ଓସାମା ବିନ ଲାଦେନ ପୁଅ ହମଜା ନିହତ, ଜଣାଇଲେ ଟ୍ରମ୍ପ

0

ୱାଶିଂଟନ : ଆତଙ୍କବାଦୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ ଲାଦେନର ପୁଅ ତଥା ଅଲକାଏଦାର ନୂତନ ଉତ୍ତରାଧିକାରୀ ହମଜା ବିନ ଲାଦେନ ନିହତ ହୋଇଛି। ଏହି ଖବର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି।

ହମଜା ବିନ ଲାଦେନଙ୍କ ମୃତ୍ୟୁ ଖବର ପୂର୍ବରୁ ମଧ୍ୟ ଆସିଥିଲା। ଗତ ମାସରେ ଗଣମାଧ୍ୟମ ରିପୋର୍ଟରେ ହମଜା ନିହତ ହୋଇଥିବା ଦାବି କରାଯାଇଥିଲା। ମାତ୍ର ଏଥର ଡୋନାଲ୍ଡ ଟ୍ରମ୍ପ ଏହା ଜଣାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆମେରିକା ହମଜାର ଠିକଣା ଜଣାଇବା ଲୋକକୁ ୧୦ ଲକ୍ଷ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଥିଲା। ସେତେବେଳେ ଆମେରିକା ପକ୍ଷରୁ କୁହାଯାଇଥିଲା ଯେ ନିଜ ପିତା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ହମଜା ଏକ ବଡ଼ ଧରଣର ଯୋଜନା କରୁଛି। ତେଣୁ ତାକୁ ଧରିବା ପାଇଁ ଏତେ ଅର୍ଥର ପୁରସ୍କାର ଘୋଷଣା କରାଯାଇଛି। ସେପଟେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ହମଜା ବିନ ଲାଦେନର ନାମ ନିଷେଧ ଘୋଷିତ ତାଲିକାରେ ପକାଇଥିଲା। ଏହାପରେ ସାଉଦି ଆରବ ହମଜାର ନାଗରିକତାକୁ ରଦ୍ଦ କରିଦେଇଥିଲା। ଟ୍ରମ୍ପ ହମଜା ନିହତ ହୋଇଥିବାର ଖବର ଦେଇଥିଲେ ମଧ୍ୟ କେଉଁଠାରେ, କେବେ ଓ କେମିତି ତାର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି।

Leave A Reply