କୋହଲିଙ୍କ ଶତକ; ଇଣ୍ଡିଜ୍‌ର ଲକ୍ଷ୍ୟ ୨୮୦

ପୋର୍ଟ ଅଫ୍ ସ୍ପେନ୍ : ରବିବାର ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ଯୁବ ବ୍ୟାଟ୍‌ସମ୍ୟାନ୍ ଶେୟାସ ଆୟର ମଧ୍ୟ ପ୍ରଭାବଶାଳୀ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫଳରେ ଭାରତ ଏହି ମ୍ୟାଚ୍‌ରେ ୭ ୱିକେଟ ହରାଇ ୨୭୯ ରନ୍ କରିପାରିଛି। ୱେଷ୍ଟଇଣ୍ଡିଜ୍ ଓପ୍‌ନର କ୍ରିସ୍‌ ଗେଲ୍‌ଙ୍କର ଏହି ୩୦୦ତମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ୨୮୦ ରନ୍ ଲକ୍ଷ୍ୟରେ ତା’ର ଇନିଂସ ଆରମ୍ଭ କରିଛି। ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିବା ବେଳେ ଏହି ମ୍ୟାଚ୍‌ର ବିଜେତା ସିରିଜ୍‌ରେ ଅପରାଜିତ ରହିବ।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଇନିଂସର ୩ୟ ବଲ୍‌ରେ ଓପ୍‌ନର ଶିଖର ଧାୱନ ୨ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ୨ୟ ୱିକେଟ ପାଇଁ ଉପଅଧିନାୟକ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ୧୫ ଓଭରରୁ ୭୪ ରନ୍ ଯୋଡ଼ିଥିଲେ। କୋହଲି କ୍ରିଜ୍‌କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳିିଥିବା ବେଳେ ରୋହିତ ଜଗିରଖି ଖେଳି ୩୪ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। ପରେ ଋଷଭ ପନ୍ତ୍ ଓ ବିରାଟ କୋହଲି ସ୍କୋର୍‌କୁ ଶହେ ରନ୍ ପାର୍ କରାଇବା ପରେ ପନ୍ତ୍‌ ୨୦ ରନ୍‌କରି ଆଉଟ ହୋଇ ଯାଇଥିଲେ। ଏହି ବାମହାତି ୩୫ ବଲ୍‌ ଖେଳି ୨ଟି ଚୌକା ମାରିଥିଲେ। ୪ର୍ଥ ୱିକେଟ ପାଇଁ କୋହଲି ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ଲମ୍ବା ଭାଗିଦାରୀ ହୋଇଥିଲା। ଦୁହେଁ ୧୯ ଓଭରରୁ ୧୨୫ ରନ୍ ଯୋଡ଼ିଥିଲେ। ୧୧୨ ବଲ୍‌ରୁ ବିରାଟ କୋହଲି ୪୨ତମ ଦିନିକିଆ ଶତକ ପୂରଣ କରିଥିଲେ। ୧୨୫ ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହ କୋହଲି ୧୨୦ ରନ୍‌କରି ଆଉଟ ହୋଇଥିଲେ। କୋହଲିଙ୍କ ବିଦାୟ ପରେ ଭାରତର ରନ୍‌ଗତି ଧିମେଇ ଯାଇଥିଲା। ଫଳରେ ଶେଷ ୯ ଓଭରରୁ ମାତ୍ର ୫୪ ରନ୍ ହୋଇଥିଲା। ଆୟର ୬୮ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୭୧ ରନ୍ କରିଥିଲେ। କେଦାର ଯାଦବ ୧୬ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୧୬ ରନ୍‌କରି ଅପରାଜିତ ଥିଲେ। ଇଣ୍ଡିଜ୍ ଅଧିନାୟକ କାର୍ଲୋସ ବ୍ରାଥ୍‌ୱେଟ୍‌ ୩ଟି ୱିକେଟ ପାଇଥିଲେ।

Comments are closed.