ଆଜିଠୁ ବିଧାନସଭା : ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ବିଜେଡି, ବିଜେପି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ୱର :  ଆଜିଠାରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ। ଶୀତ ଅଧିବେଶନ ବୁଧବାର ନଭେମ୍ବର ୧୩ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ଅବଧି ଭିତରେ ଏଥର ବିଧନସଭାରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରେ ରହିଛି ୨୫ଟି ସରକାରୀ କାର୍ଯ୍ୟ ଏବଂ ପାଞ୍ଚଟି ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ। ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସରେ ବିଲ୍‌ ଓ ସଂକଳ୍ପ ଆଗତ ହେବ ବୋଲି ସ୍ଥିର ହୋଇଛି। ଏଥର ଅଧିବେଶନରେ ସରକାରୀ ଦଳ ଓ ବିରୋଧୀ ପରସ୍ପରକୁ ଘେରିବା ପାଇଁ ସେମାନଙ୍କ ରଣକୌଶଳ ତିଆରି କରିଛନ୍ତି। ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି  ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ପକ୍ଷରୁ ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି।
ଚଳିତ ଥର ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଧାନସଭା ପରିସରରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିବ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି। ବିଧାନସଭା ଲବି କ୍ୟାଣ୍ଟିନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଡ଼୍ରେସ କୋଡ଼ ପ୍ରଚଳନ ହୋଇଥିବା ବେଳେ ଏଥର ପ୍ରଥମ କରି କଫି ବାର ବ୍ୟବସ୍ଥା ହୋଇଛି। ବିଧାନସଭା ସଭ୍ୟମାନଙ୍କୁ ଏଠାରେ ମାଗଣାରେ କଫି ପ୍ରଦାନ କରାଯିବ।
ପ୍ରଥମ ଦିନରେ ୨୦୧୯-୨୦ ମସିହା ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ। ପୂର୍ବାହ୍ନରେ ଦିବଙ୍ଗତ ସଭ୍ୟ ଏବଂ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବା ସହିତ ପ୍ରଶ୍ନକାଳ ମଧ୍ୟ ରହିଛି। ଆସନ୍ତା ୨୦ତାରିଖରୁ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ତିନିଦିନ ଆଲୋଚନା ପରେ ୨୫ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିନିୟୋଗ ବା ବ୍ୟୟମଞ୍ଜୁରୀ ବିଲ ଆଗତ କରାଯିବ।
ପଞ୍ଚମ ପାଳି ସରକାରକୁ ଆସିବା ପରେ ରାଜ୍ୟ ସରକାର ପାଞ୍ଚ-ଟି ମନ୍ତ୍ର ଆଧାରରେ ସରକାରୀ ଯୋଜନାକୁ ଅଧିକ କ୍ରୀୟାଶୀଳ କରିବାକୁ ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକ ପାଞ୍ଚ-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ମୋ ସରକାର କାର୍ଯ୍ୟକ୍ରମରେ ରହିଥିବା ଛିଦ୍ର ପଦାକୁ ଆଣିବା ପାଇଁ ତତ୍ପର ହେଲେଣି।
ରାଜ୍ୟରେ ​​‌ଯୌନ‌ ନିର୍ଯାତନା ଘଟଣାକୁ ନେଇ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ବିରୋଧୀ ପ୍ରସଙ୍ଗ କରିବାର ଯୋଜନା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସନ୍ଦେହ ଘେରରେ ଥିବା ଯାଜପୁରରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ମୃତ୍ୟୁ ଘଟଣା, କେନ୍ଦ୍ରାପଡ଼ା କ୍ରେଡ଼ିଟ କୋପରେଟିଭ ସୋସାଇଟି ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ, ରତ୍ନଭଣ୍ଡାର ଚାବି ହଜିବା ଘଟଣା, ବିଚାର ବିଭାଗୀୟ କମିଶନଙ୍କ ରିପୋର୍ଟ ଉପସ୍ଥାପନରେ ବିଳମ୍ବ , ଫଣି ବିପନ୍ନଙ୍କୁ ସହାୟତା ପ୍ରଦାନରେ କାଳବିଳମ୍ବ ନୀତି ଓ ଅନିୟମିତତା ଆଦି ଘଟଣାକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ବିଜେପି ବିଧାୟକ ଦଳ ବୈଠକରେ ଏଥିନେଇ ରଣନୀତି ସ୍ଥିର ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ଅନୁରୂପ ଭାବେ କଂଗ୍ରେସ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା, ରାଜ୍ୟରେ ଆଇନଶୃଙ୍ଖଳାରେ ଅଧୋଗତି, ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରଙ୍କ ଘେରିବାର ଯୋଜନା ରଖିଛି।
ସୂଚନାଯୋଗ୍ୟ ଯେ ବିଜେପୁର ଉପନିର୍ବାଚନରେ ବିଜେଡ଼ି ସଭ୍ୟ ରୀତା ସାହୁଙ୍କ ବିଜୟ ପରେ ଏଥର ବିଧାନସଭାରେ ବିଜେଡ଼ି ସଭ୍ୟଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଥିବାବେଳେ ୨୩ ସଭ୍ୟଙ୍କ ସହିତ ବିଜେପି ମୁଖ୍ୟ ବରୋଧୀ ଦଳ ଭାବେ କାର୍ଯ୍ୟଭାର ତୁଲାଉଛି। ଗତ ଥର ପ୍ରମୁଖ ବିରୋଧୀ ଦଳ ଥିବା କଂଗ୍ରେସ ସଭ୍ୟ ସଂଖ୍ୟା ଏଥର ୯କୁ ଖସିଆସିଥିଲେ ହେଁ ଦଳର ସଭ୍ୟମାନେ ଖୁବ୍ ପ୍ରଭାବୀ ଢ଼ଙ୍ଗରେ ଗୃହରେ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପସ୍ଥାପନ କରୁଥିବା ଲକ୍ଷ୍ୟ କରାଯାଉଛି।
ଶୀତ ଅଧିବେଶନରେ ଶାସକ ଦଳ ବିରୋଧୀଙ୍କୁ କିପ ରି ମୁକାବିଲା କରିବ ସେଥିନେଇ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହେବାକୁ ଥିବାବେଳେ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉତଥାପନ କରିବେ ସେସବୁର ଉପଯୁକ୍ତ ଉତ୍ତର ଦିଆଯିବ ବୋଲି ବୋଲି ଦଳ ପକ୍ଷରୁ କୁହାଯାଇଛି।

Comments are closed.