ମହିଳା ହକି ବିଶ୍ୱକପ୍‍ : ଭାରତୀୟ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

0

ନୂଆଦିଲ୍ଲୀ : ଇଂଲଣ୍ଡର ଲଣ୍ଡନଠାରେ ଶନିବାରରୁ ଆରମ୍ଭ ହେବାକୁ ଯାଉଛି ମହିଳା ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ ଅଗଷ୍ଟ ୫ ଯାଏ ଚାଲିିବ। ବିଶ୍ୱକପ୍‍ରେ ଭାରତ ସମେତ ୧୬ଟି ଦଳ ଭାଗ ନେଇଛନ୍ତି। ବିଶ୍ୱକପ୍‍ରେ ଭାରତୀୟ ଦଳ କିପରି ପ୍ରଦର୍ଶନ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଶ୍ୱକପ୍‍ରେ ଭାରତୀୟ ଦଳ ପୁଲ୍‍ ବି’ରେ ରହିଛି। ଏହି ପୁଲ୍‍ରେ ଆୟୋଜକ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଆମେରିକା ରହିଥିବା ବେଳେ ପୁଲ୍‍ ଏ’ରେ ଚୀନ୍‍, ଇଟାଲୀ, କୋରିଆ, ନେଦରଲ୍ୟାଣ୍ଡସ୍‍, ପୁଲ୍‍ ସି’ରେ ଆର୍ଜେଣ୍ଟିନା, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ସ୍ପେନ୍‍, ପୁଲ୍‍ ଡି’ରେ ଅଷ୍ଟ୍ରେଲିଆ, ବେଲ୍‍ଜିୟମ, ଜାପାନ ଓ ନ୍ୟୁଜିଲାଣ୍ଡ ରହିଛି। ଭାରତ ନିଜର ପ୍ରଥମ ମ୍ୟାଚ୍‍ ୨୧ରେ ଇଂଲଣ୍ଡ ବିପକ୍ଷରେ, ଦ୍ୱିତୀୟ ମ୍ୟାଚ୍‍ ୨୬ରେ ଆୟର୍ଲାଣ୍ଡ ବିପକ୍ଷରେ ଓ ତୃତୀୟ ମ୍ୟାଚ୍‍ ୨୯ରେ ଆମେରିକା ବିପକ୍ଷରେ ଖେଳିବ। ମହିଳା ବିଶ୍ୱକପ୍‍ ଇତିହାସର ୪୪ ବର୍ଷ ମଧ୍ୟରେ ୧୪ଟି ସଂସ୍କରଣ ଆୟୋଜିତ ହୋଇଛି। ଏଥିମଧ୍ୟରୁ ୭ଟିରେ ଭାରତୀୟ ଦଳ ଖେଳିଛି। ବିଶ୍ୱ ମାନ୍ୟତାରେ ଭାରତର ସ୍ଥାନ ୧୦ମ ହୋଇଥିବା ବେଳେ ଅନ୍ୟ ଏସୀୟ ରାଷ୍ଟ୍ର ଦକ୍ଷିଣ କୋରିଆ ୯ମ ଓ ଚୀନ୍‍ ୮ମ ସ୍ଥାନରେ ରହିଛନ୍ତି। ତେଣୁ ଗ୍ରୁପ୍‍ ପର୍ଯ୍ୟାୟରୁ ନକ୍‍ଆଉଟ୍‍ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ୪ର୍ଥ ସ୍ଥାନରେ ରହିଥିଲା। ତେବେ ବିଶ୍ୱକପ୍‍ରେ ବିଶ୍ୱର ଶକ୍ତିଶାଳୀ ଦଳମାନେ ଭାଗ ନେଉଥିବାରୁ ଭାରତୀୟ ଦଳ ପାଇଁ ବିଜୟ ପଥ ଏତେଟା ସୁଗମ ନୁହେଁ। ବିଶେଷ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ରୋଞ୍ଜ୍‍ ପଦକ ନିମନ୍ତେ ଖେଳାଯାଇଥିôବା ମ୍ୟାଚ୍‍ରେ ଭାରତୀୟ ଦଳ ଇଂଲଣ୍ଡଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେଣୁ ବିଶ୍ୱକପ୍‍ରେ ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‍ରେ ଇଂଲଣ୍ଡ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବାର କଥା। ଭାରତୀୟ ମହିଳା ଦଳ ୧୯୭୪ ବିଶ୍ୱକପ୍‍ରେ ୪ର୍ଥ ସ୍ଥାନ ହାସଲ କରିଥିଲା। ସେହିପରି ୧୯୮୦ ମସ୍କୋ ଅଲିମ୍ପିକ୍‍ରେ ଦଳ ୪ର୍ଥ ସ୍ଥାନରେ ରହିଥିଲା। ୧୯୮୨ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।
୧୯୭୮ ବିଶ୍ୱକପ୍‍ରେ ଭାରତ ୭ମ, ୧୯୮୩ରେ ୧୧ତମ, ୧୯୯୮ରେ ୧୨ତମ, ୨୦୦୬ରେ ୧୧ତମ ଓ ୨୦୧୦ରେ ୯ମ ସ୍ଥାନରେ ରହିଥିଲା। ଚଳିତ ବିଶ୍ୱକପ୍‍ରେ ଭାଗ ନେଇଥିବା ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ୍‍ ଓ ବରିଷ୍ଠ ଖେଳାଳି ଦୀପିକା ପୂର୍ବରୁ ବିଶ୍ୱକପ୍‍ ଖେଳିଥିବା ବେଳେ ଅନ୍ୟ ଖେଳାଳିମାନଙ୍କ ନିକଟରେ ବିଶ୍ୱକପ୍‍ ଖେଳିବାର ଅଭିଜ୍ଞତା ନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଖେଳାଳିମାନେ କିଭଳି ଭାବେ ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏପର୍ଯ୍ୟନ୍ତ ଭାରତୀୟ ଦଳ ବିଶ୍ୱକପ୍‍ରେ ମୋଟ୍‍ ୩୯ଟି ମ୍ୟାଚ୍‍ ଖେଳିଥିବା ବେଳେ ୯ଟିରେ ବିଜୟୀ ହୋଇଥିବା ବେଳେ ୨୭ଟିରେ ପରାଜିତ ହୋଇଛି। ସେହିପରି ଦଳ ୩ଟି ମ୍ୟାଚ୍‍ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ଦଳ ୪୮ଟି ଗୋଲ୍‍ ସ୍କୋର କରିଥିବା ବେଳେ ୮୭ଟି ଗୋଲ୍‍ ବରଣ କରିଛି। ଚଳିତ ବିଶ୍ୱକପ୍‍ର ସେମିଫାଇନାଲ ମ୍ୟାଚ୍‍ ଦୁଇଟି ଅଗଷ୍ଟ ୪ରେ ଖେଳାଯିବ। ସେହିପରି ବ୍ରୋଞ୍ଜ୍‍ ପଦକ ନିମନ୍ତେ ମ୍ୟାଚ୍‍ ଓ ଫାଇଡ଼ାଲ ମ୍ୟାଚ୍‍ ଅଗଷ୍ଟ ୫ରେ ଖେଳାଯିବ।

Leave A Reply