ପବନରୁ ମିଳୁଛି ପାନୀୟ ଜଳ

0

ନୂଆଦିଲ୍ଲୀ: ପବନରୁ ସଂଗୃହୀତ ହେଉଛି ପାନୀୟ ଜଳ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଅଭିନବ ଉଦ୍ୟମରେ ସଫଳ ହୋଇଛନ୍ତି ପୂର୍ବତଟ ରେଳବାଇ। ଓଡ଼ିଶାର ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ ଥିବା ଏକ ରେଳ ଷ୍ଟେସନ୍‍ରେ ଏଭଳି ଉଦ୍ୟମ ଜରିଆରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିଛି।
ଆଟ୍‍ମୋସ୍‍ଫେରିକ୍‍ ମୋଏଶ୍ଚର ଏକ୍ସଟ୍ରାକ୍ଟର ଟୁ ହାରଭେଷ୍ଟ ୱାଟର ନାମକ ଏହି ଉପକରଣ ବାୟୁମଣ୍ଡଳରୁ ବାୟୁ ସଂଗ୍ରହ କରି ଏକ କଣ୍ଡେନ୍‍ସର ଜରିଆରେ ଜଳୀୟ ବାଷ୍ପରେ ପରିଣତ କରାଯାଏ। ଉତ୍ତାପ ଓ ଚାପ ପ୍ରୟୋଗ କରାଯାଇ ଜଳୀୟବାଷ୍ପକୁ ଜଳରେ ପରିବର୍ତ୍ତନ କରାଯାଏ। ୫୦ % ଆଦ୍ରତା ଓ ୩୨ରୁ ୩୫ ଡିଗ୍ରୀ ସେଲ୍‍ସିୟସ୍‍ରେ ଏହି ଉପକରଣ କାମ କରିପାରୁଛି। ଦିନକୁ ଏହି ଉପକରଣ ଯୋଗେ ୧୨୦ ଲିଟର ପାନୀୟ ଜଳ ସଂଗ୍ରହ କରାଯାଇପାରୁଛି।
ରାୟଗଡ଼ାଠାରୁ ୬୩ କିମି ଦୂର ରାଉଳି ନାମକ ଏକ ଷ୍ଟେସନ୍‍କୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁ ନ ଥିବାରୁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥିଲା। ରେଳ ବିଭାଗ ପକ୍ଷରୁ ସେଠାରେ ଏକ ନଳକୂପ ଖନନ କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ତେଣୁ ରେଳବାଇ ପକ୍ଷରୁ ଏହି ନୂଆ ଉଦ୍ୟମ କରାଯାଇ ସମସ୍ୟାର ସମାଧାନ କରାଯାଇପାରିଛି। ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ଗତ ଏପ୍ରିଲ୍‍ ୨୫ ତାରିଖରେ ରାଉଳି ଷ୍ଟେସନ୍‍ରେ ଏହି ଉଦ୍ୟମ ସଫଳ ହେବା ପରେ ଅନ୍ୟାନ୍ୟ ଷ୍ଟେସନ୍‍ ଓ ସରକାରୀ କାର୍ଯ୍ୟାଳୟରେ ଏହିପରି ଉପକରଣ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜେ ପି ମିଶ୍ର କହିଛନ୍ତି।

Leave A Reply