କୁଆଡେ ଗଲା ପାଣି ଏଟିଏମ!

ବଲାଙ୍ଗୀର: କୁଆଡେ ଗଲା ପାଣି ଏଟିଏମ? ବର୍ଷକ ତଳେ ବଲାଙ୍ଗୀରରେ ଦୁଇଟି ସ୍ଥାନରେ ସ୍ଥାପିତ ହୋଇଥିବା ଦୁଇଟି ୱାଟର ଏଟିଏମ ଏବେ ଗାଏବ। ପାଟଣା ହୋଟେଲ ଛକ ନିକଟରେ ଥିବା ୱାଟର ଏଟିଏମ ଟାଇଲ ସହିତ କୁଆଡେ ଗାଏବ ହୋଇଥିବା ବେଳେ ଶିଶୁ ଉଦ୍ୟାନ ନିକଟରେ ଥିବା ପାଣି ଏଟିଏମର କେବଳ ଟାଇଲ ବଞ୍ଚିଯାଇଛି। ତେବେ ଏହାକୁ ଲଗାଇଥିବା କଂପାନୀ ରାଜସ୍ୱ ସଂଗ୍ରହ ହୋଇନପାରିବାରୁ ଉଠାଇ ନେଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବା ବେଳେ ପୌରପାଳିକା ପାଖରେ କେବଳ ବନ୍ଦ କରିବାକୁ କଂପାନୀ ଦେଇଥିବା ଏକ ଚିଠି ଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି ବଲାଙ୍ଗୀର ପାଇଁ ଏହି ପାଣି ଏଟିଏମ କେତେ ଆବଶ୍ୟକ ଥିଲା ? ଯଦି ଆବଶ୍ୟକ ଥିଲା ତେବେ ତାହା କେବଳ ମାତ୍ର କେଇଟା ଦିନ ପରେ କାହିଁକି ବନ୍ଦ ପଡିଲା ? ଆଉ ଯଦି ଆବଶ୍ୟକ ନଥିଲା ତେବେ କାହିଁକି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ଏକ ଘରୋଇ କଂପାନୀ ସହିତ ଚୁକ୍ତି କରି ପ୍ରତିଷ୍ଠା କରାଯାଇଥିଲା। ସୂଚନା ଅନୁସାରେ ବଲାଙ୍ଗୀରରେ ଗତ ୨୦୧୮ରେ ଦୁଇଟି ପାଣି ଏଟିଏମକୁ ଉଦଘାଟନ କରିଥିଲେ ତତ୍କାଳୀନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ। ପାଟଣା ହୋଟେଲ ଛକ ନିକଟରେ ଗୋଟିଏ ଓ ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ସମ୍ମୁଖ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ଗୋଟିଏ, ଏହିଭଳି ଦୁଇଟି ପାଣି ଏଟିଏମ ବଲାଙ୍ଗୀରରେ ଆରମ୍ଭ କରାଯାଇଥିଲା। ଏହି ଏଟିଏମରୁ ଲୋକେ ଶୁଦ୍ଧ ଓ ଥଣ୍ଡା ପାଣି ସୁଲଭ ମୂଲ୍ୟରେ ଯୋଗାଇବା ପାଇଁ ମୂଳ ଉଦ୍ଦେଶ୍ୟ ରହିଥିଲେ। ପୌରପାଳିକା ସହ ମିଶି ବଲାଙ୍ଗିରର ଏହି ଦୁଇ ସ୍ଥାନରେ ଡେଲଟା ପିଓର ଇଣ୍ଡିଆ ଲିମିଟେଡ ନାମକ ଏକ ସଂସ୍ଥା ଓସ୍ ପାଣି ଏଟିଏମ ଲଗାଇଥିଲା। ଏହାକୁ ପରିଚାଳନା କରିବା ସଂପୂର୍ଣ୍ଣ ଭାବେ କଂପାନୀ ଦାୟିତ୍ୱରେ ରହିଥିଲା। କିନ୍ତୁ ହଠାତ ଏହାକୁ କଂପାନୀ କାଢି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବା ବେଳେ ଏଟିଏମ କାଢି ନେବା ବିଷୟରେ ପୌରପାଳିକା ପାଖରେ କୌଣସି ସୂଚନା ନାହିଁ। ଏନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସଂପୃକ୍ତ କଂପାନୀ ରାଜସ୍ୱ ସଂଗ୍ରହ ହେଉନଥିବାରୁ ପୌରପାଳିକା ସହ କରିଥିବା ଚୁକ୍ତି ବାତିଲ କରିଥିବା ଏକ ଚିଠି ଶୁକ୍ରବାର ପୌରପାଳିକାକୁ ମିଲିଥିବା ସେ କହିଛନ୍ତି। କିନ୍ତୁ ପାଣି ଏଟିଏମ ମେସିନ ଉଠାଇ ନେବା ବିଷୟରେ ତାଙ୍କ ପାଖରେ କୈାଣସି ସୂଚନା ନଥିବା କହିଛନ୍ତି ନିର୍ବାହୀ ଅଧିକାରୀ ବିପିନ ଦୀପ। ତେବେ କଣ ଏହି ପାଣି ଏଟିଏମକୁ ସଂପୃକ୍ତ କଂପାନୀ ଉଠାଇ ନେଇଛି ନା ଆଉ କେହି ତାହା ଏବେ ବଡ ରହସ୍ୟ ହୋଇରହିଛି। ଦେଖିବାକୁ ମଧ୍ୟ ଲୋକଙ୍କୁ ଆଶ୍ଚର୍ୟ୍ୟ କରିଛି ଯେଉଁଠି ଦୁଇ ଦିନ ପୂର୍ବରୁ ପାଣି ଏଟିଏମ ପଡିରହି ଖତ ଖାଉଥିଲା ସେହି ସ୍ଥାନ ଏବେ ସଂପୂର୍ଣ୍ଣ ଭାବେ ଖାଲି ହୋଇଯାଇଛି। ସତେ ଯେମିତି ସେହି ସ୍ଥାନରେ କିଛି ନଥିଲା। ତେବେ ହି ପାଣି ଏଟିଏମ ବ୍ୟବସ୍ଥାକୁ ତତ୍କାଳୀନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଉଦଘାଟନ କରିଥିବା ବେଳେ ତାହା ଏକ ପ୍ରହସନ ମାତ୍ର ଥିବା ଅଭିଯୋଗ ହୋଇଛି।

Comments are closed.