ଉନ୍ନାଓ ଗଣବଳାତ୍କାର ମାମଲା : ସିବିଆଇ ପକ୍ଷରୁ ଅଭିଯୋଗଫର୍ଦ ଦାଖଲ

0

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାରେ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଛି। ଏଥିରେ ବିଜେପି ବିଧାୟକ କୁଳଦୀପ ସିଂହ ସେନଗରଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଗତ ଶନିବାର ସିବିଆଇ ପକ୍ଷରୁ ଲକ୍ଷ୍ନୌସ୍ଥିତ ସିବିଆଇର ସ୍ୱତନ୍ତ୍ର ବିଚାରପତି ସପ୍ନା ତ୍ରିପାଠୀଙ୍କ ନିକଟରେ ଦାଖଲ ପ୍ରଥମ ଅଭିଯୋଗଫର୍ଦରେ ପୀଡ଼ିତାଙ୍କ ପିତାଙ୍କ ହତ୍ୟା ମାମଲାରେ ବିଧାୟକଙ୍କ ଭାଇ ଜୟଦୀପ ସିଂହ ସମେତ ୫ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ହତ୍ୟାକାଣ୍ଡରେ ବିଧାୟକଙ୍କ ଭାଇ ଜୟଦୀପ ସିଂହ ଓରଫ ଅତୁଲ ସିଂହ, ଭିନିତ ମିଶ୍ର, ବୀରେନ୍ଦ୍ର ସିଂହ, ରାମ ଶରଣ ସିଂହ, ଶଶୀ ପ୍ରତାପଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଲଖ କରାଯାଇଛି। ଏହି ୫ ଅଭିଯୁକ୍ତ ଏବେ ଲକ୍ଷ୍ନୌ ଜିଲା ଜେଲ୍‍ରେ ଅଛନ୍ତି। ଏହି ମାମଲାରେ ପୂର୍ବରୁ ୬ ପୁଲିସ୍‍ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।
ପ୍ରକାଶ ଯେ ଗତ ବର୍ଷ ଜୁନ୍‍ରେ ପୀଡ଼ିତା ନିଜର ଜଣେ ସମ୍ପର୍କୀୟଙ୍କ ସହ ୪ଥର ବିଧାୟକ ଭାବେ ନିର୍ବାଚିତ କୁଳଦୀପ ସେନଗରଙ୍କ ନିକଟକୁ ଚାକିରି ପାଇଁ ଯାଇଥିଲାବେଳେ ବଳାତ୍କାରର ଶିକାର ହୋଇଥିଲେ। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ତାର ପରିବାର ଲୋକଙ୍କୁ ଧମକ ଚମକ ଦିଆଯାଇଥିଲା। ଏହାର କିଛି ଦିନ ପରେ ପୁଲିସ୍‍ ପୀଡ଼ିତାର ପିତାଙ୍କୁ ଗିରଫ କରିନେଇଥିଲେ। ପରେ ପୁଲିସ ହାଜତରେ ପୀଡ଼ିତାର ପିତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‍ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଚଳିତ ବର୍ଷ ଅପ୍ରେଲ ମାସରେ ପୀଡ଼ିତା ଏବଂ ପରିବାର ଲୋକେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ବିରାଧୀ ଦଳଗୁଡ଼ିକୁ ଏହାକୁ ପ୍ରସଙ୍ଗ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ତଥାପି ଅଭିଯୁକ୍ତଙ୍କ ବିରୋଧରେ ଉତ୍ତର ପ୍ରଦେଶ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ବିଜେପି ନେତୃତ୍ୱାଧୀନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସବୁସ୍ତରରୁ ସମାଲୋଚିତ ହେବାକୁ ପଡିଥିଲା। ଫଳରେ ସରକାର ବାଧ୍ୟ ହୋଇ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସିବିଆଇ ସେନଗରଙ୍କୁ ବହୁ ସମୟ ଜେରା କରିବା ପରେ ଅପ୍ରେଲ ୧୪ରେ ଗିରଫ କରିଥିଲା। ଏବେ ସିବିଆଇ ପକ୍ଷରୁ ଚାର୍ଜସିଟ୍‍ ଦାଖଲ କରାଯାଇଛି।

Leave A Reply