ସ୍ବାଗତ ସମାରୋହରେ ଅଘଟଣ, ଆଙ୍ଗୁଠି ହରାଇଲେ ବିଜେପି ଅଧ୍ୟକ୍ଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ବାଗତ ସମାରୋହରେ ସୋମବାର ଅଘଟଣ ଘଟିଛି। ଠେଲାପେଲା ଯୋଗୁ ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ର ଦେବଙ୍କୁ ନିଜର ଏକ ଆଙ୍ଗୁଠି ହରାଇବାକୁ ପଡ଼ିଛି।

ମୁଜଫରନଗର ଅନ୍ତର୍ଗତ ସର୍କୁଲାର ରୋଡ୍‌ରେ ଏହି ସ୍ବାଗତ ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେବା ଲାଗି ପହଞ୍ଚିଥିଲେ ବିଜେପି ଅଧ୍ୟକ୍ଷ। ଏହି ସମୟରେ କିଛି ମହିଳା କାର୍ଯ୍ୟକର୍ତ୍ତା ତାଙ୍କୁ ସମ୍ମାନିତ କରିବାକୁ ଉଦ୍ୟମ କରିଥିଲେ। ମହିଳାମାନଙ୍କୁ ଦେଖି ସ୍ବତନ୍ତ୍ର ଦେବ ଗାଡ଼ିରୁ ଓହ୍ଲାଇଥିଲେ। ତେବେ ଏତିକି ବେଳେ ଠେଲାପେଲା ହେବାରୁ ତାଙ୍କର ଡାହାଣ ହାତ କାଣୀ ଆଙ୍ଗୁଠିଟି କଟି ପାପୁଲିରୁ ଅଲଗା ହୋଇଯାଇଥିଲା। ସେଠାରେ ଉପସ୍ଥିତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ତୁରନ୍ତ ତାଙ୍କୁ ବର୍ଦ୍ଧମାନ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ହସ୍ପିଟାଲରେ ଆଙ୍ଗୁଠିର ଅପରେଶନ କରାଯାଇଛି। ମୁଖ୍ୟ ସଚିବ ଅବନୀଶ ଅୱସ୍ଥି କହିଛନ୍ତି ଯେ, ସ୍ବତନ୍ତ୍ର ଦେବଙ୍କ ଡାହାଣ ହାତର ଛୋଟ ଆଙ୍ଗୁଠିରେ ଆଘାତ ଲାଗିଛି। ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି। ଜିଲାପାଳ, ଏସପି ଏବଂ ବରିଷ୍ଠ ନେତାମାନେ ତାଙ୍କ ପାଖରେ ରହିଛନ୍ତି।

Comments are closed.