ଶିଶୁ ଦିବସରେ ବାଜି ରାଉତଙ୍କୁ ମନେ ପକାଇଲେ ବୀରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ: ଗୁରୁବାର ଶିଶୁ ଦିବସ ଅବସରରେ ଓଡ଼ିଆ ମାଟିର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବୀରତ୍ଵର ଗାଥାକୁ ମନେ ପକାଇଛନ୍ତି ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ। ଢେଙ୍କାନାଳ ଜିଲା ନୀଳକଣ୍ଠପୁରରେ ୧୯୨୬ ଅକ୍ଟୋବର ୫ରେ ଜନ୍ମିତ ବାଜି ରାଉତ ପ୍ରଜାମଣ୍ଡଳ ଆନ୍ଦୋଳନର ‘ବାନର ସେନା’ ଶାଖାରେ ଯୋଗଦେଇଥିଲେ। ୧୯୩୮ ଅକ୍ଟୋବର ୧୧ରେ ବ୍ରିଟିଶ ସେନା ତାଙ୍କୁ ହତ୍ୟା କରିଥିଲା। ବ୍ରିଟିଶ ସୈନ୍ୟଙ୍କୁ ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାର କରାଇବାକୁ ବାଜି ରାଉତ ସିଧାସଳଖ ମନା କରିଦେଇଥିଲେ। ତେଣୁ ତାଙ୍କୁ ବ୍ରିଟିଶ ସେନା ହତ୍ୟା କରିଥିଲା। ବାଜି ରାଉତଙ୍କ ଏହି ବୀରତ୍ଵକୁ ସେହ୍ବାଗ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବର୍ଣ୍ଣନା କରିଛନ୍ତି।

ସେହ୍ବାଗ ଲେଖିଛନ୍ତି, ବାଜି ବ୍ରିଟିଶ ସେନାର ଅତ୍ୟାଚାର ବିଷୟରେ ପୂର୍ବରୁ ଶୁଣି ଆସୁଥିଲେ। ବ୍ରିଟିଶ ସୈନ୍ୟମାନେ ଗାଁର ନିରୀହ ଲୋକମାନଙ୍କୁ ହତ୍ୟା କରୁଥିଲେ। ତେଣୁ ବାଜି ବୁଝିପାରିଥିଲେ ଯେ, ଯଦି ବ୍ରିଟିଶ ସୈନ୍ୟମାନଙ୍କୁ ରୋକାଯାଇ ପାରିବ, ତେବେ ସେମାନଙ୍କୁ ନଦୀର ଆରପଟକୁ ଯିବାକୁ ଅଟକାଯିବା ଦରକାର। ସେଥିଲାଗି ସେ ତାଙ୍କ ଡଙ୍ଗାରେ ସୈନ୍ୟମାନଙ୍କୁ ନଦୀ ପାର କରାଇବାକୁ ମନା କରିଥିଲେ। ସେହ୍ବାଗ ପୁଣି ଥରେ ଲେଖିଛନ୍ତି, ସୈନ୍ୟମାନେ ବାଜିଙ୍କୁ ହତ୍ୟା କରିବାର ଧମକ ଦେବା ସତ୍ବେ ସେ ତାଙ୍କ ଜିଦରେ ଅଟଳ ରହିଥିଲେ ଏବଂ ବ୍ରିଟିଶ ସୈନ୍ୟର ଆଦେଶ ମାନିବାକୁ ମନା କରିଦେଇଥିଲେ। ଜଣେ ବ୍ରିଟିଶ ସୈନ୍ୟ ବାଜିଙ୍କ ମୁଣ୍ଡକୁ ବନ୍ଧୁକରେ ଆଘାତ ଦେଇଥିଲେ। ଫଳରେ ବାଜିଙ୍କ ଖପୁରୀ ଫାଟିଯାଇଥିଲା ଓ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ନିଜର ଶକ୍ତି ଏବଂ ସାହସ ବଳରେ ସେ ପୁଣି ଥରେ ଉଠିଥିଲେ ଏବଂ ବ୍ରିଟିଶ ସେନା ବିରୋଧରେ ସ୍ବର ଉଠାଇଥିଲେ। ସେ ବଞ୍ଚିଥିବା ଯାଏ ସେମାନଙ୍କୁ ନଦୀ ପାର କରାଇବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ବାଜିଙ୍କ ଏହି ବୀର ଗାଥାକୁ ସେହ୍ବାଗ ସ୍ମରଣ କରି ଭୂରି ଭୂରି ପ୍ରଶଂସା କରିଛନ୍ତି।

Comments are closed.