‘ଉତ୍କର୍ଷ ବଜାୟ ରଖିଛି ଉତ୍କଳ ବିଶ୍ବବିଦ୍ୟାଳୟ’

ଏ ସପ୍ତାହର ସାକ୍ଷାତ୍‌କାର – ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ

  • ଆପଣଙ୍କ କାର୍ଯ୍ୟକାଳରେ ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବିଲି ପାଳନ କରୁଛି। ଏହାକୁ ସଫଳ କରିବା ପାଇଁ କ’ଣ ଯୋଜନା ରହିଛି?
    ସ୍ବତନ୍ତ୍ର ଓଡ଼ିଶା ଓ ଭାରତର ସ୍ବାଧୀନତା ମଧ୍ୟଭାଗରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହା ରାଜ୍ୟର ଏକ ମଣିଷ ତିଆରି କାରଖାନା। ଏଠାରେ ପଢ଼ିଥିବା ବହୁ ବିଦ୍ୟାର୍ଥୀ ବିଭିନ୍ନ ଉଚ୍ଚ ପଦରେ ଅଧିଷ୍ଠିତ। ଏହାର ୭୫ବର୍ଷ ପୂର୍ତ୍ତିରେ ସବୁ ବର୍ଗର ପୁରାତନ ବିଦ୍ୟାର୍ଥୀ, ପୁରାତନ କର୍ମଚାରୀ, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ଯୋଜନା କରିଛୁ।
  • ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଭାବେ କାର୍ଯ୍ୟ କରିବା ନେଇ ଆପଣଙ୍କର ଉପଲବ୍ଧି ?
    କୁଳପତିଭାବେ ଯୋଗ ଦେବା ମୋ ପାଇଁ ଗୌରବର ବିଷୟ ଥିଲା। ଏହାର ପ୍ରମୁଖ କାରଣ ଦୀର୍ଘ ୩୬ ବର୍ଷ ପରେ ମୁଁ ଓଡ଼ିଶା ‌େଫରିବା ସହ ମୋ ଜନ୍ମମାଟି ପାଇଁ କିଛି କରିବାର ସୁଯୋଗ ପାଇଥିଲି। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ବିଶ୍ବବିଦ୍ୟାଳୟର ଗରିମା ବଜାୟ ଦିଗରେ ମୁଁ ପ୍ରୟାସ କରିଥିଲି। ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଥିବା ଦୂରତା ଯୋଗୁଁ ଅନେକ ସମୟରେ ଛାତ୍ର ଅଶାନ୍ତି ଦେଖାଦେଉଥିଲା। ଏହାର ସମାଧାନ ପାଇଁ ସେମାନଙ୍କ ସହ ଆଲୋଚନା କରି ବିଦ୍ୟାର୍ଥୀଙ୍କ ସହ ମିଶିବାକୁ ପ୍ରୟାସ କରିଥିଲି। ଏହି ପ୍ରୟାସ କିଛି ମାତ୍ରାରେ ସଫଳ ହୋଇଥିବା ମୁଁ ଅନୁଭବ କରୁଛି।
  • ଦ୍ବିତୀୟ କ୍ୟାମ୍ପସ୍‌ ନିର୍ମାଣ ଓ ଭିିତ୍ତିଭୂମି ସ୍ଥିତିକୁ ନେଇ କ’ଣ କହିବେ?
    ଆମର ଦ୍ବିତୀୟ କ୍ୟାମ୍ପସ୍‌ ଚଣ୍ଡୀଖୋଲସ୍ଥିତ ଗ୍ରାମୀଣ ଅଞ୍ଚଳରେ ରହିଛି। ଓଡ଼ିଶାର ଗ୍ରାମ୍ୟ ଜୀବନ କିଭଳି ଆକର୍ଷଣୀୟ ହୋଇପାରିବ ତାକୁ ଲକ୍ଷ୍ୟ ରଖି କାମ କରାଯାଇଛି। ଏହି କ୍ୟାମ୍ପସ୍‌ରେ ଇଣ୍ଟରନେଟ୍‌, ବୈଷୟିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୬୭ ଏକର ଜମିରେ ପରିବେଶ ଉପଯୋଗୀ ସବୁଜ ଗୃହ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହି ପ୍ଲାନ୍‌ ଅନୁମୋଦନ ହୋଇସାରିଛି, ଖୁବ୍‌ଶୀଘ୍ର ନିର୍ମାଣ କାମ ଆରମ୍ଭ କରାଯିବ।
  • ବିଶ୍ବବିଦ୍ୟାଳୟର ଉନ୍ନତି ସହିତ ଅନୁବନ୍ଧିତ ମହାବିଦ୍ୟାଳୟର ବିକାଶ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ?
    ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦାୟିତ୍ବ ବିଶ୍ବବିଦ୍ୟାଳୟର ନୁହେଁ। ଆମ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ କିଭଳି ନାକ୍‌ ମାନ୍ୟତା ପାଇବେ ଓ ସେଠାରେ ଗୁଣାତ୍ମକ ଶିକ୍ଷା ମିଳିବ ସେ ଦିଗରେ ଆମେ କାମ କରୁଛୁ। ବିଶ୍ବବ୍ୟାଙ୍କ ସହାୟତାରେ ପ୍ରାୟ ୨ଶହ ଶିକ୍ଷାନୁଷ୍ଠାନକୁ ପ୍ରଶିକ୍ଷଣ ଦିଆସରିଛି। ଆଗାମୀ ଦିନରେ ଅନ୍ୟ ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯିବ। ବିଶ୍ବବିଦ୍ୟାଳୟ ଅଗ୍ରଗତି ସହ ଅନୁବନ୍ଧିତ ଶିକ୍ଷାନୁଷ୍ଠାନର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ଉଚ୍ଚଶିକ୍ଷାରେ ଉତ୍କର୍ଷ ବଜାୟ ରକ୍ଷା ଦିଗରେ ଆମେ ପ୍ରୟାସ ଜାରି ରଖିଛୁ।
  • ଛାତ୍ରସଂସଦ ନିର୍ବାଚନ ବନ୍ଦ ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ କିଛି ପ୍ରଭାବ ପଡ଼ିଛି କି ?
    ନିର୍ବାଚନ ବନ୍ଦ ଦ୍ବାରା ଶିକ୍ଷାନୁଷ୍ଠାନ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ବରଂ ବିଶ୍ବବିଦ୍ୟାଳୟ ପାଇଁ ସକାରାତ୍ମକ ପ୍ରଭାବ ପକାଇଛି। ନିର୍ବାଚନ ଦ୍ବାରା ଛାତ୍ରଛାତ୍ରୀ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହେଉଥିଲେ। ଏବେ ସମସ୍ତେ ସମ୍ମିଳିତ ଭାବେ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ କାମ କରୁଛନ୍ତି। ଏଥିସହ ବିଶ୍ବବିଦ୍ୟାଳୟରେ ବିଭିନ୍ନ କ୍ଲବ୍‌ରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷଠାରୁ ନାମଲେଖା ସମୟରେ ବିଶ୍ବବିଦ୍ୟାଳୟର ଉନ୍ନତି, ଓଡ଼ିଶାର ପ୍ରଗତି ଓ ଅହିଂସା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଶପଥପାଠ କରାଯାଇଛି। ବର୍ତ୍ତମାନ କ୍ୟାମ୍ପସ୍‌ରେ ଶାନ୍ତିର ବାତାବରଣ ରହିଛି।
  • ଅଧ୍ୟାପକ ସଙ୍କଟ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଦେଖାଦେଇଛି। ଏହା ଶିକ୍ଷାଦାନରେ ପ୍ରଭାବ ପକାଉଛି କି ?
    ଅଧ୍ୟାପକ ସମସ୍ୟା କେବଳ ଆମ ଶିକ୍ଷାନୁଷ୍ଠାନ ନୁହେଁ, ସବୁଆଡ଼େ ମୁଣ୍ଡବ୍ୟଥାର କାରଣ। ଏହାର ପ୍ରତିକାର ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତ କରି ଶିକ୍ଷାଦାନ କରାଯାଉଛି। ତେବେ ଏହି ସମସ୍ୟା ବର୍ତ୍ତମାନ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଆଶା କରୁଛି ଖୁବ୍‌ଶୀଘ୍ର ଏହି ମାମଲାର ରାୟ ଆସିଲେ ସମସ୍ୟାର ସମାଧାନ ହୋଇପାରିବ।
  • ବିଶ୍ବବିଦ୍ୟାଳୟ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଉଛି ନା ଅଧିକ ବିଦ୍ୟାର୍ଥୀଙ୍କୁ ଗୁରୁତ୍ବ ଦେଉଛି?
