ଭିଜିଲାନ୍ସ ଜାଲରେ କୃଷି ବିଭାଗର ବରିଷ୍ଠ କିରାଣୀ

ସମ୍ବଲପୁର : ସମ୍ବଲପୁର ଜିଲା କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସଚ୍ଚିଦାନନ୍ଦ ଦୋରା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସାର ଓ କୀଟନାଶକ ଲାଇସେନ୍ସ ପାଇଁ ଅନୁମତି ଦେବା ପାଇଁ ବରିଷ୍ଠ କିରାଣୀ ସଚ୍ଚିଦାନନ୍ଦ ଦୋରା ଲାଇଡା ଅର୍ନ୍ତଗତ ଗଞ୍ଜେରମାଲର ନିବାସୀ ଖୁସିରାମ ଛତ୍ରିଆଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏଣୁ ଖୁସିରାମ ଭିଜିଲାନ୍ସରେ ଅଭିଯୋଗ କରିବା ସହିତ ସହାୟତା ଲୋଡିଥିଲେ। ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଖୁସିରାମ ଭିଜିଲାନ୍ସ ଦ୍ୱାରା ରାସାୟନିକ ବୋଳା ଟଙ୍କା ନେଇ ତାଙ୍କର ଲାଇସେନ୍ସର ସ୍ଥିତ ଜାଣିବା ପାଇଁ ଜିଲା କୃଷି କାର୍ଯ୍ୟାଳୟକୁ ଯାଇଥିଲେ। ଖୁସିରାମଙ୍କୁ ଟଙ୍କା ଆଣିଛ କି ବୋଲି ପଚାରିବାରୁ ସେ ହଁ କହିବା ପରେ ବରିଷ୍ଠ କିରାଣୀ ଏକ କାଗଜ ତାଙ୍କ ନିକଟକୁ ବଢ଼ାଇ ଦେଇ ସେଥିରେ ଟଙ୍କାତକ ଗୁଡାଇ ଦେବା ପାଇଁ କହିଥିଲେ। ଏଣୁ ଖୁସିରାମ ପୂର୍ବରୁ କଥା ହୋଇଥିବା ଅନୁଯାୟୀ ୭ ହଜାର ଟଙ୍କା (ରାସାୟନିକ ବୋଳା) କାଗଜରେ ଗୁଡାଇ ଦେବା ପରେ କିରାଣୀ ଦୋରା ତାକୁ ନିଜ କାର୍ଯ୍ୟାଳୟରେ ଥିବା ଟେବୁଲ ଡ୍ର ମଧ୍ୟରେ ରଖିଥିଲେ। ଏହା ପରେ ଖୁସିରାମଙ୍କ ଠାରୁ ସଙ୍କେତ ପାଇଁ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଦଳ ତୁରନ୍ତ ଚଢ଼ଉ କରି ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲେ। ଜେରା ସମୟରେ ବରିଷ୍ଠ କିରାଣୀ ଲାଞ୍ଚ ଟଙ୍କା ନେଇଥିବାର ସ୍ୱୀକାର କରିଥିବାର ଭିଜିଲାନ୍ସ ବିଭାଗ କହିଛି। ଏ ସର୍ମ୍ପକରେ ମାମଲା ନଂ୬୨/୨୦୧୯ ଭିଜିଲାନ୍ସ ତରଫରୁ କରାଯାଇ ଅଭିଯୁକ୍ତ ବରିଷ୍ଠ କିରାଣୀ ଦୋରାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସମ୍ବଲପୁରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି।

Comments are closed.