ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ତାଲିମ୍‍ ଶିବିର ନଷ୍ଟ କରିବାରେ ପାକିସ୍ତାନ ବିଫଳ : ଆମେରିକା ବିଦେଶ ବିଭାଗର ରିପୋର୍ଟ

ୱାଶିଂଟନ : ଆମେରିକା ବୈଦେଶିକ ବିଭାଗର ଏକ ରିପୋର୍ଟରେ ପାକିସ୍ତାନ ଆତଙ୍କବାଦୀଙ୍କୁ  ପାଣ୍ଠି ଯୋଗାଣ ବନ୍ଦ୍‍ କରିବା ଏବଂ ଆତଙ୍କବାଦୀ ତାଲିମ୍‍ ଶିବିରଗୁଡ଼ିକୁ ନଷ୍ଟ କରିବାରେ ବିଫଳ ହୋଇଥିବାରୁ ତାହାର ତୀବ୍ର ନିନ୍ଦା କରାଯାଇଛି। ଆତଙ୍କବାଦ ସଂକ୍ରାନ୍ତ କଣ୍ଟ୍ରି ରିପୋର୍ଟସ୍‍-୨୦୧୮ ଅନୁସାରେ ପାକିସ୍ତାନ ଲସ୍କରେ-ଇ-ତୟବା ଓ ଜୈସେ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି।

ୱାଶିଂଟନରେ ଏହି ରିପୋର୍ଟ ପ୍ରକାଶ ସମୟରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଆମେରିକା ବୈଦେଶିକ ବିଭାଗର ଆତଙ୍କବାଦ ଦମନ ସମନ୍ୱୟକାରୀ ତଥା ରାଷ୍ଟ୍ରଦୂତ ନଥନ୍‍ ସେଲ୍‍ସ୍‍ କହିଛନ୍ତି, ପାକିସ୍ତାନରେ ରହି କାର୍ଯ୍ୟ କରୁଥିବାରୁ ଆତଙ୍କବାଦୀ
ଗୋଷ୍ଠୀଗୁଡ଼ିକ ପାକିସ୍ତାନ ବାହାରେ ଆତଙ୍କୀ ଆକ୍ରମଣ  କରୁଛନ୍ତି।
୨୦୧୮ ସାଧାରଣ ନିର୍ବାଚନରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଅନୁମତି ପ୍ରଦାନ କରିଥିବାରୁ ଏହି ରିପୋର୍ଟରେ ମଧ୍ୟ ପାକିସ୍ତାନରୁ କଟୁ ସମାଲୋଚନା କରାଯାଇଛି। କିଛିଦିନ ପୂର୍ବେ ଆମେରିକା ବୈଦେଶିକ ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତା କହିଥିଲେ, ପାକିସ୍ତାନକୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ହେବ। ସେ କହିଥିଲେ, ଆତଙ୍କବାଦ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଛି।

Comments are closed.