ଲିମକା ରେକର୍ଡ଼ରେ ଭିସୁଟ୍‍

0

ବୁର୍ଲା: ରକେଟ୍‍ ଉତ୍‍କ୍ଷେପଣ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ପାଇଁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍) ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡ଼ସରେ ସ୍ଥାନ ପାଇଛି। ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରି ରକେଟ ଉତ୍‍କ୍ଷେପଣରେ ଗବେଷଣା ସଫଳତା ଯୋଗୁ ଭିସୁଟ୍‍ ଏହି କୀର୍ତ୍ତିମାନ ସ୍ଥାପନ କରିଛି। ଲିମକା ବୁକ୍‍ ଅଫ୍‍ ରେକର୍ଡ଼ସର ମୁଖ୍ୟ ସମ୍ପାଦକ ବିଜୟ ଘୋଷ ଏହାକୁ ଗ୍ରହଣ କରିଛନ୍ତି। ଲିମକା ବୁକ୍‍ର ୨୦୧୯ ସଂସ୍କରଣରେ ଏହା ସ୍ଥାନିତ ହେବ ଓ ତା ପରେ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଦେଶର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରଥମ ଓ ଏକମାତ୍ର ଭିସୁଟ୍‍ର ଏକ ଛାତ୍ରଗୋଷ୍ଠୀ ରକେଟ୍‍ ଉତ୍‍କ୍ଷେପଣ ଯାନ ନିର୍ମାଣ କରି ଏହାକୁ ସଫଳତାର ସହିତ ଆକାଶକୁ ଉତ୍‍କ୍ଷେପଣ କରିଥିଲେ। ଏଥିରେ ସବୁ ବିଭାଗର ଛାତ୍ର ସାମିଲ ଅଛନ୍ତି। ଏହି ରକେଟ ତିଆରି କରିବାକୁ ସେମାନେ ୨ ବର୍ଷ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ବୋଲି ଟିମ୍‍ର ଜନସଂପର୍କ ପ୍ରତିନିଧି ଅପୂର ମାତୁକ କହିଛନ୍ତି। ଭିସୁଟ୍‍ ସାଟେଲାଇଟ ଲଞ୍ଚ ଭେହିକିଲ (ଭିିଏସଏଲଭି) ରକେଟ ତିନି ଥର ଉତ୍‍କ୍ଷେପଣ କରିଛନ୍ତି। ସେମାନେ ପ୍ରଥମ ଥର ୩୦୦ ଫୁଟ, ଦ୍ୱିତୀୟ ଥର ୫୨୦୦ ଫୁଟ ଓ ତୃତୀୟ ଥର ୧୨୮୦୦ ଫୁଟ ବା ପ୍ରାୟ ୩.୮୯ କିଲୋମିଟର ଉଚ୍ଚକୁ ରକେଟ୍‍ ଉତକ୍ଷେପଣ କରିଥିଲେ। ଭିସୁଟ୍‍ ଛାତ୍ରଙ୍କ ରକେଟ ଉତକ୍ଷେପଣ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିଛି।
ପ୍ରଫେସର ଦେବଦତ୍ତ ମିଶ୍ରଙ୍କ ତତ୍ୱାବଧାନରେ ଭିସୁଟ୍‍ ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ୬ କିଲୋ ଓଜନର ଏହି ରକେଟର ପ୍ରଥମ ସଫଳ ପରୀକ୍ଷଣ ଗତ ମାର୍ଚ୍ଚ ୩୦ ତାରିଖରେ ହୋଇଥିଲା। ଏହି ଛାତ୍ରଦଳ ପୂର୍ବରୁ ରକେଟ ଗବେଷଣା ପାଇଁ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡ଼ରେ ସ୍ଥାନ ପାଇଥିଲେ। କୁଳପତି ପ୍ରଫେସର ଅଟଳ ଚୌଧୁରୀ, ଡିନ୍‍ (କଲ୍ୟାଣ) ପ୍ରଫେସର ଦେବଦତ୍ତ ମିଶ୍ର, ପ୍ରଫେସର ପ୍ରବୀଣ କୁମାର କର, ବୈଷୟିକ ସୋସାଇଟି ଉପସଭାପତି ଡ. ଜ୍ଞାନ ବିଶ୍ୱାଳ ଓ ଉପଦେଷ୍ଟା ବନ୍ଦନ ଭୋଇଙ୍କ ସହିତ ଭିସୁଟ୍‍ ଆଲୁମ୍ନାଇ ଫର ସ୍କିଲ ଏଣ୍ଡ ଇନୋଭେସନ କର୍ମକର୍ତ୍ତା ମାର୍ଗଦର୍ଶନ କରିଥିବାରୁ ସେମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ଛାତ୍ର ଦଳଙ୍କୁ ସେମାନଙ୍କ ଗବେଷଣାରେ ମାର୍ଗଦର୍ଶନ କରିଥିବା ପ୍ରଫେସର ଦେବଦତ୍ତ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପରିଶ୍ରମ ସଫଳତାରେ ରୂପାୟିତ ହୋଇଛି। ଆଗକୁ ଏହା ଉପରେ ଅଧିକ ଗବେଷଣା ଜାରି ରହିବ।

Leave A Reply