‘ଗଣମାଧ୍ୟମ’ ଖବରର ସତ୍ୟ ଓ ତଥ୍ୟ ପରଖୁ : ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ

‘ସମାଜ’ ନିରପେକ୍ଷତା, ବିଶ୍ବସନୀୟତା ଓ ଉତ୍କୃଷ୍ଟତାର ମାଇଲଖୁଣ୍ଟ

‘ସମାଜ’ ନିରପେକ୍ଷତା, ବିଶ୍ବସନୀୟତା ଓ ଉତ୍କୃଷ୍ଟତାର ମାଇଲଖୁଣ୍ଟ

କଟକ : ସୂଚନାକୁ ପରଖି, ଏହାର ସତ୍ୟନିଷ୍ଠାତାକୁ ଯାଞ୍ଚ କରି ଗଣମାଧ୍ୟମ ଗୁଡିକ ଖବର ପରିବେଷଣ କରିବା ଜରୁରୀ। ବ୍ରେକିଂ ନ୍ୟୁଜ୍ ନାଁରେ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ସମାଜର ଭୟଙ୍କର କ୍ଷତି ଘଟାଏ। ଏଥିରୁ ନିବୃତ୍ତ ରହିବା ଉଚିତ। ଦୈନିକ ଖବରକାଗଜ ‘ସମାଜ’ ଓଡ଼ିଶାର ସମ୍ପଦ। ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନୀତି, ଆଦର୍ଶ ଓ ନୈତିକତାକୁ ଆଧାର କରି ଏହା ଏବେ ଶହେବର୍ଷ ପୂରଣ କରିଛି। ଆଗାମୀ ଦିନରେ ‘ସମାଜ’ ଅଧିକ ଉଚ୍ଚତର ସଫଳତା ହାସଲ କରିବ। ଗଣମାଧ୍ୟମ ଦୁନିଆରେ ଟିଆରପି, ପ୍ରସାରଣ ସଂଖ୍ୟା ଏବଂ ବଟମ ଲାଇନ୍‌ ଗୁରୁତ୍ବପୂର୍ଣ୍ଣ ହୋଇପାରେ; କିନ୍ତୁ ଏହା ଆଧିପତ୍ୟ ବିସ୍ତାର କରିବା ଅନୁଚିତ। ଶହେବର୍ଷ ପୂରଣ କରିଥିବା ‘ସମାଜ’ ଏଥିରୁ ଭିନ୍ନ। ଏହା ନିରପେକ୍ଷତା, ବିଶ୍ବସନୀୟତା ଓ ଉତ୍କୃଷ୍ଠତାର ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଏହି ଖବରକାଗଜର ଜୟଯାତ୍ରା ଆଗକୁ ଅଧିକ ଉଚ୍ଚତ୍ତର ସଫଳତା ହାସଲ କରୁ ବୋଲି ଭାରତର ମହାମହିମ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଆଶାବ୍ୟକ୍ତ କରିଛନ୍ତି।
କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ‘ସମାଜ’ର ଶତବାର୍ଷିକୀ ଉଦ୍‌ଘାଟନ ସମାରୋହରେ ଯୋଗଦେଇ ଶ୍ରୀ ନାଇଡୁ କହିଲେ ଯେ, ଶହେ ବର୍ଷ ପୂରଣ କରିବା ଯେକୌଣସି ଅନୁଷ୍ଠାନର ଜୟଯାତ୍ରାରେ ଏକ ବିଶେଷ ସଫଳତାର କୀର୍ତ୍ତିମାନ। ଉତ୍କୃଷ୍ଟ ସାମ୍ବାଦିକତା, ନିରପେକ୍ଷ ଖବର ପରିବେଷଣ ଏବଂ ସର୍ବୋପରି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ‘ସମାଜ’ର ଲୋକପ୍ରିୟତାର ଏହା ଏକ ପ୍ରକୃଷ୍ଠ ଉଦାହରଣ। ୧୯୧୯ ମସିହାରେ ପୁରୀ ଜିଲା ସତ୍ୟବାଦୀରୁ ଏକ ସାପ୍ତାହିକ ଖବରକାଗଜ ଭାବେ ‘ସମାଜ’ ଜନ୍ମ ନେଇଥିଲା। ଓଡ଼ିଶାର ଲୋକମାନଙ୍କୁ ସୂଚନା ପ୍ରଦାନ, ଶିକ୍ଷିତ ଓ ସଶକ୍ତ କରିବା ତଥା ରାଜ୍ୟ ଓ ଦେଶର ବିକାଶରେ ବାହକ ସାଜିବାର ଲକ୍ଷ୍ୟନେଇ ଏହାର ଆରମ୍ଭ କରାଯାଇଥିଲା। ଶହେ ବର୍ଷ ପୂର୍ବେ ଏହା ଆରମ୍ଭ ହେବା ଦିନଠାରୁ ‘ସମାଜ’ ଓଡ଼ିଶାରେ ସାମ୍ବାଦିକତା, ବୌଦ୍ଧିକତା ଓ ସମାଜସେବାର ଜୀବନଧାରା ହୋଇଆସିଛି। ‘ସମାଜ’ ଓଡିଆ ଭାଷାରେ ସ୍ୱର୍ଣ୍ଣିମ ମାନକ ପ୍ରତିଷ୍ଠା କରିଛି ଏବଂ ଏହା ସବୁବେଳେ ରାଜ୍ୟର ଭାଷାପ୍ରେମୀଙ୍କୁ ପାଠକୀୟ ଆନନ୍ଦ ଦେଇଛି ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଥିଲେ।
