ପୁଲିସକୁ ଧମକ ଦେଇ ଅଡୁଆରେ ୟୁପି ମନ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ(ୟୁପି)ର ମନ୍ତ୍ରୀ ସ୍ବାତୀ ସିଂହ ଲକ୍ଷ୍ନୌଠାରେ ଜଣେ ପୁଲିସ ଅଧିକାରୀଙ୍କୁ ଧମକ ଦେଇ ଅଡୁଆରେ ପଡିଛନ୍ତି। ଏ ସମ୍ବନ୍ଧୀୟ ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ସ୍ବାତୀଙ୍କୁ ସମନ ଜାରି କରାଯାଇଛି। ଏଥିସହ ଏହି ଘଟଣା ସମ୍ବନ୍ଧରେ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଅଡିଓ କ୍ଲିପ୍‌ରେ ଅନସଲ ଗ୍ରୁପ ବିରୋଧରେ ଏକ ଏତଲା ରୁଜୁକୁ ନେଇ ସ୍ବାତୀ ସମ୍ପୃକ୍ତ ସର୍କଲ ଅଫିସର ବିନୁ ସିଂହଙ୍କୁ କଡ଼ା ଭାଷାରେ ଗାଳିଗୁଲଜ କରିବା ସହିତ ଏତଲା ପ୍ରତ୍ୟାହାର କରିବାକୁ କହୁଥିବା ଶୁଣିବାକୁ ମିଳୁଛି। ସମ୍ପୃକ୍ତ ବିଲଡର୍‌ଙ୍କ ବିରୋଧରେ କୌଣସି ଏତଲା ରୁଜୁ ହେବ ନାହିଁ ବୋଲି ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ନିର୍ଦେଶ ମିଳିଥିବା ସ୍ବାତୀ କହିଥିଲେ। ଉପଯୁକ୍ତ ତଦନ୍ତ ପରେ କମ୍ପାନୀ ବିରୋଧରେ ଏତଲା ରୁଜୁ ହୋଇଛି ବୋଲି ଅଧିକାରୀ କହିଥିଲେ। ଉତ୍ତରରେ ସ୍ବାତୀ କହିଥିଲେ ଯେ ମାମଲା ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ରହିଛି। ସେପ୍ଟେମ୍ବର ୨୯ରେ ଅନସଲ ଗ୍ରୁପର ଏପିଆଇ ଉପାଧ୍ୟକ୍ଷ ପ୍ରଣବ ଅନସଲ ଲଣ୍ଡନ ଯିବାକୁ ବାହାରିଥିବାବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଏକ ଠକେଇ ଅଭିଯୋଗରେ ଅଟକ ରଖାଯାଇଥିଲା। ଏହା ପୂର୍ବରୁ ଲକ୍ଷ୍ନୌର ଗୋମତୀ ନଗରଠାରେ ଏକ ମଦ ଦୋକାନ ଉଦ୍‌ଘାଟନ କରି ସ୍ବାତୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମାଲୋଚିତ ହୋଇଥିଲେ।

Comments are closed.