ଅଣ୍ଡା ନଦେବାରୁ ସ୍ବାମୀକୁ ଛାଡି, ପ୍ରେମିକ ସାଙ୍ଗରେ ଫେରାର ହୋଇଗଲେ ମହିଳା

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁରସ୍ଥିତ ଏକ ଗାଁରେ ଅଜବ ଘଟଣା ଘଟିଛି। ନିୟମିତ ଅଣ୍ଡା ଖାଇବାକୁ ନ ଦେବାରୁ ଜଣେ ମହିଳା ସ୍ବାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି। ଚାରି ମାସ ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଏପରି ପଦକ୍ଷେପ ନେଇଥିଲେ। ଫେରିଲା ପରେ ମହିଳା ଜଣଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ସେ କହିଥିଲେ ଯେ, ତାଙ୍କ ସ୍ବାମୀ ତାଙ୍କୁ ନିୟମିତ ଭାବରେ ଅଣ୍ଡା ଖାଇବାକୁ ଦେଉନାହାଁନ୍ତି।

ପୁଣି ଗତ କିଛି ଦିନ ମଧ୍ୟରେ ମହିଳା ଜଣଙ୍କ ସ୍ବାମୀଙ୍କ ସହ ଝଗଡା କରି ଫେରାର ହୋଇ ଯାଇଛନ୍ତି। ତାଙ୍କ ପ୍ରେମିକ ଘରେ ନ ଥିବାରୁ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଫେରାର ହୋଇଥିବା ସନ୍ଦେହ କରି ନିରୂପାୟ ସ୍ବାମୀ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଏହା ସହ ମହିଳା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ନଣନ୍ଦକୁ ମଧ୍ୟ ନିଜ ସହ ସାଙ୍ଗରେ ନେଇଥିବା ଅଭିଯୋଗ ହୋଇଛି।

କମ୍ପିୟରଗଞ୍ଜ ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ସ୍ବାମୀ ଶ୍ରମିକ ଭାବରେ କାର୍ଯ୍ୟ କରି ଜୀବନଯାପନ କରନ୍ତି। ଉଭୟ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ। ଗତ ଏକ ବର୍ଷ ହେବ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତ ଚାରି ମାସ ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଉକ୍ତ ଯୁବକ ସହ ଫେରାର ହୋଇଯାଇଥିଲେ।

ପୁଲିସ ଛାନଭିନ୍‌ କରି ଉକ୍ତ ମହିଳାଙ୍କୁ ଧରିବା ପରେ ଜଣାପଡିଥିଲା ଯେ, ତାଙ୍କ ସ୍ବାମୀ ତାଙ୍କୁ ନିୟମିତ ଅଣ୍ଡା ଖାଇବାକୁ ଦେଉ ନାହାନ୍ତି। କିନ୍ତୁ ତାଙ୍କ ପ୍ରେମିକ ଏଦିଗ ପ୍ରତି ସଚେତନ ଥାଆନ୍ତି। ଏଥର ମଧ୍ୟ ଏହି କାରଣରୁ ତାଙ୍କ ପ୍ରେମିକ ସହ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ସାଙ୍ଗରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନଣନ୍ଦକୁ କାହିଁକି ନେଇ ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.