ହସ୍ପିଟାଲ ଶଯ୍ୟାରେ ଦୁର୍ଘଟଣାର ଛାତିଥରା କାହାଣୀ କହିଲେ ଉନ୍ନାଓ ପୀଡ଼ିତା; ଜାଣନ୍ତୁ କିପରି ହୋଇଥିଲା ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଜୁଲାଇ ୨୮ରେ ଦୁର୍ଘଟଣାର ଶିକାର ହେବା ପରେ ଉନ୍ନାଓ ବଳାତ୍କାର ପୀଡ଼ିତା ନୂଆଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚେତା ଫେରିଛି। ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଏବେ ବି ସଙ୍କଟାପନ୍ନ ରହିଛି। ଚେତା ଫେରିବା ପରେ ଧୀରେ ଧୀରେ କଥା ମଧ୍ୟ କହୁଛନ୍ତି। କିନ୍ତୁ ଦୁର୍ଘଟଣା ସମୟର କଥା ମନେପଡ଼ିଲେ ଭୟଭୀତ ହୋଇପଡ଼ୁଛନ୍ତି। ଚେତା ଫେରିବା ପରେ ଦୁର୍ଘଟଣା ଦିନ ତାଙ୍କୁ କିପରି ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିଲା, ତାହାର ଛାତିଥରା କାହାଣୀ ବି ସେ ବଖାଣିଛନ୍ତି।

ହସ୍ପିଟାଲ ଶଯ୍ୟାରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଘଟଣାର ବର୍ଣ୍ଣନା କରି କହିଛନ୍ତି, ସେଦିନ କାରରେ ଆମେ ବାପାଙ୍କୁ ଭେଟିବାକୁ ରାଏବରେଲୀ ଜେଲକୁ ଯାଉଥିଲୁ। ତାଙ୍କ ଓକିଲ କାର୍‌ ଡ୍ରାଇଭିଂ କରୁଥିଲେ। ତାଙ୍କ ସହିତ ପିଉସୀ ଏବଂ ଖୁଡ଼ୀ ଥିଲେ। ୩୧ ନମ୍ବର ଜାତୀୟ ରାଜପଥରେ ସେମାନେ କାର୍‌ରେ ଯାଉଥିବାବେଳେ ସାମ୍ନାପଟୁ ଏକ ଟ୍ରକ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ହଠାତ୍‌ ଟ୍ରକଟି କାର୍‌କୁ ଆଗପଟୁ ଧକ୍କା ଦେଇଥିଲା। ତାଙ୍କ ଓକିଲ ଷ୍ଟିୟରିଂ ବୁଲାଇ ଗାଡ଼ିକୁ ପଛକୁ ଆଣି ଟ୍ରକ ସାମ୍ନାରୁ ହଟିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଟ୍ରକ୍‌ ଡ୍ରାଇଭର ତାଙ୍କ କାର୍‌ ଉପରେ ଟ୍ରକ୍‌କୁ ଚଢ଼ାଇ ଦେଇଥିଲା। ଏହା ପରେ କ’ଣ ହେଲା ତାହା ସେ ଜାଣିନାହାନ୍ତି ବୋଲି ପୀଡ଼ିତା ତାଙ୍କ ସମ୍ପର୍କୀୟଙ୍କୁ କହିଛନ୍ତି।

ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ପୀଡ଼ିତାଙ୍କୁ ଭେଟିବା ଲାଗି ଏମ୍‌ସ ଯାଇଥିଲା। କିନ୍ତୁ ପୀଡ଼ିତା ଭେଟିବାକୁ ମନା କରିଦେଇଥିଲେ। ସିବିଆଇ ପୁରା ମାମଲାର ତଦନ୍ତ ଦାୟିତ୍ଵ ନେବାଠାରୁ ଗୋଟିଏ ପ୍ରଶ୍ନକୁ ଗୁଡ଼ାଇ ତୁଡ଼ାଇ ବାରମ୍ବାର ପଚାରୁଛି, ଯେଉଁଥିପାଇଁ ତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି ବୋଲି ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି।

Comments are closed.