୍‌ରେ, ୱେଷ୍ଟଇଣ୍ଡିଜ୍‌କୁ ୧୫ ରନ୍‌ରେ, ପାକିସ୍ତାନକୁ ୪୧ ରନ୍‌ରେ ପରାସ୍ତ କରିଥିବା ବେଳେ ଭାରତ ନିକଟରୁ ୩୬ ରନ୍‌ରେ ପରାସ୍ତ ହୋଇଛି। ଦଳର ଓପନର୍‌ ଆରୋନ୍‌ ଫିଞ୍ଚ୍‌ ଓ ଡେଭିଡ୍‌ ୱାର୍ଣ୍ଣର ଭଲ ଫର୍ମରେ ଅଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୱାର୍ଣ୍ଣର ଶତକ ହାସଲ କରିଥିବାରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ଫିଞ୍ଚ୍‌ ମଧ୍ୟ ଆଶାନୁରୂପ ବ୍ୟାଟିଂ କରୁଛନ୍ତି। ସେହିପରି ଦଳରେ ଥିବା ଅଭିଜ୍ଞ ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ମଧ୍ୟ ଠିକଠାକ୍‌ ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସ୍ମିଥ୍‌ ସଫଳତା ପାଇନଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ନିଶ୍ଚିତ ଭାବେ ଲକ୍ଷ୍ୟ ରଖିଥିବେ। ଅେଷ୍ଟ୍ରଲିଆ ଦଳରେ ଅଲରାଉଣ୍ଡର ଭାବେ ଥିବା ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଭାବେ ପରିଚିତ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସୁଯୋଗ ମିଳିଲେ ମ୍ୟାକ୍‌ସୱେଲ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ। ଦଳରେ ଉସମାନ୍‌ ଖାୱାଜା, ମାର୍ଶ ଓ କ୍ୟାରିଙ୍କ ଭଳି ବ୍ୟାଟସମ୍ୟାନ୍‌ ଅଛନ୍ତି। ଏହି ବ୍ୟାଟସମ୍ୟାନ୍‌ମାନେ ବେଶ୍‌ ପ୍ରତିଭାବାନ୍‌। ତେଣୁ ଶ୍ରୀଲଙ୍କା ବୋଲରଙ୍କୁ ଉପଯୁକ୍ତ ମୁକାବିଲା କରି ଅଷ୍ଟ୍ରେଲିଆ ଦଳ ବିଶାଳ ସ୍କୋର କରିବା ଲକ୍ଷ୍ୟରେ ନିଶ୍ଚିତ ଭାବେ ରହିଥିବ।

pic courtesy-latestly.com and msn.com

ଅଷ୍ଟ୍ରେଲିଆର ବୋଲିଂକୁ ଦୃଷ୍ଟି ଦେଲେ ଦଳରେ ମିଚେଲ୍‌ ଷ୍ଟାର୍କ, ପାଟ୍‌ କମିନ୍‌ସ, ରିଚାର୍ଡସନ୍‌ ଓ କୌଲଟର୍‌ ନାଇଲଙ୍କ ଭଳି ବୋଲର ଅଛନ୍ତି। ଏହି ସବୁ ବୋଲର ବେଶ୍‌ ଦକ୍ଷ ଓ ପ୍ରତିପକ୍ଷ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇବାକୁ ସକ୍ଷମ। ବିଶେଷ କରି ମିଚେଲ୍‌ ଷ୍ଟାର୍କ, କମିନ୍‌ସ ଏପର୍ଯ୍ୟନ୍ତ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଶ୍ରୀଲଙ୍କା ବିପକ୍ଷରେ ଏମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳିଛି। ଦଳ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ବାକି ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଶ୍ରୀଲଙ୍କା ଦଳ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ଭା​‌େ​‌ବ ପରାସ୍ତ ହୋଇଥିବା ବେଳେ ଆଫଗାନିସ୍ତାନକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ତେବେ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବାରୁ ଦଳ ନିକଟରେ ୪ ପଏଣ୍ଟ ରହିଛି। ଓପନର୍‌ କରୁଣାରତ୍ନେ ଓ କୁଶଳ ପରେରାଙ୍କ ଉପରେ ବଡ଼ ସ୍କୋର ପାଇଁ ଦଳ ନିର୍ଭରଶୀଳ। ଆଫଗାନିସ୍ତାନ ବିପକ୍ଷରେ କୁଶଳ ପରେରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍‌ ଆଶାନୁରୂପ ସଫଳତା ହାସଲ କରି ପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହେବାକୁ ହେଲେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍‌ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବିଶେଷ କରି କରୁଣାରତ୍ନେ, କୁଶଳ ପରେରା, ଥିରିମାନେ, କୁଶଳ ମେଣ୍ଡିସ୍‌, ଆଞ୍ଜେଲୋ ମ୍ୟାଥୁସ୍‌ ଓ ଧନଞ୍ଜୟ ଡି’ ସିଲଭାଙ୍କ ମଧ୍ୟରୁ ଅତିକମ୍‌ରେ ୩ ଜଣଙ୍କୁ ବଡ଼ ସ୍କୋର କରିବାକୁ ପଡ଼ିବ। ଦଳର ବୋଲିଂକୁ ଦୃଷ୍ଟି ଦେଲେ ଅଭିଜ୍ଞ ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ଏହି ମ୍ୟାଚ୍‌ରେ ଖେଳିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ମାଲିଙ୍ଗା ବ୍ୟକ୍ତିଗତ କାମରେ କିଛିଦିନ ପାଇଁ ସ୍ବଦେଶ ଚାଲି ଯାଇଥିଲେ। ଯଦି ମାଲିଙ୍ଗା ଏହି ମ୍ୟାଚ୍‌ରେ ଖେଳନ୍ତି ତେବେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ଙ୍କୁ ବାନ୍ଧି ରଖିବା ନିମ​‌େ​‌ନ୍ତ ତାଙ୍କ ଉପରେ ମୁଖ୍ୟ ଦାୟିତ୍ବ ରହିବ। ମାଲିଙ୍ଗାଙ୍କ ବ୍ୟତୀତ ସୁରଙ୍ଗା ଲକମଲ୍‌, ଉଦାନା, ପ୍ରଦୀପ ଓ ତିସାରା ପରେରା ପ୍ରମୁଖ ଶ୍ରୀଲଙ୍କା ବୋଲିଂର ମଙ୍ଗ ସମ୍ଭାଳିବେ। ଏହି ବୋଲରମାନେ ଅଷ୍ଟ୍ରେଲିଆ ବିପକ୍ଷରେ କିପରି ବୋଲିଂ କରୁଛନ୍ତି ତାହା ଦେଖିବା କଥା। ମୋଟାମୋଟି ଉପରେ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ପଲା ଭାରି ବୋଲି କୁହାଯାଇ ପାରିବ। ଶ୍ରୀଲଙ୍କାକୁ ପରାସ୍ତ କରି ପୁରା ୨ ପଏଣ୍ଟ ହାସଲ କରିବାକୁ ଅଷ୍ଟ୍ରେଲିଅା ଦଳ ନିଶ୍ଚିତ ଚାହିଁବ।

Comments are closed.