ଗଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ

0

ଚଳିତ ବର୍ଷ ଦେଶ ୬୯ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହା ଆମ ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ ହେଉଛି ଗୋଟିଏ । ଏହି ଦିନ ଦିଲ୍ଲୀରେ ସ୍ବତନ୍ତ୍ର ପ୍ୟାରେଡର ଆୟୋଜନ କରାଯାଏ । କାର୍ଯ୍ୟକ୍ରମ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ପତକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥାଆନ୍ତି ।

ଭାରତର ଦୀର୍ଘ ଦିନ ଧରି ବ୍ରିଟିଶ ଶାସନାଧୀନ ରହିବା ପରେ ସାରା ଦେଶରେ ପ୍ରବଳ ଜନଆନ୍ଦୋଳନ ଆରମ୍ଭ ହୋଇଥିଲା। ଅନେକ ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳି ଦେଲେ , ଅନେକ ଫାଶୀ ଖୁଣ୍ଟରେ ଝୁଲିଲେ । ଶେଷରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା । ସ୍ବାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ଅନୁମୋଦନ ହୋଇଥିଲେ । ପରେ ଭାରତ ଗଣତାନ୍ତ୍ରିକ ଗଣରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା। ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ଦିବସ ପାଳନ କରିବା ଏକ ସମ୍ମାନର ବିଷୟ ।

ସମସ୍ତ ରାଜ୍ୟର ରାଜଧାନୀରେ ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉ ଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବଡ ଆଡମ୍ବର ସହକାରେ ପାଳନ କରାଯାଏ । ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହ ପାଇଁ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏହି ସମାରୋହରେ ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ । ବିଭିନ୍ନ ରାଜ୍ୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଜ୍ଞାପନ ମେଢ ପ୍ୟାରେଡରେ ସାମିଲ ହୋଇଥାଏ । ଭାରତୀୟ ପ୍ରତିରକ୍ଷା ଓ ସଂସ୍କୃତିକ ବିବିଧତାର ପ୍ରତିଛବି ରାଜପଥରେ ଦେଖିବାକୁ ମିଳିଥାଏ । ଏହା ପରେ ଜଳ, ସ୍ଥଳ ଓ ବାୟୁ ସେନାର ଯବାନମାନଙ୍କ ପ୍ୟାରେଡ ଏବଂ ବିଭିନ୍ନ ଦୁଃସାହାସିକ କୌଶଳ ପ୍ରଦର୍ଶନ କରାଯାଇଥାଏ । ଗଣତନ୍ତ୍ର ଦିବସର ୩ ଦିନ ପରେ ଜାନୁଆରୀ ୨୯ରେ ଜାତୀୟ ପତକା ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଆଲେଖ୍ୟ – ବୈଜୟନ୍ତୀ ନାୟକ

Leave A Reply