ହ୍ବାଟସ୍‌ଆପ୍‌ର ନୂତନ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ହ୍ବାଟ୍‌ସ ଆପ୍‌ର ପ୍ରଭାବ ଏବେ ସବୁଠୁ ଅଧିକ ତଥା ପ୍ରାବଲ୍ୟ। ଭାରତରେ ହ୍ବାଟସ୍ ଆପ୍‌ ବ୍ୟବହାରୀଙ୍କ ସଂଖ୍ୟା ଏବେ ୨୦ କୋଟିରୁ ଅଧିକ। ସାମାଜିକ ଗଣମାଧ୍ୟମ ଯେଭଳି ବିତର୍କ, ଭାବ ଆଦାନପ୍ରଦାନ, ଫଟୋ ପ୍ରେରଣ ଆଦିର ପ୍ରମୁଖ ମଞ୍ଚ ପାଲଟିଛି, ଅନୁରୂପ ଭାବେ ଅନେକ ଅଯଥା ସମାଲୋଚନା ଓ ବିବାଦୀୟ ବିତର୍କିତ ପ୍ରସଙ୍ଗ ବ୍ୟବହାରକାରୀଙ୍କୁ ଅନେକ ସମୟରେ ଭାରାକ୍ରାନ୍ତ ବି କରୁଛି। ଅପରିଚିତ, ଅବାଞ୍ଛିତ ତଥା ଅନିଚ୍ଛୁକ ବ୍ୟକ୍ତି ତଥା ଗ୍ରୁପ୍‌ ସଂଯୋଗ ଦ୍ବାରା ବ୍ୟବହାରକାରୀ(ୟୁଜର୍ସ) ପାଇଁ ଏହା ମଧ୍ୟ ବିରକ୍ତିକର ହୋଇପଡୁଛି। ଯଦିଓ ପରବର୍ତ୍ତୀ ସମୟରେ ଜଣେ ୟୁଜର୍ସ ନୂଆ ଫ୍ରେଣ୍ଡକୁ ଡିଲିଟ୍‌ କରିପାରୁଛି, ତଥା ଗ୍ରୁପ୍‌ରୁ ନିଜକୁ ବାହାର (ଲେଫ୍ଟ) କରିବାର ସୁବିଧା ରହିଛି, ତଥାପି ବିନା ଅନୁମତିରେ ଏଭଳି ଗ୍ରୁପ୍‌ ତଥା ବ୍ୟକ୍ତି ସହ ଯୋଡି ହେବାକୁ ଚାହୁଁନଥିବା ବ୍ୟବହାରକାରୀଙ୍କ ଲାଗି ଏବେ ଏକ ସୁଖବର ଆଣିଛି ହ୍ବାଟସ୍‌ଆପ୍‌। କାରଣ ହ୍ବାଟସ୍ ଆପ୍‌ ବ୍ୟବହାରକାରୀଙ୍କ ଲାଗି ଏକ ନୂତନ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ସଂସ୍ଥା। ଆଗରୁ ଥରକରେ ଅସୀମିତ ବ୍ୟବହାରକାରୀଙ୍କ ନିକଟକୁ ଭିଡ଼ିଓ, ବାର୍ତ୍ତା ପଠାଇବା ବ୍ୟବସ୍ଥା ବଦଳାଯାଇଛି। କିଛି ମାସ ତଳେ ଜଣେ ୟୁଜର୍ସ କେବଳ ଥରକରେ ମାତ୍ର ୫ ଜଣଙ୍କ ନିକଟକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା। ଏବେ କିନ୍ତୁ ଜଣେ ୟୁଜର୍ସ ସହ ରହିବା ଲାଗି ଜଣେ ବ୍ୟବହାରକାରୀ କିମ୍ବା ଗ୍ରୁପ୍‌କୁ ଏଣିକି ଅନୁମତି ନେବାକୁ ହେବ। ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଜଣେ ବ୍ୟବହାରକାରୀକୁ ଯେକୌଣସି ବ୍ୟକ୍ତି ତଥା ଗ୍ରୁପ୍‌ରେ ବିନା ଅନୁମତିରେ ଫ୍ରେଣ୍ଡଲିଷ୍ଟରେ ସାମିଲ ତଥା ସଂଯୋଗ କରିବାର ସୁଯୋଗ ରହିଥିଲା। ଏଥିପାଇଁ ସଂପୃକ୍ତ ବ୍ୟବହାରକାରୀଙ୍କ କୌଣସି ଅନୁମତି