ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ; ୬୬ ପୌରାଞ୍ଚଳ ପାଇଁ ନିଯୁକ୍ତ ହେଲେ ପ୍ରଶାସକ

0

ଭୁବନେଶ୍ୱର : ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶନିବାର ଶେଷ ହୋଇଛି। ସେହିସବୁ ସ୍ଥାନରେ ରାଜ୍ୟ ସରକାର ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ସ୍ଥାନ ସଂରକ୍ଷଣକୁ ନେଇ ମାମଲା ଯୋଗୁଁ ସରକାର ନିର୍ବାଚନ କମିଶନଙ୍କୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସଂକ୍ରାନ୍ତ ତଥ୍ୟ ଦେଇପାରି ନଥିବାରୁ ଯଥାସମୟରେ ନିର୍ବାଚନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ହୋଇପାରିନଥିଲା। ନିର୍ବାଚନ ହୋଇପାରୁ ନଥିବା ଯୋଗୁୁଁ ୬୬ଟି ପୌରାଞ୍ଚଳର ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିଶନ ଶନିବାର ନଗର ଉନ୍ନୟନ ବିଭାଗ ସଚିବଙ୍କୁ ପତ୍ର ଲେଖି ଜଣାଇଥିଲେ। ଅପରାହ୍ଣରେ ବିଭାଗ ପକ୍ଷରୁ ପ୍ରଶାସକ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ବ୍ରହ୍ମପୁର ମହାନଗର ନିଗମର ପ୍ରଶାସକ ଭାବେ ସରକାର ଗଞ୍ଜାମ ଜିଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ଅନୁଗୋଳ ପୌର ପରିଷଦ ପାଇଁ ଅନୁଗୋଳ ଜିଲାପାଳ, ତାଳଚେର ପୌର ପରିଷଦ ପାଇଁ ତାଳଚେର ଉପ ଜିଲାପାଳ ଏବଂ ଆଠମଲ୍ଲିକ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଆଠମଲ୍ଲିକ ଉପ ଜିଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ବାଲେଶ୍ୱର ପୌର ପରିଷଦ ପାଇଁ ବାଲେଶ୍ୱର ଜିଲାପାଳ, ଜଳେଶ୍ୱର ପୌର ପରିଷଦ ପାଇଁ ବାଲେଶ୍ୱର ଉପ ଜିଲାପାଳ, ସୋରୋ ପୌର ପରିଷଦ ପାଇଁ ବାଲେଶ୍ୱର ଅତିରିକ୍ତ ଜିଲାପାଳ ଏବଂ ନୀଳଗିରି ଏନଏସି ପାଇଁ ନୀଳଗିରି ଉପ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପୌର ପରିଷଦ ପାଇଁ ଭଦ୍ରକ ଜିଲାପାଳ ଏବଂ ବାସୁଦେବପୁର ପୌର ପରିଷଦ ପାଇଁ ଅତିରିକ୍ତ ଜିଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ବୌଦ୍ଧଗଡ଼ ଏନଏସି ପାଇଁ ବୌଦ୍ଧ ଜିଲାପାଳ, ଆଠଗଡ଼ ଏନଏସି ପାଇଁ ଆଠଗଡ଼ ଉପ ଜିଲାପାଳ, ବାଙ୍କୀ ଏନଏସି ପାଇଁ ବାଙ୍କୀ ଉପ ଜିଲାପାଳ ଓ ଚୌଦ୍ୱାର ପୌର ପରିଷଦ ପାଇଁ କଟକ ଉପ ଜିଲାପାଳ ପ୍ରଶାସକ ରହିଛନ୍ତି।
