ଆମେରିକା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ : ଟ୍ରମ୍ପଙ୍କୁ ଝଟକା

0

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ମଙ୍ଗଳବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନରେ ବିରୋଧି ଡେମୋକ୍ରାଟିକ ପାର୍ଟି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିପବ୍ଳିକାନ ପାର୍ଟି ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି।
ରିପବ୍ଲିକାନ ଦଳର ଆଧିପତ୍ୟକୁ ଡେମୋକ୍ରାଟିକ ଦଳ ପ୍ରତିହତ କରିବାରେ ସମର୍ଥ ହୋଇଛି। ଫଳରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଝଟକା ଲାଗିଛି। ଇତିମଧ୍ୟରେ ୪୩୫ ସଦସ୍ୟ ବିଶିଷ୍ଟ ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ଡେମୋକ୍ରାଟିକ ପାର୍ଟି ୨୪ରୁ ଅଧିକ ଆସନ ହାସଲ କରି ନିଜର ସ୍ଥିତି ମଜବୁତ କରିଛନ୍ତି। ଦୀର୍ଘ ୮ ବର୍ଷ ପରେ ଡୋମୋକ୍ରାଟିକ ଦଳକୁ ଏହି ସଫଳତା ମିଳିଛି । ଏହି ସଫଳତା ପରେ ରିପବ୍ଲିକାନ ଦଳର ଏକଛତ୍ରବାଦ ଆଭିମୁଖ୍ୟକୁ ଡୋମୋକ୍ରାଟିକ ଦଳ ପ୍ରତିରୋଧ କରିପାରିବ।
ଏହି ଫଳାଫଳ ନେଇ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ୭୮ ବର୍ଷ ବୟସ୍କ କଂଗ୍ରେସ ନେତ୍ରୀ ନାନସି ପେଲୋସି ହାଉସ ଅଫ୍ ରିପ୍ରେଜେଣ୍ଟେଟିଭର ବାଚସ୍ପତି ଭାବେ ନିର୍ବାଚିତ ହେବା ଅନୁମାନ କରାଯାଉଛି। ଗତଥର ଗୃହରେ ରିପବ୍ଲିକାନ ପାର୍ଟିର ୨୩୫ ଆସନ ଥିବାବେଳେ ଡେମୋକ୍ରାଟ ମାନଙ୍କର ୧୯୩ଟି ଆସନ ରହିଥିଲା।
ଆସନ୍ତା ଜାନୁୟାରୀରୁ ନୂଆ ସଂସଦ ରଚନା ହେବ। ଚଳିତ ଥର ଅତି କମରେ ୯୦ ଜଣ ମହିଳା ନିର୍ବାଚନ ଜିତିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଡେମୋକ୍ରାଟିକଦଳର ବୋଲି ଜଣାପଡ଼ିଛି। ଏହି ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ଟ୍ରମ୍ପଙ୍କର କେତେକ ବିବାଦୀୟ ନିଷ୍ପତ୍ତି ଉପରେ ଲୋକମାନଙ୍କର ରାୟ ବୋଲି ବିବେଚନା କରାଯାଉଛି।

Leave A Reply