ବଲାଙ୍ଗୀର ସାଂସଦ କିଏ? ସଙ୍ଗୀତା ନା କଳିକେଶ, ସରକାରୀ ଚିଠିରୁ ଉପୁଜିଛି ଦ୍ୱନ୍ଦ

ବଲାଙ୍ଗୀର:ଆଜକୁ ପ୍ରାୟ ୪ ମାସ ପୂର୍ବେ ଅର୍ଥାତ ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଦିଅର କଳିକେଶ ନାରାୟଣ ସିଂହଦେଓଙ୍କୁ ନିର୍ବାଚନ ମଇଦାନରେ ମାତ ଦେଇଥିଲେ। ଏହାରି ଭିତରେ ବଲାଙ୍ଗୀରରୁ ଲୋକସଭାକୁ ନିର୍ବାଚିତ ହୋଇ ଶପଥ ଗ୍ରହଣ ଓ ଗୋଟିଏ ସଂସଦୀୟ ଅଧିବେଶନ ଶେଷ ହୋଇସାରିଛି। ସଂସଦର ବିଭିନ୍ନ କମିଟିରେ ଶ୍ରୀମତି ସିଂହଦେଓ ସ୍ଥାନ ମଧ୍ୟ ପାଇଛନ୍ତି। ହେଲେ ଓଡିଶା ସରକାରଙ୍କ ପାଇଁ ଏବେ ମଧ୍ୟ କଳିକେଶ ବଲାଙ୍ଗୀର ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହା କୌଣସି ବ୍ୟକ୍ତି ବିଶେଷ ନୁହଁନ୍ତି ବରଂ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଚିଠି କହୁଛି। ଯାହା ଫଳରେ ବଲାଙ୍ଗୀର ଲୋକସଭା କ୍ଷେତ୍ରର ପ୍ରତିନିଧି କିଏ? ବୋଲି ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳି ଦ୍ୱନ୍ଦ ଖୋଦ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ସୃଷ୍ଟି କରିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଗତ ଅଗଷ୍ଟ ୩୦ ତାରିଖରେ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ଉଭୟ ବଲାଙ୍ଗିର ଓ ସୋନପୁର ଜିଲାରେ ହୋଇଥିବା ବନ୍ୟା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଏହା ସହ ଲକ୍ଷ୍ମୀଯୋର ପ୍ରକଳ୍ପ ନିର୍ମାଣରେ ତ୍ରୁଟି ହୋଇଥିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୂର୍ବ ସାଂସଦ ଶ୍ରୀ ସିଂହଦେଓ ତାଙ୍କ ଲେଟର ପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯେଉଁଥିରେ ସେ ସାଂସଦ ଥିବା ଓ ବିଭିନ୍ନ କମିଟିରେ ସ୍ଥାନ ପାଇଥିବା ସୂଚୀ ରହିଛି। ଅନ୍ୟପକ୍ଷରେ ଏହି ଚିଠି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ହସ୍ତକ୍ଷେପ କରିଥିବା ଜଣାପଡିଛି। ଯେଉଁଥି ପାଇଁ କଳିକେଶଙ୍କ ଅଭିଯୋଗ ଆଧାରରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର ପଟ୍ଟନାୟକ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରତିଟି ପଦକ୍ଷେପ ଉପରେ ଶ୍ରୀ ସିଂହଦେଓଙ୍କୁ ଅବଗତ କରାଯାଇଛି। ତେବେ ସେ ଯାହା ହେଉ, ରାଜ୍ୟ ସରକାର କିଏ ସାଂସଦ ଓ ପୂର୍ବତନ ସାଂସଦ ତାହା ମଧ୍ୟ ଖବର ରଖୁନଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରିଛି। ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କ ଠାରେ ଯଦି ଏତିକି ସୂଚନା ନାହିଁ ତାହା ହେଲେ ଶାସନ କାର୍ୟ୍ୟରେ କେତେ ସଠିକ ଓ ମାର୍ଜିତ ରହୁଥିବ ତାହା ସହଜରେ ଅନୁମାନ କରାଯାଇପାରେ।

Comments are closed.