ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଉଠିଲା ରୟାଲଟି ବୃଦ୍ଧି ପ୍ରସ୍ତାବ ଓ ଆଇନ ଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ବର : ଦୀର୍ଘଦିନ ଧରି ରାଜ୍ୟ ସରକାର କୋଇଲା ରୟାଲଟି ବୃଦ୍ଧି କରିବାକୁ ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ କୌଣସି ଠୋସ  ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାଫଳରେ ରାଜ୍ୟ ସରକାର ଟିକସ ବାବଦକୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି। ଓଡ଼ିଶାର ଏହି ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାନଦୀ କୋଲ ଫିଲ୍ଡକୁ କିଭଳି ସୁବିଧାରେ ଆବଶ୍ୟକ ପରିମାଣର କଞ୍ଚାମାଲ ମିଳି ପାରିବ ଏବଂ ବିଭିନ୍ନ ସମୟରେ ଉପୁଜୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇ ପାରିବ ସେନେଇ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ଆଜିର ବୈଠକ ସୌହାର୍ଦପୂର୍ଣ୍ଣ ରହିଥିଲା। ଏମସିଏଲ ପାଇଁ ବିଭିନ୍ନ ସମୟରେ ତାଳଚେରରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ଶକ୍ତି ଉତ୍ପାଦନରେ ବ୍ୟାହତ ଦେଖାଦେଉଛି। ଫଳରେ ଲକ୍ଷ୍ୟ ଧାର୍ଯ୍ୟ ଶକ୍ତି ଉତ୍ପାଦନ ହୋଇପାରୁନାହିଁ। ଏହାବାଦ୍ ଏମସିଏଲକୁ ଆବଶ୍ୟକ କଞ୍ଚାମାଲ ଯୋଗାଇଦେବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର କୋଇଲା ରୟାଲଟି ବୃଦ୍ଧି ଲାଗି ଯେଉଁ ପ୍ରସ୍ତାବ ଦେଇଛନ୍ତି ସେନେଇ ଆସନ୍ତା ୧୫ଦିନ ମଧ୍ୟରେ କେନ୍ଦ୍ର ଅନୁଧ୍ୟାନ କରି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଏହି ଅବସରରେ ଓଏମସିକୁ ବୈତରଣୀ ଆଲୁମିନା ପ୍ରସଙ୍ଗ, ସବୁଜ ଟିକସ ଏବଂ ଟାଟାକୁ କ୍ରୋମାଇଟ ଯୋଗାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହିତ ଏମସିଏଲର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.