ବିଶ୍ୱକପ ପାଇଁ ଆମେ ପ୍ରସ୍ତୁତ : ମନ୍‍ପ୍ରୀତ

0

ଭୁବନେଶ୍ୱର : ଘରୋଇ ପଡ଼ିଆରେ ବିଶ୍ୱକପ ଖେଳିବା ଲାଗି ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକିରେ ଯୁଗ୍ମ ବିଜେତା ହେବା ପରେ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ଭଲ ଦଳ ଗଠନ ହୋଇଛି। ୨୦୧୬ ଜୁନିୟର ବିଶ୍ୱକପ ଚମ୍ପିଆନ ଦଳରେ ପ୍ରତିନିଧିତ୍ୱ କରିଥିବା ୭ଜଣ ଖେଳାଳି ଦଳରେ ରହିଛନ୍ତି। କୋଚ ହରେନ୍ଦ୍ର ସିଂହ ଖେଳାଳିଙ୍କୁ ଉନ୍ନତ ଟେକ୍‍ନିକ୍‍ ଓ ଫିଜିଓ ଫିଟ୍‍ନେସ ନେଇ ସବୁବେଳେ ଗୁରୁତ୍ୱ ଦେଉଛନ୍ତି। ଆଉ ମାତ୍ର ୧୧ ଦିନ ପରେ ଖେଳାଯିବାକୁ ଥିବା ବିଶ୍ୱକପ ଲାଗି ଆମେ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ମନ୍‍ପ୍ରୀତ ସିଂହ। ୧୯୭୫ରେ ମାଲେସିଆରେ ଆୟୋଜିତ ତୃତୀୟ ବିଶ୍ୱକପ ହକିରେ ଭାରତ ପ୍ରଥମ ଓ ଶେଷଥର ପାଇଁ ଚମ୍ପିଆନ ହୋଇଥିଲା। ଏଥିମଧ୍ୟରେ ୧୦ଟି ସଂସ୍କରଣ ଶେଷ ହୋଇଥିଲେ ମଧ୍ୟ ଭାରତ ଏପର୍ଯ୍ୟନ୍ତ ବିଶ୍ୱକପ ଟ୍ରଫି ଫେରିପାଇବାରେ ସକ୍ଷମ ହୋଇନାହିଁ। ଆମ ନିକଟରେ ବିଶ୍ୱକପ ଜିତିବାର ବଡ଼ ସୁଯୋଗ ରହିଛି। ଏଥିପାଇଁ ପ୍ରତି ଖେଳାଳିଙ୍କୁ ପଡ଼ିଆରେ ଶତ ପ୍ରତିଶତ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିଛନ୍ତି ମନ୍‍ପ୍ରୀତ।
ବୀରେନ୍ଦ୍ର, ଅମିତଙ୍କଠାରୁ ଭଲ ପ୍ରଦର୍ଶନ ଆଶା
ଭାରତକୁ ବିଶ୍ୱକପ ଜିତିବାକୁ ହେଲେ ସମସ୍ତ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କ ମଧ୍ୟରୁ ଗୋଲକିପର ପି.ଆର ଶ୍ରୀଜେଶ, ଡିଫେଣ୍ଡର ହରମାନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ, ଫରୱାର୍ଡ ଆକାଶଦୀପ ସିଂହ , ମନଦୀପ ସିଂହ ଓ ଲଲିତ କୁମାର ଉପାଧ୍ୟାୟ ଓ ସୁମିତ ମୁଖ୍ୟ ଭୂମିକା ରହିଛି। ଉକ୍ତ ଖେଳାଳିମାନଙ୍କ ପ୍ରଦଶନ ଉପରେ ଭାରତ ବିଶ୍ୱକପ ନିର୍ଭର କରୁଛି। ଖେଳାଳିଙ୍କୁ ଶତ ପ୍ରତିଶତ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ମନ୍‍ପ୍ରୀତ ସିଂହ। ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଓ ଅମିତ ନିଜନିଜ ପୋଜିସନରେ ଭଲ ଖେଳାଳି। ଘରୋଇ ପଡ଼ିଆରେ ଦୁଇ ଖେଳାଳି ଦଳ ପାଇଁ ଉପଯୋଗୀ ହେବେ ବୋଲି ମନପ୍ରୀତ କହିଛନ୍ତି।
ଦର୍ଶକଙ୍କ ସମର୍ଥନ ଉତ୍ସାହିତ କରିବ: ହରମନପ୍ରୀତ
ଘରୋଇ ପଡ଼ିଆରେ ବିଶ୍ୱକପ ଖେଳିବା କ୍ୱିଚିତ ଭାଗ୍ୟରେ ଜୁଟିଥାଏ। ଭୁବନେଶ୍ୱର ଭାରତୀୟ ଦଳକୁ ସବୁବେଳେ ପୂର୍ଣ୍ଣ ସମର୍ଥନ ଦେଇଆସିଛି। ବିଶ୍ୱକପରେ ସମସ୍ତ ଦଳ ଫେବରିଟ୍‍। ଆମକୁ ନିଜର ଦକ୍ଷତା ଅନୁସାରେ ଖେଳିବାକୁ ପଡ଼ିବ। ବିଶ୍ୱକପ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି କହିଛନ୍ତି ଡିଫେଣ୍ଡର ହରମାନ୍‍ପ୍ରୀତ ସିଂହ।

Leave A Reply