ସୁଟିଂ ବିଶ୍ବକପ୍ : ଅପୂର୍ବୀଙ୍କୁ ସ୍ବର୍ଣ୍ଣ

ମ୍ୟୁନିକ୍ : ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ସୁଟିଂ ବିଶ୍ବକପ୍‌ରେ ଭାରତର ଅପୂର୍ବୀ ଚାନ୍ଦେଲା ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଭାରତକୁ ସ୍ବର୍ଣ୍ଣପଦକ ଜିତାଇଛନ୍ତି। ଫାଇନାଲରେ ସର୍ବାଧିକ ୨୫୧ ପଏଣ୍ଟ ସ୍କୋର୍‌କରି ଅପୂର୍ବୀ ଏହି କୃତିତ୍ବ ହାସଲ କରିଛନ୍ତି। ​‌େ​ତବେ ଅନ୍ୟ ଭାରତୀୟ ମହିଳା ସୁଟର ଏଲାଭେନିଲ ଭାଲାରିଭାନ୍ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲେ ହେଁ କଡ଼ା ମୁକାବିଲା ପରେ ୪ର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।
ଫାଇନାଲରେ ଚୀନ୍‌ର ଦୁଇ ସୁଟରଙ୍କ ସହ ଅପୂର୍ବୀଙ୍କର କଡ଼ା ମୁକାବିଲା ହୋଇଥିଲା। ତେବେ ନିୟମିତ ଭଲ ପ୍ରଦର୍ଶନ କରି ଅପୂର୍ବୀ ଚାନ୍ଦେଲା ସର୍ବାଧିକ ୨୫୧ ପଏଣ୍ଟ ହାସଲକରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତି ପାରିଥିଲେ। ଚୀନ୍‌ର ଲୁୟାଓ ୱାଙ୍ଗ୍ ଅନ୍ତିମ ରାଉଣ୍ଡ ପର୍ଯ୍ୟନ୍ତ ଅପୂର୍ବୀଙ୍କର କଡ଼ା ମୁକାବିଲା କରିଥିଲେ ଏବଂ ମାତ୍ର ୦.୨ ପଏଣ୍ଟ ପାଇଁ ସ୍ବର୍ଣ୍ଣପଦକରୁ ବଞ୍ଚିତ ହୋଇ ରୌପ୍ୟପଦକରେ ସନ୍ତୁଷ୍ଟ ରହିଥିଲେ। ଲୁୟାଓ ୱାଙ୍ଗ୍ ୨୫୦.୮ ପଏଣ୍ଟରେ ରହି ଯାଇଥିଲେ। ଚୀନ୍‌ର ଅନ୍ୟ ସୁଟର ହଙ୍ଗ୍ ଜୁ ୨୨୯.୪ ପଏଣ୍ଟ ସହ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‌ପଦକ ପାଇଥିଲେ। ରବିବାର ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦୁଇ ଭାରତୀୟ ଅପୂର୍ବୀ ଓ ଏଲାଭେନିଲ ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ଅପୂର୍ବୀ ୬୩୩ ପଏଣ୍ଟ ପାଇଥିବା ବେଳେ ଏଲାଭେନିଲ ୬୩୨.୭ ପଏଣ୍ଟ ପାଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ସୋମବାର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ରାହି ସୋର୍ନବତ୍ ଫାଇନାଲ ମୁକାବିଲାରେ ଭାଗନେବେ। ତେବେ ଭାରତର ମାନୁ ଭାକର ଓ ଚିଙ୍କି ଯାଦବ ଯୋଗ୍ୟତା ହାସଲ କରି ପାରିନାହାନ୍ତି। ୨୬ ବର୍ଷ ବୟସ୍କା ଅପୂର୍ବୀ ଚାନ୍ଦେଲା ନୂଆଦିଲ୍ଲୀରେ ଆୟୋଜିତ ସୁଟିଂ ବିଶ୍ବକପ୍‌ର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଫାଇନାଲରେ ୨୫୨.୯ ପଏଣ୍ଟ ସ୍କୋର୍‌କରି ବିଶ୍ବରେକର୍ଡ ପ୍ରତିଷ୍ଠା କରିଥିଲେ। ପୁଣି ବିଶ୍ବ ସୁଟିଂ ଚମ୍ପିଆନ୍‌ସିପରେ ୪ର୍ଥ ସ୍ଥାନରେ ରହି ଅପୂର୍ବୀ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

Comments are closed.