ଜେଲ୍‍ରେ ଶଶୀକଳାଙ୍କୁ ଦିଆଯାଉଥିଲା ଭିଆଇପି ଆତିଥ୍ୟ

0

ବେଙ୍ଗାଲୁରୁ : ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କାଜଗହମ (ଏଆଏଡିଏମ୍‍କେ)ରୁ ବହିଷ୍କୃତ ନେତ୍ରୀ ଭି.କେ ଶଶୀକଳାଙ୍କୁ ଜେଲରେ ଭିଆଇପି ଆତିଥ୍ୟ ଦିଆଯାଉଥିବା ଭଳି ଚାଞ୍ଚଲ୍ୟକର କଥା ପଦାକୁ ଆସିଛି। ପ୍ରକାଶ ଯେ ଶଶୀକଳା ଦୁର୍ନୀତି ଅଭିଯୋଗରେ ଜେଲ୍‍ରେ ଦଣ୍ଡ ଭୋଗୁଛନ୍ତି। ସୂଚନା ଅଧିକାର (ଆରଟିଆଇ) ଜରିଆରେ ଏହି ତଥ୍ୟ ଜାଣିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ଏହି କଥା ଉଠାଇଥିବା ତତ୍କାଳୀନ ଡିଆଇଜି(ଜେଲ୍‍)ଙ୍କୁ ବଦଳି କରି ଦିଆଯାଇଥିଲା।
ଆରଟିଆଇ କାର୍ଯ୍ୟକର୍ତ୍ତା ନରସିଂହ ମୂର୍ତ୍ତି କହିଛନ୍ତି ଯେ ତତ୍କାଳୀନ ଡିଆଇଜି(ଜେଲ୍‍)ଙ୍କ ୨୯୫ ପୃଷ୍ଠାର ତଦନ୍ତ ରିପୋର୍ଟ ଅନୁସାରେ ଶଶୀକଳାଙ୍କୁ ଗୋଟିଏ କକ୍ଷ ବଦଳରେ ୪ଟି କକ୍ଷ ଦିଆଯାଇଥିଲା। ସେଥିମଧ୍ୟରେ ଶଶୀକଳାଙ୍କୁ ରୋଷେଇ କରିବା ପାଇଁ ଗୋଟିଏ କକ୍ଷ ଦିଆଯାଇଥିଲା। ୨୦୧୭ ଫେବୃଆରୀ ୧୫ରୁ ୨୦୧୭ ଜୁନ୍‍ ୧୬ ପର୍ଯ୍ୟନ୍ତ ଶଶୀକଳାଙ୍କୁ ୪୮ ଜଣ ଲୋକ ଭେଟିଥିଲେ। ଆଇନକୁ ଉଲ୍ଲଙ୍ଘନ କରି ଲୋକେ ଗୋଷ୍ଠୀବଦ୍ଧ ଭାବେ ଯାଇ ତାଙ୍କୁ ଭେଟିଥିଲେ। ଏପରିକି ଶଶିକଳା ଜେଲ୍‍ରୁ ଦିଆଯାଇଥିବା ପୋଷାକ ପରିଧାନ କରିନଥିଲେ। ତତ୍କାଳୀନ ଡି ରୁପା ଡିଆଇଜି (ଜେଲ) ଏଭଳି ତଥ୍ୟ ଡିଜିପି (ଜେଲ୍‍) ସତ୍ୟନାରାୟଣ ରାଓଙ୍କୁ ଦେଇଥିଲେ। ଜେଲ୍‍ରେ ସ୍ୱତନ୍ତ୍ର ଆତିଥ୍ୟ ପାଇଁ ଶଶୀକଳା ୨ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଲାଞ୍ଚ ନେବା ଘଟଣାରେ ଡିଜିପି (ଜେଲ) ରାଓଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଏହାପରେ କର୍ଣ୍ଣାଟକର ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଡି. ରୂପା ଏବଂ ରାଓଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ।

Leave A Reply