ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

0

ଭୁବନେଶ୍ୱର  : ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ବିଧାନସଭାର ଶୀତ ଅଧିବେଶନକୁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପଞ୍ଚଦଶ ବିଧାନସଭାର ଚତୁର୍ଦଶ ଅଧିବେଶନ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା। ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହା ବସିବା ନେଇ ବିଧାନସଭା ସଚିବାଳୟ ପର୍ଯ୍ୟରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ମୋଟ ୨୩ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଛି। ଚଳିତ ଅଧିବେଶନରେ ମୋଟ ୫ଦିନ ବୈଠକ ବସିଥିଲା। ଅଧିବେଶନ କାଳରେ ଗୋଟିଏ ବି ବିଧେୟକ ଉପସ୍ଥାନ କରାଯାଇ ନଥିଲା। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ କେବଳ ବିଧାନସଭା ଓ ସଂସଦରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ନେଇ ଗୃହରେ ସଙ୍କଳ୍ପ ପାରିତ ହୋଇଥିଲା। ଅଧିବେଶନ ବନ୍ଦ ରଖିବା ପାଇଁ ଆଜି ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ଓ ବିଜେପିର ବିଧାୟକମାନେ ସହମତ ହୋଇନଥିଲେ। ଏହାସତ୍ତ୍ବେ ଗୃହ ମୁଲତବୀ ନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତାବ ଆସିବାରୁ ଏହାର ପ୍ରତିବାଦ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ଅପରାହ୍ଣ ଅଧିବେଶନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିଶେଷ ସରକାରୀ
କାର୍ଯ୍ୟ ନଥିବାରୁ ଗୃହ ମୁଲତବୀ ରଖିବା ନେଇ ଆଲୋଚନା ହୋଇଥିଲା। ବିରୋଧୀ ଏଥିରେ ରାଜି ହୋଇନଥିଲେ। ବୈଠକ ପରେ ବିଧାନସଭା ମୁଲତବୀ ରଖିବାକୁ ସରକାରୀ ଦଳ ବିଧାୟକ ମହେଶ ସାହୁ ପ୍ରସ୍ତାବ ଦେଇଥିଲେ। ବିଧାୟକ ଅଶ୍ୱିନୀକୁମାର ପାତ୍ର ଏହାକୁ ସମର୍ଥନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଥିଲେ, ଗୃହରେ ଯାହା କାର୍ଯ୍ୟ ଥିଲା ଶେଷ ହୋଇଛି। କାର୍ଯ୍ୟକାଳ କମାଇବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିବାକୁ ସେ କହିଥିଲେ। ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପ୍ରସ୍ତାବ ଆଣିଥିଲେ ଏବଂ ଏହା ପାରିତ ହୋଇଥିଲା। ବାଚସ୍ପତି ପ୍ରଦୀପକୁମାର ଅମାତ ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଗୃହ କାର୍ଯ୍ୟ ସମ୍ପାଦନରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି, ଉପ ବାଚସ୍ପତି, ବିରୋଧୀ ଦଳ ନେତା, ବିଧାନସଭା ସଚିବାଳୟ କର୍ମଚାରୀ, ସରକାରୀ କର୍ମଚାରୀ, ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏବଂ ସମ୍ବାଦ ପରିବେଷଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଧିବେଶନ କାଳରେ ମହିଳାଙ୍କ ପାଇଁ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ସଙ୍କଳ୍ପ ପାରିତ ହୋଇଥିବା କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଡିସେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଗୃହ ଚାଲିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ମାତ୍ର ୫ଦିନ ବୈଠକ ବସିଛି। ଏହି ୫ଦିନ ମଧ୍ୟ ଠିକ ଭାବେ ବ୍ୟବହାର କରାଯାଇ ପାରିନାହିଁ। କୌଣସି ସରକାରୀ କାର୍ଯ୍ୟ ନଥିବା କୁହାଯାଇଥିଲେ ମଧ୍ୟ ବିରୋଧୀଙ୍କର ଅନେକ ପ୍ରସଙ୍ଗ ରହିଥିଲା। ଯାହା ଆଲୋଚନା ହୋଇପାରିଥାନ୍ତା। ସେ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଗୃହର ମଧ୍ୟ ଭାଗକୁ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କରମର୍ଦ୍ଦନ କରିବା ସହ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଦୀପ ମହାରଥୀ ଓ ମହେଶ୍ୱର ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଚଳିତ ଅଧିବେଶନରେ ବସିଥିବା ୫ଦିନ ବୈଠକରୁ ୪ଦିନ ସରକାରୀ କାର୍ଯ୍ୟ ଦିବସ ଏବଂ ଗୋଟିଏ ଦିନ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ ରହିଥିଲା। ପାଞ୍ଚ ଜଣଙ୍କ ବିୟୋଗରେ ଶୋକପ୍ରସ୍ତାବ ପାରିତ ହୋଇଥିବା ବେଳେ ଗୋଟିଏ ସଙ୍କଳ୍ପ ଗୃହୀତ ହୋଇଥିଲା। ୩୭୪ଟି ତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରାଯାଇଥିଲା। ସେଥିରୁ ମାତ୍ର ୬ଟିର ମୌଖିକ ଉତ୍ତର ପ୍ରଦାନ କରାଯାଇଥିଲା। ୫୫୦ଟି ଅଣତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରାଯାଇଥିବା ସମୟରେ ୬୮୩ଟିର ଉତ୍ତର ଦିଆଯାଇଛି। ୫ଟି ମୁଲତବୀ ପ୍ରସ୍ତାବର ନୋଟସି ଗ୍ରହଣ କରାଯାଇ ସେଥିରୁ ୨ଟି ଉପରେ ଆଲୋଚନା ହୋଇଥିଲା। ମୋଟ ୮ଟି ଦୃଷ୍ଟି ଆକର୍ଷଣକାରୀ ନୋଟିସ ଗ୍ରହଣ କରାଯାଇଥିଲା। ୧୧୭ଟି କାଗଜ, ଚାରିଟି ବାର୍ଷିକ ରିପୋର୍ଟ, ୨ଟି କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା।

Leave A Reply