୧୩ରୁ ବିଧାନସଭା – କାଲି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଚଳିତମାସ ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେଉଛି। ଏ ନେଇ ରଣନୀତି ପ୍ରସ୍ତୁତ ଉଦ୍ଦେଶ୍ୟରେ ଆସନ୍ତାକାଲି ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବାଲାଗି ସବୁ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ୍‍ର ରୂପରେଖ ନେଇ ଆଲୋଚନା କରାଯିବ। ଏହି ଅଧିବେଶନରେ ସରକାର ଅତିରିକ୍ତ ବଜେଟ୍‍ ଆଗତ କରିବାକୁ ଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏ ସମ୍ପର୍କିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଗୃହୀତ କରାଯିବ ବୋଲି ସୂଚନା ମିଳିଛି। ଏଥିସହ କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପାଇଁ ମଞ୍ଜୁର ହେବାକୁ ଥିବା ବଜେଟ୍‍ ସମ୍ପର୍କରେ ସଂପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ଜଣାପଡିଛି।

ଏହି ଅଧିବେଶନ କାଳରେ ବିରୋଧୀ ଦଳ ପକ୍ଷରୁ ଚାଷୀ ପ୍ରସଙ୍ଗ, ସ୍ମିତାରାଣୀ ହତ୍ୟାକାଣ୍ଡ ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ସରକାରଙ୍କୁ ବିବୃତି ରଖିବାକୁ ଜୋରଦାର ଦାବି ଉପସ୍ଥାପନ କରାଯିବା ନେଇ ସ୍ଥିର ହୋଇଥିବା ଜଣାପଡିଛି।

Comments are closed.