ଜୁଲାଇ ପାଇକାରୀ ମୁଦ୍ରାସ୍ଫୀତି ୧.୦୮%କୁ ହ୍ରାସ, ଜାଣନ୍ତୁ କେଉଁ ସାମଗ୍ରୀର କମିଲା ଦାମ

ନୂଆଦିଲ୍ଲୀ : ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୨୫ ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି କ୍ରମରେ ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୧.୦୮% ରହିଛି। ଗତ ଜୁନ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୦୨% ଥିଲା। ଏହା ପୂର୍ବରୁ ୨୦୧୮ ଜୁଲାଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୨୭% ଥିଲା।

ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଅନୁସାରେ ଜୁଲାଇରେ ଖଦ୍ୟ-ପାନୀୟ ଦ୍ରବ୍ୟର ପାଇକାରୀ ମୁଦ୍ରାସ୍ଫୀତି ୫.୦୪%ରୁ ହ୍ରାସ ପାଇ ୪.୫୪% ରହିଛି। ସେହିପରି ପ୍ରାଇମେରୀ ଆର୍ଟିକିଲ୍ସ (ଇନ୍ଧନ ଏବଂ ଶକ୍ତି, ବିନିର୍ମାଣ ଉତ୍ପାଦ, ଖାଦ୍ୟ ପଦାର୍ଥ) ପାଇକାରୀ ମୁଦ୍ରାସ୍ଫୀତି ମଇ ମାସର ୬.୭୨%ରୁ ହ୍ରାସ ପାଇ ୫.୦୩%ରେ ପହଞ୍ଚିଛି। ଜୁଲାଇରେ ଡାଲି ପାଇକାରୀ ମୁସ୍ରାସ୍ଫୀତି ମଇର ୨୩.୦୬%ରୁ ହ୍ରାସ ପାଇ ୨୦.୦୮%ରେ ପହଞ୍ଚିଛି। ଅନୁରୂପ ଭାବେ ପିଆଜର ଦରଦାମ ଜୁନର ୧୬.୬୩%ରୁ ହ୍ରାସ ପାଇ ୭.୬୩%କୁ ଆସିଯାଇଛି।
ଖାଦ୍ୟ ସାମଗ୍ରୀ ଦର ସାମାନ୍ୟ ଉଚ୍ଚ ରହିବା ସତ୍ତ୍ବେ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୩.୧୫% ରହିଛି। ସରକାରଙ୍କ ଦ୍ୱାରା ମଙ୍ଗଳବାର ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତି ଜୁନରେ ୩.୧୮% ଥିଲା। ୨୦୧୮ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୪.୧୭% ଥିଲା।
କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଅନୁସାରେ ଖାଦ୍ୟ ପଦାର୍ଥ ଦରଦାମ ଜୁନରେ ୨.୨୫% ଥିଲା ବେଳେ ଜୁଲାଇରେ ସାମାନ୍ୟ ବୃଦ୍ଧି ପାଇ ୨.୩୬%ରେ ପହଞ୍ଚିଛି। ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ସନ୍ତୋଷଜନକସ୍ତରଠାରୁ ତଳେ ରହିଛି। ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ଖୁଚୁରା ମୁଦ୍ରାସ୍ଫୀତି ୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଦେଇଛନ୍ତି। ଆରବିଆଇ ମୁଦ୍ରାନୀତି ସମୀକ୍ଷା ବେଳେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ନଜର ରଖିଥାଏ।

Comments are closed.