ଭାଇଙ୍କୁ କହୁଥିଲେ- ମୁଁ ବଞ୍ଚିଯିବି ନା ? ମରିବାକୁ ଚାହୁଁନି

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କର ଶେଷରେ ମୃତ୍ୟୁ ଘଟିଛି। ଗୁରୁବାର ଭୋର ସମୟରୁ ଶୁକ୍ରବାର ରାତି ୧୧ଟା ୪୦ ପର୍ଯ୍ୟନ୍ତ ସେ ଜୀବନ ଯୁଦ୍ଧରେ ଜିତିବା ପାଇଁ ସଂଗ୍ରାମ କରିଚାଲିଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇପାରିଲେନି। ପୀଡ଼ିତାଙ୍କ ମୃତ୍ୟୁରେ ଦେଶବ୍ୟାପୀ ଶୋକ ଖେଳିଯାଇଛି। ତେବେ ପୀଡ଼ିତାଙ୍କ ଶେଷ ସମୟର କିଛି କଥା ଏବେ ସମସ୍ତଙ୍କୁ ଭାବୁକ କରିଦେଇଛି। ପୀଡ଼ିତା ମରିବାକୁ ଚାହୁଁ ନ ଥିଲେ। ସେ ବଞ୍ଚି ରହିବାକୁ ଇଚ୍ଛା କରୁଥିଲେ। କିନ୍ତୁ ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା। ତାଙ୍କ ଶେଷ ସମୟରେ ତାଙ୍କ ଭାଇ ସାଥୀରେ ଥିଲେ। ଭାଇକୁ ସେ ବାରମ୍ବାର କହୁଥିଲେ, ମୁଁ ବଞ୍ଚିଯିବି ନା ? ମୁଁ ମରିବାକୁ ଚାହୁଁନି। ତାଙ୍କ ଗଳା ଏବଂ ଶ୍ଵାସନଳୀ କ୍ଷତିଗ୍ରସ୍ତ ହୋଇଥିବାରୁ ଠିକ୍‌ ସେ ପାଟି ଖୋଲି କହିପାରୁ ନ ଥିଲେ। ଏହା ସତ୍ବେ ଇସାରା ଦେଇ ଭାଇକୁ କହୁଥିଲେ ମୁଁ ବଞ୍ଚି ଯିବି ନା ? ଭାଇକୁ ଆହୁରି କହିଥିଲେ ତାଙ୍କ ସହିତ ଏଭଳି କରିଥିବା ରାକ୍ଷସମାନଙ୍କ ମଧ୍ୟରୁ କେହି ବି ବଞ୍ଚିବା ଅନୁଚିତ।

ପୀଡ଼ିତାଙ୍କ ମୃତ୍ୟୁ ପରେ ସଫଦରଜଙ୍ଗ ହସ୍ପିଟାଲର ବର୍ଣ୍ଣ ଏବଂ ପ୍ଲାଷ୍ଟିକ ବିଭାଗ ଡାକ୍ତର ଶଲଭ କୁମାର କହିଛନ୍ତି ଯେ, ରାତି ପ୍ରାୟ ସାଢ଼େ ୮ଟାରେ ପୀଡ଼ିତା ଭେଣ୍ଟିଲେଟରରେ ଥିବାବେଳେ ତାଙ୍କ ରକ୍ତଚାପ ଖସିବାକୁ ଲାଗିଥିଲା। ଡାକ୍ତରମାନେ ଏକା ସାଥୀରେ ଔଷଧ ଡୋଜ୍‌ ଦେବାରୁ ରାତି ପ୍ରାୟ ୯ଟା ୨୫ରେ ରକ୍ତଚାପରେ କିଛିଟା ସୁଧାର ଆସିଥିଲା। କିନ୍ତୁ ରାତି ୧୧ଟା ୧୦ରେ ପୁଣି ଥରେ ଅବସ୍ଥା ଖରାପ ହୋଇଥିଲା। ତୁରନ୍ତ ତାଙ୍କୁ ୨ଟି ଇଞ୍ଜେକ୍ସନ ଦିଆଯାଇଥିଲା। ମାତ୍ର ୧୧ଟା ୩୦ରେ ହୃଦ୍‌ଘାତ ଆସିବାରୁ ତାଙ୍କ ହୃଦ ସ୍ପନ୍ଦନର ବେଗ ଧୀରେ ଧୀରେ ହ୍ରାସ ପାଇଥିଲା। ସବୁ ପ୍ରକାର ଉଦ୍ୟମ ସତ୍ବେ ଶେଷରେ ୧୧ଟା ୪୦ରେ ପୀଡ଼ିତା ଆଖି ବୁଜିଥିଲେ।

Comments are closed.