ଗଣମାଧ୍ୟମ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ନାଇଡୁ କହିଲେ, ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନ ଥିବା ବାହନ ଭଳି। ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଗଣମାଧ୍ୟମକୁ ଗଣତନ୍ତ୍ରକୁ ସହାୟତା, ପରିପୃଷ୍ଟ ଓ ସମୃଦ୍ଧ କରିଥାଏ। ଏହା ଏକ ଜାତୀୟ ସମ୍ପତ୍ତି। ସାମ୍ବାଦିକମାନେ ଏହାକୁ ଜନସାଧାରଣଙ୍କ ବିଶ୍ୱାସରେ ଉପଯୋଗ କରିଥାନ୍ତି। ଏହି ଗୁରୁଦାୟିତ୍ୱକୁ ଧ୍ୟାନରେ ରଖି ଗଣମାଧ୍ୟମ ସର୍ବଦା ସଚ୍ଚୋଟ ଓ ସତ୍ୟବାଦୀ ରହିବା ଆବଶ୍ୟକ।
ସାମ୍ବାଦିକତା ଏକ ମିଶନ। ସାମ୍ବାଦିକତାର ଲକ୍ଷ୍ୟ କେବଳ ସାମାଜିକ ସେବା ହେବା ଆବଶ୍ୟକ। ଗଣମାଧ୍ୟମ ଚାଞ୍ଚଲ୍ୟକର ଖବର ପ୍ରସାରଣର ସ୍ୱଭାବକୁ ତ୍ୟାଗକରି ସାବଧାନତା ପୂର୍ବକ ଲଗାତାର ଭାବେ ତଥ୍ୟ ଆଧାରିତ ଖବର ପରିବେଷଣ କରିବା ଉଚିତ ଏବଂ ଖବର ଓ ବିଚାରର ମିଶ୍ରଣ ଠାରୁ ଦୂରେଇ ରହିବା ଆବଶ୍ୟକ। ଗଣମାଧ୍ୟମ ସ୍ୱରହୀନ ଲୋକଙ୍କ ସ୍ୱର ଓ ଅସହାୟଙ୍କ ଆଶାବାଡି ହୋଇ ପରିବର୍ତ୍ତନର ବାହକ ସାଜିବା ଉଚିତ। ସକାରାତ୍ମକ କାହାଣୀ ଏବଂ ଶ୍ରେଷ୍ଠ ପ୍ରଚଳନକୁ ଆଗକୁ ଆଣି ସବୁଆଡ଼େ ସକାରାତ୍ମକ ପରିବର୍ତନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ।
ଆମେ ଦ୍ରୁତଗତିରେ ପ୍ରସାର ଲାଭ କରୁଥିବା ସାମାଜିକ ଗଣମାଧ୍ୟମର ଯୁଗରେ ରହୁଛୁ, ଏଥିରୁ ହିଁ ମିଛ ଖବର ପ୍ରସାରିତ ହୋଇଥାଏ। ମିଛ ଖବରର ଏହି ବୃଦ୍ଧି ପାଉଥିବା ବିପଦ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛି। ଏଭଳି ପରିସ୍ଥିତିରେ, ଆପଣ ଖବରର ସତ୍ୟତା ସାମ୍ନାକୁ ଆଣି ପ୍ରଭାବୀ ଢଙ୍ଗରେ ମିଛ ଖବରର ମୁକାବିଲା ଓ ପର୍ଦ୍ଦାଫାଶ କରିପାରିବେ।
‘ଓଡିଆ’ ଭାଷାରେ ଦକ୍ଷତା ହାସଲ ଲାଗି ବୟସ୍କ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ‘ସମାଜ’ ପଢ଼ିବା ଲାଗି ପରାମର୍ଶ ଦେଇଥାନ୍ତି। ମାତୃଭାଷାକୁ ଗୁରୁତ୍ବ ଦେଇ ଏହା ଜଣେ ବ୍ୟକ୍ତିର ଆଖି ଓ ଅନ୍ୟଭାଷା ଏଇ ଆଖିର ଚଷମା ବୋଲି ଉପରାଷ୍ଟ୍ରପତି ତୁଳନା କରିଛନ୍ତି। ଆଖି ବିନା ଚଷମା ଗୁରୁତ୍ବହୀନ ଭଳି ପ୍ରଥମେ ମାତୃଭାଷାକୁ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ଜନସାଧାରଣଙ୍କ ପ୍ରତି