    ଆମ ଶିକ୍ଷାନୁଷ୍ଠାନ ଉପରେ ଓଡ଼ିଶା ଉଚ୍ଚଶିକ୍ଷାର ଗୁରୁଦାୟିତ୍ବ ରହିଛି। ବିଶ୍ବବିଦ୍ୟାଳୟ ସ୍ଥାପନ ସମୟରେ ଏହାକୁ ଅନୁବନ୍ଧନ ଶିକ୍ଷାନୁଷ୍ଠାନ କରାଯିବାକୁ ଚିନ୍ତା କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ଥିତି ବଦଳିବା ସହ ଏହା ଶିକ୍ଷାଦାନ, ଗବେଷଣା ଓ ଅନୁବନ୍ଧନ ଶିକ୍ଷାନୁଷ୍ଠାନ ହୋଇଗଲା। ବର୍ତ୍ତମାନ କଲେଜ ଦ୍ବାରା ଅଧିକ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ସହ ବିଶ୍ବବିଦ୍ୟାଳୟରେ ଗବେଷଣା ଓ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରାଯାଉଛି।
  • ଗବେଷକଙ୍କୁ ଆକୃଷ୍ଟ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଉଛି?
    ନିକଟ ଅତୀତରେ ଗବେଷଣାରତ ବିଦ୍ୟାର୍ଥୀଙ୍କୁ ଅଧିକରୁ ଅଧିକ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଦିଆଯାଇଛି। ଏହାଦ୍ବାରା ରାଜ୍ୟ ବାହାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଆମ ଶିକ୍ଷାନୁଷ୍ଠାନକୁ ଆକର୍ଷିତ ହୋଇ ଆସୁଛନ୍ତି। ଆଗାମୀ ଦିନରେ ଗବେଷଣାରତ ବିଦ୍ୟାର୍ଥୀଙ୍କ ରହିବା ଓ ଗବେଷଣାକୁ ଅଧିକ ତ୍ବରାନ୍ବିତ କରିବାକୁ ଯୋଜନା ରଖାଯାଇଛି।
  • ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାକୁ କିଛି ଯୋଜନା ?
    ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ ୪ ଜଣ ବିଦେଶୀ ବିଦ୍ୟାର୍ଥୀ ଅଧ୍ୟୟନରତ। ଅଧିକ ବିଦ୍ୟାର୍ଥୀଙ୍କୁ ଆମ ଶିକ୍ଷାନୁଷ୍ଠାନକୁ ଆଣିବାକୁ ଆମେ ଚିଠି ଲେଖିଛୁ। ସେମାନଙ୍କ ରହିବା ପାଇଁ ମଧ୍ୟ ସମସ୍ତ ସୁବିଧା ରହିଛି।
  • ବିଶ୍ବବିଦ୍ୟାଳୟ ପାଇଁ କ’ଣ ନୂଆ ଯୋଜନା ଓ ଆହ୍ବାନ ରହିଛି?
    ପ୍ଲାଟିନମ ଜୁବିଲି ଆମ ପାଇଁ ବଡ଼ ଆହ୍ବାନ। ୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଉତ୍ତରଦାୟିତ୍ବ ବୃଦ୍ଧି ପାଇବ। ରାଜ୍ୟ ପ୍ରତି ଦାୟିତ୍ବ ବଢ଼ିବା ସ୍ବାଭାବିକ। ସେ ଦିଗରେ ଏବେଠାରୁ କାମ କଲେ ଆମକୁ ସଫଳତା ମିଳିପାରିବ।
    ସାକ୍ଷାତକାର: ସନ୍ଦୀପ ଚୌଧୁରୀ , ଫଟୋ-ମନୋଜ

Comments are closed.