ନେବାକୁ ତଥା ପ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବାକୁ ପଡୁ ନଥିଲା। କେବଳ ନମ୍ବରକୁ ଷ୍ଟୋରକରି ହ୍ବାଟସ୍ ଆପ୍‌ରେ ଜଣେ ଅନ୍ୟଜଣକୁ ତଥା ପୂରା ଗ୍ରୁପ୍୍‌କୁ ମଧ୍ୟ ସଂଯୋଗ କରିପାରୁଥିଲେ। ମାତ୍ର ଏହି ନୂତନ ନିୟମରେ ଏଥିପାଇଁ ସଂପୃକ୍ତ ବ୍ୟକ୍ତି ତଥା ଗ୍ରୁପ୍‌ର ଅନୁମତି ନେବାକୁ ପଡିବ। ଜଣେ ହ୍ବାଟସ୍‌ଅଫ୍‌ ବ୍ୟବହାରକାରୀ କିମ୍ବା ଗ୍ରୁଫ୍ ଆଡ଼ମିନ୍‌ ଅନ୍ୟଜଣଙ୍କ ସହ ସାମିଲ ହେବା ତଥା ସଂଯୋଗ କରିବା ଲାଗି ଅନୁମତି ମାଗିବ। ଅନୁମତି ମିଳିବା ପରେ ପରସ୍ପର ସହ ସଂଯୋଗ ହୋଇପାରିବେ ବୋଲି ନୂତନ ବ୍ୟବସ୍ଥା ହ୍ବାଟସ୍‌ଅପ୍‌ ପକ୍ଷରୁ ଗ୍ରହଣ କରାଯାଇଛି। କୌଣସି ଗ୍ରୁପ୍‌ ସହ ଯୋଡିହେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ଅନୁମତି ନିଆଯିବା ଜରୁରୀ ବୋଲି ଭାରତ ସରକାର ଦର୍ଶାଇବା ପରେ ହ୍ବାଟସ୍‌ଆପ୍‌ ଏଭଳି ନିଷ୍ପତ୍ତି ନେଇଛି। ହ୍ବାଟସ୍‌ ଆପ୍‌ ଜରିଆରେ ବ୍ୟକ୍ତିଟି ତା’ର ପରିବାର ସଦସ୍ୟ, ବନ୍ଧୁ, ସହଯୋଗୀ, ସହକର୍ମୀ, ସହପାଠୀ ଏବଂ ଅନ୍ୟମାନଙ୍କ ସହ ସହଜରେ ଯୋଡିହେବା ସହ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାଳାପ, ଚାର୍ଟଂି (ଭାବବିନିମୟ) ଓ ଫଟୋ ପ୍ରେରଣ ଆଦି ଅନେକ କିଛି କରିପାରୁଛି। ଅନୁମତି ବିନା ସଂଯୋଗ ସ୍ଥାପନ ବ୍ୟବସ୍ଥା ଥିବାରୁ ଅଯଥାରେ ଅନେକ ଅଜଣା, ଅପରିଚିତ ତଥା ଅବାଞ୍ଛିତ ଗ୍ରୁପ୍‌ ମଧ୍ୟ ଯୋଡି ହେଉଛନ୍ତି। ଏହାଦ୍ବାରା ବ୍ୟବହାରକାରୀ ଲାଗି ସମସ୍ୟା ସୃଷ୍ଟି ହେଉଛି। ଏହାକୁ ବନ୍ଦ କରିବା ଲାଗି ଏଭଳି ନୂତନ ବ୍ୟବସ୍ଥା ହ୍ବାଟସ୍‌ ଆପ୍‌ ପକ୍ଷରୁ ନିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଏକକାଳୀନ ଅସୀମିତ ୟୁଜର୍ସଙ୍କୁ ଜଣେ ୟୁଜର୍ସ ତା’ର ବାର୍ତ୍ତା ଓ ଭିଡ଼ିଓ ପ୍ରେରଣ କରିବା ବ୍ୟବସ୍ଥା ଥିବାବେଳେ ଏବେ କିନ୍ତୁ ଏହାକୁ ସୀମାବଦ୍ଧ କରାଯାଇଛି। ଜଣେ ୟୁଜର୍ସ ଗୋଟିଏ ଥରକରେ ମାତ୍ର ୫ ଜଣଙ୍କୁ ପଠାଇବା ବ୍ୟବସ୍ଥା ରହିଛି।

Comments are closed.