ନିଜର ସାମ୍ବାଦିକତାକୁ ସମର୍ପିଦେବା, ଗରିବ ଓ ବଞ୍ଚିତଙ୍କ ସେବାରେ ନିୟୋଜିତ ହେବା ଲାଗି ‘ସମାଜ’କୁ ପ୍ରଶଂସା କରୁଛି। ଏହି ଅନୁଷ୍ଠାନ ନିଜ ରାଜସ୍ୱର ଅଧିକାଂଶ ଲାଭାଂଶ ରାଜ୍ୟ ଦୁର୍ବିପାକ ପ୍ରପୀଡ଼ିତ ଓ ଅଭାବୀ ଜନତାର କଲ୍ୟାଣରେ ବିନିଯୋଗ କରିଥାଏ। ଏହା ବାସ୍ତବରେ ଏକ ଅନୁକରଣଯୋଗ୍ୟ କାର୍ଯ୍ୟ। ‘ସମାଜ’ର ମହାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ, ନବଜାଗରଣକାରୀ କବି, ଦକ୍ଷ ଲେଖକ, ପ୍ରତିଷ୍ଠିତ ସାମ୍ବାଦିକ, ନିଃସ୍ୱାର୍ଥପର ସମାଜସେବୀ, ବାଗ୍ମୀ ବିଧାୟକ, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବୋପରି ଗାନ୍ଧୀଙ୍କ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ଜଣେ ମହାନ ସମର୍ଥକ ଥିଲେ। ସେ ସର୍ବଦା ସବୁ ନାଗରିକଙ୍କୁ ନିଜ ‘ମୌଳିକ କର୍ତ୍ତବ୍ୟ’ ପୂରଣ କରିବାର ଆବଶ୍ୟକତା ବିଷୟରେ କହି ଆସୁଥିଲେ।
ଗୋପବନ୍ଧୁ ପ୍ରାଚୀନ ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିଲେ। ଦୂରଦ୍ରଷ୍ଟା ପ୍ରତିଷ୍ଠାତାଙ୍କ ଦ୍ୱାରା ପ୍ରତିଷ୍ଠିତ ନୈତିକ ମୂଲ୍ୟବୋଧ ଏବଂ ଆଦର୍ଶର ଦୃଢ଼ ମୂଳଦୁଆ ଉପରେ ଉତ୍କୃଷ୍ଟ ସାମ୍ବାଦିକତାର ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଲାଗି ‘ସମାଜ’କୁ ସେ ପ୍ରଶଂସା କରୁଛନ୍ତି ବୋଲି କହିଥିଲେ।
୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍‌ ହିକ୍କିଙ୍କ ଦ୍ୱାରା ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ୍‌’ ପ୍ରକାଶ ପାଇଥିଲା। ବ୍ରିଟିଶ ଶାସନରୁ ମୁକ୍ତି ପାଇବା ଲାଗି ସଂଘର୍ଷ ଆରମ୍ଭ ହେବା ସମୟରେ ଖବରକାଗଜ ଜନଗଣଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ଶାଣିତ ସ୍ବର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସ୍ୱାଧୀନତାର ମହାନ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ କରିବା ଲାଗି ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ଏକଜୁଟ କରିବାରେ ଏହା ମହାନ ଏକୀକରଣର ସୂତ୍ରଧର ସାଜିଥିଲା ‘ସମାଜ’। ବ୍ରିଟିଶ ଶାସନର ନାଲିଆଖି ‘ସମାଜ’କୁ ପ୍ରଭାବିତ କରିପାରି ନଥିଲା।
ଏକ ଗଣତାନ୍ତ୍ରିକ ସମାଜରେ ସୂଚନାର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ନାଗରିକଙ୍କୁ ଅଧିକ ଉତ୍ତରଦାୟୀ କରିଥାଏ, ସେମାନେ ଅଜ୍ଞତା ଓ ଭୁଲସୂଚନା ଦ୍ୱାରା କାର୍ଯ୍ୟ କରିବା ବଦଳରେ ସୂଚିତ ହେବାର ବିକଳ୍ପ ପାଇଥାନ୍ତି। ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନ ଥିବା ବାହନ ଭଳି। ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ଯ୍ୟ ଆବଶ୍ୟକତା।
ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଭାରତୀୟ ଗଣମାଧ୍ୟମର ପ୍ରଶଂସନୀୟ ଭୂମିକାକୁ ବିଶ୍ୱ ଦେଖିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଭାରତକୁ ଖୋଲା ଶୌଚ ମୁକ୍ତ ଭାବେ ଘୋଷଣା କରିଛନ୍ତି। ଗଣମାଧ୍ୟମ ଏହି ଉପଲବ୍ଧିର ଅଧିକାଂଶ ଶ୍ରେୟ ପାଇବାକୁ ହକଦାର। ‘ଫିଟ ଇଣ୍ଡିଆ’ ଭଳି ଏପରି କେତେକ ଅଭିଯାନକୁ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ ଗ୍ରହଣ କରିବା ଆବଶ୍ୟକ ଓ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ଉଚିତ। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଭାଷାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମଧ୍ୟ ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରିବା ଉଚିତ।
ବିବେକପୂର୍ଣ୍ଣ, ଦ୍ରୁତ ଏବଂ ସତ୍ୟ ଖବର ପରିବେଷଣ ମାଧ୍ୟମରେ ଆପଣମାନେ ବାସ୍ତବରେ ଭାରତର ଗ୍ରାମୀଣ ପରିଦୃଶ୍ୟକୁ ବଦଳାଇପାରିବେ। ଗୋଷ୍ଠୀସ୍ତରରେ ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ସ୍ଥାୟୀ କୃଷି ଏବଂ ନବୋନ୍ମେଷ ଉପରେ ସକାରାତ୍ମକ କାହାଣୀ ପରିବେଷଣ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଯୁବଗୋଷ୍ଠୀଙ୍କୁ ଆହ୍ବାନ ଦେଇଥିଲେ।
‘ସମାଜ’ ଓଡ଼ିଶାର ସମ୍ପଦ ଏବଂ ଆଗାମୀ ଦିନରେ ଏହା ଅଧିକ ଉଚ୍ଚତର ସଫଳତା ହାସଲ କରିବ ବୋଲି ବିଶ୍ୱାସ ରହିଛି। ‘ସମାଜ’ ଶତବାର୍ଷିକୀ ସମାରୋହ ପାଇଁ ପୁଣିଥରେ ଆପଣମାନଙ୍କୁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତର ସଫଳତା ପାଇଁ ମଧ୍ୟ ଆଶା ରଖିଥିବା କହିଛନ୍ତି।
ଏହି ଅବସରରେ ସମାଜ ଶତବାର୍ଷିକୀ ସ୍ମରଣୀକା, ସ୍ବତନ୍ତ୍ର ଡାକଟିକଟକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଭୀମସେନ ଯାଦବ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ସାଂସଦ ଅଚ୍ୟୁତ ସାମନ୍ତ, ଜାତୀୟ ଯୁବ ପ୍ରକଳ୍ପର ଅଧ୍ୟକ୍ଷ ଡ. ଏନ. ସୁବାରାଓ ପ୍ରମୁଖ ମଞ୍ଚାସୀନ ଥିଲେ। ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ବିବରଣୀ ପାଠ କରିଥିଲେ। ଏହି ସମାରୋହରେ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.