ଢ଼େଙ୍କାନାଳ ପୌର ପରିଷଦ ପାଇଁ ଢ଼େଙ୍କାନାଳ ଜିଳାପାଳ, ଭୁବନ ଏନଏସି ପାଇଁ କାମାକ୍ଷାନଗର ଉପ ଜିଳାପାଳ ଏବଂ କାମାକ୍ଷାନଗର ଏନଏସି ପାଇଁ ଢ଼େଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ପାରଳାଖେମୁଣ୍ଡି ପୌର ପରିଷଦ ପାଇଁ ଗଜପତି ଜିଲାପାଳ ଏବଂ କାଶୀନଗର ଏନଏସି ପାଇଁ ପାରଳାଖେମୁଣ୍ଡି ଉପ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଜିଲାର ଆସ୍କା ଏବଂ ଛତ୍ରପୁର ଏନଏସି ପାଇଁ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ, ବେଲଗୁଣ୍ଠା ଓ ରମ୍ଭା ଏନଏସିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଭଞ୍ଜନଗର ଓ ବୁଗୁଡ଼ା ଏନଏସି ପାଇଁ ଭଞ୍ଜନଗର ଉପ ଜିଲାପାଳ, ଚିକିଟି ଓ ଗୋପାଳପୁର ଏନଏସି ପାଇଁ ବ୍ରହ୍ମପୁର ଉପ ଜିଲାପାଳ, ଦିଗପହଣ୍ଡି ଏନଏସି ପାଇଁ ଆରଡିସିଙ୍କ ସଚିବ, ଗଞ୍ଜାମ ଏନଏସି ପାଇଁ ଛତ୍ରପୁର ଉପ ଜିଲାପାଳ, ହିଞ୍ଜିଳିକାଟୁ ପୌର ପରିଷଦ ଓ ପୋଲସରା ଏନଏସି ପାଇଁ ଅତିରିକ୍ତ ଜିଲାପାଳ(ରାଜସ୍ୱ), କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଏନଏସି ପାଇଁ ଅତିରିକ୍ତ ଜିଲାପାଳ, କୋଦଳା ଏନଏସି ପାଇଁ ଆରଡିସିଙ୍କ ଅତିରିକ୍ତ ସଚିବ, ପୁରୁଷୋତ୍ତମପୁର ଏନଏସି ପାଇଁ ଛତ୍ରପୁର ଉପ ଜିଲାପାଳ ଏବଂ ସୋରଡା ଏନଏସି ପାଇଁ ଆସ୍କା ସମବାୟ ଚିନି କଳର ପରିଚାଳନା ନିର୍ଦେଶକଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି।
ଜଗତସିଂହପୁର ଜିଲାପାଳ ଜଗତସିଂହପୁର ପୌର ପରିଷଦ ଏବଂ ଯାଜପୁର ଜିଲାପାଳ ଯାଜପୁର ପୌର ପରିଷଦର ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ। ବ୍ୟାସନଗର ପୌର ପରିଷଦର ପ୍ରଶାସକ ଭାବେ ଯାଜପୁର ଉପ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ପଟ୍ଟାମୁଣ୍ଡାଇ ପୌର ପରିଷଦର ପ୍ରଶାସକ ଭାବେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ, କେନ୍ଦୁଝରଗଡ଼ ପୌର ପରିଷଦ ପାଇଁ କେନ୍ଦୁଝର ଜିଳାପାଳ, ଯୋଡ଼ା ଓ ବଡ଼ବିଲ ପୌର ପରିଷଦ ପାଇଁ ଚମ୍ପୁଆ ଉପ ଜିଲାପାଳ ଏବଂ ଆନନ୍ଦପୁର ପୌର ପରିଷଦ ପାଇଁ କେନ୍ଦୁଝର ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କୁ ଦାୟିତ୍ୱ ଦିଆଯାଇଛି।
