୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କଂସର ଫରେଷ୍ଟର

ଦେବଗଡ: ମାଲଲା ରୁଜୁ ନକରିବା ପାଇଁ ଜଣେ ଯୁବକଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନକଣ୍ଡ ତଥା ଦେବଗଡ ବନାଞ୍ଚଳ ଅନ୍ତର୍ଗତ କଂସର ପରେଷ୍ଟ ସେକ୍ସନର ଫରେଷ୍ଟର ପ୍ରଶନ୍ନ କୁମାର ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଅକ୍ଟୋବର ମାସ ୨୧ ତାରିଖରେ କଂସର ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ ମଇକାଠ ନିର୍ମାଣ ନିମନ୍ତେ ଏକ ଶାଳଗଛ କାଟୁଥିଲେ। ଏହାଦେଖି ୱାଚର ମାନେ ଉକ୍ତ ଗଛ ସହ ଅରୁଣଙ୍କୁ ଧରିଆଣି କଂସର ସେକ୍ସନ କାର୍ୟ୍ୟାଳୟକୁ ଅଣିଥିଲେ।ଏହାପରେ ଫରେଷ୍ଟର ଶ୍ରୀ ମିଶ୍ର ଅରୂନଙ୍କ ଘରକୁ ଯାଇ ତଲାସି କରିବା ସମୟରେ ୨ଟି ଲଙ୍ଗଳ ଓ ଅନ୍ୟାନ୍ୟ କାଠ ସାମଗ୍ରୀ ଜବତ କରିବା ସହ ୧୮ ହଜାର ଟଙ୍କାଲାଞ୍ଚ ନଦେଲେ ଜେଲ ହାଜତକୁ ପଠାଇବାକୁ ଧମକ ଦେଇଥିଲେ। ଅରୁଣ ଏତେ ଟଙ୍କା ଦେଇ ପାରିବ ନାହିଁ କରିବାରୁ ଶେଷରେ ୨ଟି ପର୍ୟ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ କଥା ଛିଣ୍ଡିଥିଲା ଓ ଆଜି ପ୍ରଥମ ପର୍ୟ୍ୟାୟରେ ୩ ହଜାର ଟଙ୍କା ଦେବାପାଇଁ ଦିନ ଧାର୍ୟ୍ୟ ହୋଇଥିଲା। ତେବେ ଗତକାଲି ଅରୁଣ ଦେବଗଡ ଭିଜିଲାନ୍ସ କାର୍ୟ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିବାରୁ ଭିଜିଲାନ୍ସ ବିଭାଗର ଡି.ଏସ୍.ପି.ପରମେଶ୍ୱର କିସାନ ଫରେଷ୍ଟର ଶ୍ରୀ ମିଶ୍ରଙ୍କୁ ଧରିବା ପାଇଁ ଜାଲ ବିଛାଇବା ସହ ଅରୁଣ ହାତରେ ୩ହଜାର ଟଙ୍କାର ରଙ୍ଗବୋଳା ଟଙ୍କା ଦେଇ ଫରେଷ୍ଟରଙ୍କ ନିକଟକୁ ପଠାଇଥିଲେ।ପୂର୍ବ ଯୋଜନା ଅନୁଯାୟୀ ଅରୁଣ ଏହି ରଙ୍ଗବୋଳା ଟଙ୍କା ଫରେଷ୍ଟର ଶ୍ରୀ ମିଶ୍ରଙ୍କୁ ଦେବାରୁ ସେ ଏହାକୁ ଟେବୁଲ ଉପରେ ରଖିଦେବାକୁ କହିଥିଲେ। ଅରୁଣ ଏହି ଟଙ୍କା ଟେବୁଲ ଉପରେ ରଖିବାପରେ ଭିଜିଲାନ୍ସ ଡି.ଏସ.ପି. ସଦଳବଳେ ସେଠାକୁ ଯାଇ ରଙ୍ଗବୋଳା ଟଙ୍କା ଜବତ କରିବାସହ ଶ୍ରୀ ମିଶ୍ରଙ୍କୁ ଗିରଫ କରି ଭିଜିଲାନ୍ସ କାର୍ୟୟାଳୟକୁ ଆଣିଥିଲେ। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡି.ଏସ୍.ପି. ଶ୍ରୀ କିସାନ ପ୍ରକାଶ କରିଛନ୍ତି।

Comments are closed.