ସ୍ବତନ୍ତ୍ର ନିରାପତ୍ତା ବିଶିଷ୍ଟ ସେବା ଯୋଗାଇ ଦେବ ହ୍ୱାଟ୍ସ ଆପ୍‍ : ୱିଲ୍‍ କାଥ୍‍କାର୍ଟ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‍ ତା’ର ବ୍ୟବହାରକାରୀଙ୍କୁ ନିଶ୍ଚିତ ସ୍ବତନ୍ତ୍ର ନିରାପତ୍ତା ବିଶିଷ୍ଟ ସେବା ଯୋଗାଇ ଦେବ ବୋଲି ହ୍ୱାଟ୍ସ ଆପ୍‍ର ବିଶ୍ୱସ୍ତରୀୟ ମୁଖ୍ୟ ୱିଲ୍‍ କାଥ୍‍କାର୍ଟ କହିଛନ୍ତି । ନୂଆଦିଲ୍ଲୀସ୍ଥିତ ସଞ୍ଚାର ଭବନରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଆଲୋଚନା ସମୟରେ ୱିଲ୍‍ କାଥ୍‍କାର୍ଟ ଏହା କହିଛନ୍ତି । ହ୍ୱାଟ୍ସଆପ୍‍ ପ୍ଲାଟଫର୍ମକୁ ଆତଙ୍କବାଦୀମାନେ ଓ ମନ୍ଦ ବୁଦ୍ଧି ସମ୍ପନ୍ନ ପ୍ରକୃତିର ଲୋକମାନେ ବ୍ୟବହାର କରୁଥିବାରୁ ବାର୍ତ୍ତାଗୁଡ଼ିକର ମୂଳ ଉତ୍ସ ଜାଣିବା ପାଇଁ ଏକ ବ୍ୟବସ୍ଥା ବିକାଶ କରିବା ସକାଶେ ସରକାର ହ୍ୱାଟ୍ସ ଆପ୍‍କୁ କହିବେ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।  ଶ୍ରୀ କାଥ୍‍କାର୍ଟ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ହ୍ୱାଟ୍ସଆପ୍‍ର ପ୍ରସ୍ତାବିତ ପେମେଣ୍ଟ ସେବା ସଂକ୍ରାନ୍ତରେ ଶ୍ରୀ ପ୍ରସାଦ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଏନ୍‍ପିସିଆଇର ଆବଶ୍ୟକତା ଅନୁଯାୟୀ ହ୍ୱାଟ୍ସଆପ୍‍ର ପେମେଣ୍ଟ ସେବା ବର୍ତ୍ତମାନ ଚାଲିଛି । ଭାରତର  ଡିଜିଟାଲ ଅର୍ଥନୀତିରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ପ୍ରସାଦ ହ୍ୱାଟ୍ସଆପ୍‍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତ ଭିତ୍ତିକ ଉତ୍ପାଦର ସମ୍ଭାବନା ଖୋଜି ବାହାର କରିବା ପାଇଁ ସେ ହ୍ୱାଟ୍ସଆପ୍‍କୁ ସ୍ୱାଗତ ଜଣାଇଛନ୍ତି।

Comments are closed.