କାଠରେ ଶିଳ୍ପୀଙ୍କ ଚମତ୍କାରିତା: କୋଟିଏ ଟଙ୍କାର ‘ପାର୍ଥସାରଥି’ ରଥ

0

ଭୁବନେଶ୍ୱର: ଆଖିକୁ ଝଲସାଇଦେଲା ଭଳି କାଠରେ ନିର୍ମିତ ହୋଇଛି ମହାଭାରତ କର୍ମକାଣ୍ଡ କାହାଣୀକୁ ନେଇ ‘ପାର୍ଥସାରଥି’ ରଥ। ରଥରେ ଓଡ଼ିଆ ଶିଳ୍ପୀଙ୍କ ନିଖୁଣ କାରୁକାର୍ଯ୍ୟ ପ୍ରସ୍ଫୁଟିତ ହୋଇଛି। ‘ପାର୍ଥସାରଥି’ ରଥ ମୂଲ୍ୟ ପ୍ରାୟ ଏକ କୋଟି ରହିଛି ବୋଲି ପ୍ରସ୍ତରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ କହିଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁରରେ ନିର୍ମିତ ହେବାକୁ ଥିବା ସଂଗ୍ରହାଳୟରେ ଏହା ସ୍ଥାନ ପାଇବ। ଏଥିପାଇଁ ଅଗ୍ରିମ ଦିଆଯାଇଛି ଓ ଖୁବ୍‌ଶୀଘ୍ର ଏହା ସେଠାରେ ଶୋଭା ପାଇବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ମହାଭାରତର କର୍ମକାଣ୍ଡକୁ ନେଇ ‘ପାର୍ଥସାରଥି’ ରଥ ପ୍ରସ୍ତୁତ ହୋଇଛି। ରଥ ଉପରେ ଅର୍ଜୁନ ଗାଣ୍ଡିବ ଧରି ବସିଥିବାବେଳେ ପ୍ରଭୁ ଶ୍ରୀକୃଷ୍ଣ ସାରଥି ସାଜିଛନ୍ତି। ୪ଟି ଚକ ବିଶିଷ୍ଟ ଏହି ରଥର ଚୂଳରେ ହନୁମାନ ବସିଥିବାବେଳେ ରଥକୁ ୪ଟି ଘୋଡ଼ା ଟାଣୁଛନ୍ତି। ୪ଟି ଚକ ସାଙ୍ଗକୁ ରଥର ନିଖୁଣ କାରୁକାର୍ଯ୍ୟ ପ୍ରସ୍ତରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଦିଗ୍‌ଦର୍ଶନରେ ନିର୍ମିତ ‘ପାର୍ଥସାରଥି’ ରଥ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି।
ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତାବ ମିଳିିବା ପରେ କାଠରେ ‘ପାର୍ଥସାରଥି ରଥ’ ନିର୍ମାଣ ପାଇଁ ପ୍ରାୟ ୪୦ବର୍ଷ ତଳର ବିଭିନ୍ନ ପୁରୁଣା କାଠ କଟକରୁ ସଂଗ୍ରହ କରାଯାଇଥିଲା। ଏଥିରେ ୯ଜଣ ଅଭିଜ୍ଞ କାଠଶିଳ୍ପୀଙ୍କୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ସେମାନଙ୍କୁ ୭ବର୍ଷରୁ ଅଧିକ ସମୟ ଲାଗିଛି। ଏବେ ‘ପାର୍ଥସାରଥି ରଥ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଏହାର ପାରିଶ୍ରମିକ ମୂଲ୍ୟ ମିଳିବା ପରେ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave A Reply