ଖୋର୍ଦ୍ଧା ପୌର ପରିଷଦ ପାଇଁ ଖୋର୍ଦ୍ଧା ଜିଲାପାଳ, ଜଟଣୀ ପୌର ପରିଷଦ ପାଇଁ ଭୁବନେଶ୍ୱର ଉପ ଜିଲାପାଳ, ବାଣପୁର ଏନଏସି ପାଇଁ ଖୋର୍ଦ୍ଧା ଉପ ଜିଲାପାଳ ଏବଂ ବାଲୁଗାଁ ଏନଏସି ପାଇଁ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରଶାସକ ଅଛନ୍ତି। କୋରାପୁଟ ପୌର ପରିଷଦ ପାଇଁ କୋରାପୁଟ ଜିଲାପାଳ, ଜୟପୁର ପୌର ପରିଷଦ ପାଇଁ ଅତିରିକ୍ତ ଜିଲାପାଳ ଏବଂ କୋଟପାଡ ଏନଏସି ପାଇଁ ଜୟପୁର ଉପ ଜିଲାପାଳ, ମାଲକାନଗିରି ପୌର ପରିଷଦ ପାଇଁ ମାଲକାନଗିରି ଜିଲାପାଳ ପ୍ରଶାସକ ରହିଛନ୍ତି। ମୟୂରଭଞ୍ଜର କରଞ୍ଜିଆ ଏନଏସି ପାଇଁ କରଞ୍ଜିଆ ଉପ ଜିଲାପାଳ, ରାଇରଙ୍ଗପୁର ପୌର ପରିଷଦ ପାଇଁ ରାଇରଙ୍ଗପୁର ଉପ ଜିଲାପାଳ ଏବଂ ଉଦଳା ଏନଏସି ପାଇଁ ଉଦଳା ଉପ ଜିଲାପାଳ ଅଛନ୍ତି। ନୟାଗଡ଼ ଏନଏସି ପାଇଁ ଜିଲାପାଳ ଓ ଖଣ୍ଡପଡା ଏନଏସି ପାଇଁ ଅତିରିକ୍ତ ଜିଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ପୌର ପରିଷଦ ପାଇଁ ଜିଲାପାଳ, ଉମରକୋଟ ପୌର ପରିଷଦ ପାଇଁ ନବରଙ୍ଗପୁର ଉପ ଜିଲାପାଳ, ପୁରୀ ପୌର ପରିଷଦ ପାଇଁ ପୁରୀ ଜିଲାପାଳ, ପିପିଲି ଏନଏସି ପାଇଁ ପୁରୀ ଉପ ଜିଲାପାଳ, ନିମାପଡ଼ା ଏବଂ କୋଣାର୍କ ଏନଏସି ପାଇଁ ଅତିରିକ୍ତ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ରାୟଗଡ଼ା ପୌର ପରିଷଦ ପାଇଁ ରାୟଗଡ଼ା ଜିଲାପାଳ, ଗୁଣୁପୁର ପୌର ପରିଷଦ ଏବଂ ଗୁଡ଼ାରୀ ଏନଏସି ପାଇଁ ଗୁଣୁପୁର ଉପ ଜିଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦%ରୁ ଅଧିକ ନକରିବାକୁ ହାଇକୋର୍ଟଙ୍କ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ସରକାରଙ୍କ ଆବେଦନ ଖାରଜ କରିଛନ୍ତି। ସ୍ଥାନ ସଂରକ୍ଷଣ ଏବଂ ୱାର୍ଡ ପୁନର୍ଗଠନ ନେଇ ସରକାର ନିର୍ବାଚନ କମିଶନଙ୍କୁ ତଥ୍ୟ ଦେଇପାରି ନାହାନ୍ତି। ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ପୌରାଞ୍ଚଳରେ ନିଯୁକ୍ତି ପାଇଥିବା ସଂପୃକ୍ତ ଅଧିକାରୀମାନେ ନୂତନ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ ବୈଠକ ପର୍ଯ୍ୟନ୍ତ ପ୍ରଶାସକ ଭାବେ କାର୍ଯ୍ୟ ତୁଲାଇବେ।

Leave A Reply