ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତରତ୍ନ ମିଳିବା ପାଇଁ ଜୋରଦାର ଉଦ୍ୟମ ହେବା ଆବଶ୍ୟକ: ଦୀପକ ମାଲବ୍ୟ

0

କଟକ : ସାରା ଜୀବନ ଦୁର୍ଦ୍ଦିନରେ ରହି ଓଡ଼ିଶାବାସୀଙ୍କ ସେବା କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କ ତ୍ୟାଗ, ତିତିକ୍ଷାର ପଟାନ୍ତର ନାହିଁ। ନିଜର ସମର୍ପିତ ଭାବ, ନିଷ୍ଠା, ସେବା ଓ କାର୍ଯ୍ୟ ଜରିଆରେ ସେ ଓଡ଼ିଶାବାସୀଙ୍କର ଆତ୍ମୀୟ ହୋଇ ରହିଯାଇଛନ୍ତି। ସର୍ବୋପରି ଗୋପବନ୍ଧୁ ଓଡ଼ିଆ ଜାତିର ଆତ୍ମିକ ବିଭୂତି ଥିଲେ ବୋଲି ଲୋକ ସେବକ ମଣ୍ଡଳ ଓ ‘ସମାଜ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧୋତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।
ସ୍ଥାନୀୟ ସାରଳା ଭବନଠାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଲେ, ଗୋପବନ୍ଧୁ ଦୁଃଖୀ, ରଙ୍କୀଙ୍କ ପାଇଁ କାନ୍ଦୁଥିଲେ। ଅଶିକ୍ଷା ଦୂର ନ ହେଲେ କିଛି ହେବ ନାହିଁ, ଏ କଥା ସେ ଭଲ ଭାବେ ବୁଝିଥିଲେ। ସେଥିପାଇଁ ସତ୍ୟବାଦୀ ବନ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷାର ଉନ୍ନତି ସହ ବୈଷୟିକ ଶିକ୍ଷା ଦ୍ୱାରା ଗୋପବନ୍ଧୁ ଓଡ଼ିଶା ବିକାଶର ସ୍ୱପ୍ନ ଦେଖିଥିଲେ। ତାଙ୍କ ଦୃଢ଼ ମନୋବଳ ଓ ଜାତି ପ୍ରତି ଭଲ ପାଇବା ତାଙ୍କୁ ଆଗକୁ ଯିବାରେ ସହାୟକ ହୋଇଥିଲା। ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଗୋପବନ୍ଧୁଙ୍କ ଚେୟାର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହେବା ଦ୍ୱାରା ତାଙ୍କ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ଡ. ସାମନ୍ତ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଡ. ଅର୍ଚ୍ଚନା ନାୟକ କହିଲେ, ଗୋପବନ୍ଧୁ ଥିଲେ ଦେଶ ପାଇଁ ପୂର୍ଣ୍ଣ ସମର୍ପିତ ସତ୍ତା। ଓଡ଼ିଆଙ୍କ ଆଧ୍ୟାତ୍ମିକ ସତ୍ତା ହେଉଛନ୍ତି ଶ୍ରୀଜଗନ୍ନାଥ। ଓଡ଼ିଶାରେ ଶ୍ରୀଜଗନ୍ନାଥ ଚେତନା ପ୍ରବାହିତ ହେଉଛି। ଶିକ୍ଷାଦାନର ପଦ୍ଧତି ମୂଳରୁ ସେହି ପ୍ରକାର ନ ହେଲେ ଦେଶପ୍ରେମ ଜାଗ୍ରତ କରିହେବ ନାହିଁ ବୋଲି ଗୋପବନ୍ଧୁ ଅନୁଭବ କରିଥିଲେ। ଧର୍ମପଦ ଓ ନଚିକେତାଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁଙ୍କ କର୍ମ ପରିସର ଥିଲା ବ୍ୟାପକ। ପଲ୍ଲୀ ଆମ ଜାତୀୟ ଜୀବନର ପ୍ରାଣକେନ୍ଦ୍ର, ଏକଥା ହୃଦୟଙ୍ଗମ କରି ଗୋପବନ୍ଧୁ ପ୍ରତି ଗାଁରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରି ଗ୍ରାମୀଣ ଜନଜୀବନକୁ ଶୃଙ୍ଖଳିତ ଓ ବିଭୁପ୍ରଣିତ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ନିର୍ଭୀକ ସାମ୍ବାଦିକତା ଓ କବିତ୍ୱ ଓଡ଼ିଆ ଜାତି ଓ ଉତ୍ତରପିଢ଼ିକୁ ବହୁମାତ୍ରାରେ ପ୍ରଭାବିତ କରିପାରିଛି। ଓଡ଼ିଆ ଜାତିକୁ ଏକ ମହତ୍ତର ସ୍ତରକୁ ନେବା ପାଇଁ ସ୍ୱପ୍ନ ଦେଖିଥିଲେ ଉତ୍କଳମଣି। ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିର ଚୈତିକ ବିଭୂତି ଥିବାବେଳେ ଉତ୍କଳମଣି ଗୋପବନ୍ଧୁ ଦାସ ଏ ଜାତିର ଆତ୍ମିକ ବିଭୂତି ଥିଲେ ବୋଲି ଡଃ ନାୟକ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଇଂ ପ୍ରିୟବ୍ରତ ଦାସ କହିଲେ, ସବୁ ଜୀବାତ୍ମା ନିର୍ମଳ; କିନ୍ତୁ ବିଷୟ ଓ ବାସନାରେ ଆଚ୍ଛାଦିତ ହୋଇଗଲେ ସେ ଆତ୍ମା କଦାକାର ହୋଇଯାଏ। ଆଜିର ସମାଜରେ ଉଭୟ ବିଷୟ ଓ ବାସନାଭୋଗୀ ମଣିଷଙ୍କ ସଂଖ୍ୟା ବଢ଼ିଯାଇଛି। ମଶାଣିକୁ ନିଜ ବାପା, ମାଆ ଓ ଆତ୍ମୀୟଙ୍କୁ କାନ୍ଧରେ ବୋହି ନେଇଯାଉଥିବା ମଣିଷଟି ଭୁଲିଯାଉଛି ଯେ ସେ ବି ଦିନେ ସେହି ମଶାଣିକୁ ଯିବ। ଦୁନିଆରେ ସେ ହିଁ କେବଳ ଏକାକୀ ବଞ୍ଚିବ ଏବଂ ସବୁ ସୁଖ ଭୋଗ କରିବ- ଏହି ଚିନ୍ତାରେ ନିମଗ୍ନ ରହି ମଣିଷ ବିପଥଗାମୀ ହୋଇଯାଉଛି। ଗୋପବନ୍ଧୁ କିନ୍ତୁ ଏହି ବିଷୟ ଓ ବାସନାଠାରୁ ବହୁ ଦୂରରେ ରହିବାକୁ ଶତତ ଚେଷ୍ଟା କରିଥିଲେ; ଯେଉଁଥିପାଇଁ ତାଙ୍କ ଜୀବାତ୍ମା ସଦା ନିର୍ମଳ। ସେ ବୁଦ୍ଧି ଓ ହୃଦୟର ମଣିଷ ଥିଲେ। ତାଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ଏ ଦେଶ ତଥା ମାନବ ଜାତି ପାଇଁ କିଛି କରିବାକୁ ହେଲେ ସେବକ ତିଆରି କରିବାକୁ ପଡ଼ିବ ବୋଲି ଇଂ ଦାସ ମତବ୍ୟକ୍ତ କରିଥିଲେ।
ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଗୋପବନ୍ଧୁଙ୍କ ପ୍ରଦର୍ଶିତ ମାର୍ଗରେ କେବଳ ଛାତ୍ରଛାତ୍ରୀ ନୁହନ୍ତି; ସବୁ ବର୍ଗର ଲୋକେ ଚାଲିବା ଦରକାର। ଗୋପବନ୍ଧୁଙ୍କ ପାଇଁ ଯେତିକି କାର୍ଯ୍ୟ କରାଯାଉଛି ତାହା ଯଥେଷ୍ଟ ନୁହେଁ। ତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆହୁରି ଅନେକ କିଛି କରାଯିବାର ଆବଶ୍ୟକତା ରହିଛି। ଉତ୍କଳମଣି ଗୋପବନ୍ଧୁ ‘ଭାରତ ରତ୍ନ’ ପାଇବା ଯୋଗ୍ୟ ବୋଲି ଶ୍ରୀ ମାଲବ୍ୟ କହିଥିଲେ।
ଏହି ଅବସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ସଂଖ୍ୟା ଓ ‘ସମାଜ’ ସାପ୍ତାହିକୀର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ଏଥିସହ ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ‘ଓଜସ୍ୱିନୀ ଓଡ଼ିଶା’ର ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ବିଜେତାଙ୍କୁ ୨୦ ହଜାର, ଦ୍ୱିତୀୟ ବିଜେତାଙ୍କୁ ୧୫ ହଜାର ଓ ତୃତୀୟ ବିଜେତାଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ବିଜେତାମାନେ ହେଲେ ବରିଷ୍ଠ ବିଭାଗରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଲୋଏଶାରାଣୀ ସିଂହ(ପ୍ରଥମ), ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ଆଶୁତୋଷ ମିଶ୍ର(ଦ୍ୱିତୀୟ), ଯାଜପୁର ଏନ୍‌.ସି. କଲେଜର ଛାତ୍ରୀ ବିଶ୍ୱକଲ୍ୟାଣୀ ମହାପାତ୍ର(ତୃତୀୟ) ଏବଂ କନିଷ୍ଠ ବିଭାଗରେ ଅନୁଗୋଳ ହାଇସ୍କୁଲର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ(ପ୍ରଥମ), କଟକ ରେଭେନ୍‌ସା କଲିଜିଏଟ୍‌ ସ୍କୁଲର ଛାତ୍ରୀ ସୁଶ୍ରୀ ଦୀକ୍ଷାନ୍ତିକା ମହାନ୍ତି(ଦ୍ୱିତୀୟ) ଓ କେନ୍ଦ୍ରାପଡ଼ା ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ବିଭୁପ୍ରସାଦ ତ୍ରିପାଠୀ(ତୃତୀୟ)। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା ପରିଚାଳନା କରିଥିଲେ।
‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ନିରଞ୍ଜନ ରଥ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ। ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ‘ସମାଜ’ର କାର୍ଯ୍ୟକାରୀ ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି, ଲୋକ ସେବକ ମଣ୍ଡଳର ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ମଞ୍ଚାସୀନ ଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗ ଦେଇଥିଲେ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ କଟକ ସାରଳା ଭବନଠାରେ ଶ୍ରାଦ୍ଧସଂଖ୍ୟା ଉନ୍ମୋଚନ କରୁଛନ୍ତି (ବାମରୁ) ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ସାହିତ୍ୟିକା ଡଃ ଅର୍ଚ୍ଚନା ନାୟକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ, ଇଂ. ପ୍ରିୟବ୍ରତ ଦାସ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ।

Leave A Reply