ପ୍ରଥମେ କେନ୍ଦ୍ର ଅଭିଯୋଗର ବିଚାର ହେବ – ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ରାଫେଲ୍‍ ଯୁଦ୍ଧ ବିମାନ କିଣା ମାମଲାରେ ପ୍ରଥମେ କେନ୍ଦ୍ର ସରକାର ଉତ୍ଥାପନ କରିଥିବା ପ୍ରାଥମିକ ଅଭିଯୋଗଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ଓ ପରେ ତଥ୍ୟ ଉପରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଉତ୍ଥାପନ କରିଥିବା ପ୍ରାଥମିକ ଅଭିଯୋଗଗୁଡ଼ିକ ଉପରେ ଶୁଣାଣି ଶେଷ କରିଛନ୍ତି। ବେଆଇନ୍‍ ଭାବେ ସଂଗ୍ରହ କରାଯାଇଥିବା ବିଶେଷ ଦସ୍ତାବିଜ୍‍ଗୁଡ଼ିକ ଉପରେ ଆବେଦନକାରୀମାନେ ନିର୍ଭର କରି ରିଭ୍ୟୁ ପିଟିସନ୍‍ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସରକାର କହିଥିଲେ। ଏ ବିଷୟରେ କେବେ ନିର୍ଦ୍ଦେଶ ଜାରି ହେବ ତାହା ପରେ ଜଣାପଡ଼ିବ। ପ୍ରଘଟ ହୋଇଥିବା ଦସ୍ତାବିଜ୍‍ କୋର୍ଟରେ ଗ୍ରହଣ ଯୋଗ୍ୟ ହେବା ନେଇ ସରକାର କରିଥିବା ପ୍ରାଥମିକ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ଖଣ୍ଡପୀଠ ଆବେଦନକାରୀମାନଙ୍କୁ କହିଛନ୍ତି। ଆଟର୍ଣ୍ଣି ଜେନେରାଲ୍‍ କେ.କେ. ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ରାଫେଲ୍‍ ଯୁଦ୍ଧ ବିମାନ କିଣା ସମ୍ବନ୍ଧୀୟ ଦସ୍ତାବିଜ୍‍ଗୁଡ଼ିକ ଦେଶର ସୁରକ୍ଷା ସମ୍ପର୍କିତ ଦସ୍ତାବିଜ୍‍ ବୋଲି ଅଭିହିତ କରି ସେଗୁଡ଼ିକୁ ସମ୍ପୃକ୍ତ ବିଭାଗଗୁଡ଼ିକର ଅନୁମତି ବିନା କେହି କୋର୍ଟରେ ଦାଖଲ କରିପାରିବେ ନାହିଁ ବୋଲି କହିଥିଲେ। ଏହି ମାମଲାରେ ଆବେଦନକାରୀ ଥିବା ଓକିଲ ପ୍ରଶାନ୍ତ ଭୂଷଣ ଏହାର ବିରୋଧ କରିଥିଲେ ଓ ରାଫେଲ୍‍ ବୁଝାମଣା ସମ୍ବନ୍ଧୀୟ ଦସ୍ତାବିଜ୍‍ଗୁଡ଼ିକ ସର୍ବସାଧାରଣରେ ପ୍ରକାଶିତ ହୋଇସାରିଛି ବୋଲି କହିଥିଲେ।

Leave A Reply